ଇଂରାଜୀରେ କହନ୍ତି କ୍ୟାଟ୍ ଇଜ୍‌ ଆଉଟ୍ ଅଫ୍ ଦି ବ୍ୟାଗ୍ । ଓଡ଼ିଆରେ ହେବ ଯେ, ଖୋଲିଗଲା ରହସ୍ୟ। ସ୍ମାର୍ଟ ମିଟର ସ୍କାମରେ ଖୋଲିଛି ରହସ୍ୟ । ଟାଟା ପାୱାର ନୁହେଁ, ସରକାର ହିଁ ସ୍ମାର୍ଟ ମିଟର ଲଗାଇ ବ୍ୟବସାୟ କରିବା ସକାଶେ ଅତ୍ୟନ୍ତ ତତ୍ପର ହୋଇପଡ଼ିଛନ୍ତି । ଏଣୁ କୁହାଯାଇପାରିବ ଏହି ବ୍ୟବସାୟଦ୍ୱାରା କାହାର ବା କେଉଁମାନଙ୍କର ହାତ ଚିକ୍କଣ ହୋଇଛି ? କାହାର ହୋଇଥାଇପାରେ ପକେଟ ଗରମ ?

ଓଇଆରସି ତରଫରୁ ଗୀତଗୋବିନ୍ଦ ସଦନରେ ଜନଶୁଣାଣିର ବ୍ୟବସ୍ଥା ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା । ଏଥିରେ ସରକାରଙ୍କ ଶକ୍ତି ବିଭାଗ, ଗ୍ରୀଡକୋ, ଓପିଟିସିଏଲ୍, ଟାଟା ପାୱାର ଏବଂ ଉପଭୋକ୍ତା ପ୍ରତିନିଥିମାନେ ସାମିଲ ହୋଇଥିଲେ । ଗ୍ରୀଡ଼କୋ ପକ୍ଷରୁ ଖର୍ଚ୍ଚ ବୃଦ୍ଧିର ପ୍ରସ୍ତାବ ଦିଆଯାଇଥିଲା । ଟାଟା ପାୱାର ୟୁନିଟ୍ ପିଛା ବିଦ୍ୟୁତ ଶୁକ୍ଳ ବଢ଼ାଇବା ପାଇଁ ପ୍ରସ୍ତାବ ରଖୁଥିଲା। ଉପଭୋକ୍ତାଙ୍କ ତରଫରୁ ଯେଉଁମାନେ ଶୁଣାଣିରେ ଅଂଶଗ୍ରହଣ କରିଥିଲେ ସେମାନେ କିଛି ପ୍ରଶ୍ନ କରିଥିଲେ। ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ବିରୋଧ ମଧ୍ୟ ହୋଇଥିଲା। ଓଇଆର୍‌ସି ଅଧ୍ଯକ୍ଷ ପ୍ରଦୀପ ଜେନା ଶୁଣାଣିରେ ଅଧ୍ୟକ୍ଷତା କରିଥିଲେ। ଏହି ଜନଶୁଣାଣି ଭିତରେ କିଛି ପ୍ରଶ୍ନ ଓ ଉତ୍ତର ଭିତରୁ ସରକାରଙ୍କ ଅସଲ ମୁଖା ଖୋଲିଯାଇଥିଲା। ଏହି ସରକାର ଜନତାଙ୍କ ସେବା ପାଇଁ ନା ବେପାର କରିବା ଲାଗି ସ୍ମାର୍ଟ ମିଟରକୁ ବାହାନା ଭାବେ ବ୍ୟବହାର କରିଥିଲେ ତାହା ଉପରୁ ପରଦା ହଟିଯାଇଥିଲା।

ଟାଟା ପାଓ୍ବାର ଯେହେତୁ ବ୍ୟବସାୟ କରୁଛି, ସେହେତୁ ଏହି ସଂସ୍ଥା ଲାଭ ପାଇଁ ଚେଷ୍ଟା କରିବା ସ୍ଵଭାବିକ। କିନ୍ତୁ ସରକାର ? କାହା ଲାଭରେ ଶକ୍ତି ବିଭାଗ, ଶକ୍ତି ସଚିବ ଏବଂ ଶକ୍ତିମନ୍ତ୍ରୀ ଏହି ଜଘନ୍ୟ ସ୍ମାର୍ଟ ଖେଳ ଖେଳିଛନ୍ତି ?

ପ୍ରଶ୍ନ ଆସିଲା ଉପଭୋକ୍ତାଙ୍କ ପ୍ରତିନିଧିମାନଙ୍କ ତରଫରୁ। ମିଟର ଲଗାଇବାକୁ ଟାଟା ପାଓ୍ବାର ବ୍ୟଗ୍ର କାହିଁକି ? ଏହି ପ୍ରଶ୍ନରୁ ହିଁ ଭାନୁମତିର କୁହୁକ ପେଡି ଖୋଲିଗଲା। ଓଇଆରସି ଅଧ୍ୟକ୍ଷ ବି ଜାଣିବାକୁ ଚାହିଁଥିଲେ ଯେ, କୋଟିଏ ଉପଭୋକ୍ତାଙ୍କ ଘରେ କେଉଁ ପ୍ରକାର ମିଟର ଅଛି ? ଟାଟା ପାଓ୍ବାର ପକ୍ଷରୁ ଦର୍ଶାଗଲା ଯେ, ୧୫ଲକ୍ଷ ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲାଗିଛି। ବାକି ପ୍ରାୟ ୮୫ଲକ୍ଷ ଘରେ ଲାଗିଛି ଡିଏଲଏମଏସ୍ ମିଟର।

ସୂଚନାଯୋଗ୍ୟ ରାଜ୍ୟ କ୍ୟାବିନେଟ୍ ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷ ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଇବା ପାଇଁ ୭୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଅଧ୍ଯକ୍ଷ ପ୍ରଶ୍ନ କରିଥିଲେ ଯେ, କର୍ଣାଟକରେ ଯେପରି ଡି ଏଲଏମଏସ ମିଟରକୁ ମାତ୍ର ୮୦୦ଟଙ୍କା ଖର୍ଚ୍ଚରେ ସ୍ମାର୍ଟ ମିଟରରେ ବଦଳାଇ ଦିଆଯାଇପାରିଛି ଓଡ଼ିଶାରେ ଏହା କାହିଁକି ହେବ ନାହିଁ ? ଦ୍ବିତୀୟରେ ୧୨ଲକ୍ଷ ଉପଭୋକ୍ତାଙ୍କ ଘରେ ପ୍ରାଥମିକ ପର୍ଯ୍ୟାୟରେ ସ୍ମାର୍ଟ ମିଟର ଲଗାଇବା ପାଇଁ ଯେଉଁ ନିଷ୍ପତ୍ତି ହୋଇଛି ତାହାର ଆଧାର କ’ଣ ? ଏହି ପ୍ରଶ୍ନର ଉତ୍ତର ଶକ୍ତି ବିଭାଗର ଅଧିକାରୀ କିମ୍ବା ଟାଟା ପାଓ୍ବାର ପକ୍ଷରୁ ଦିଆଯାଇନଥିଲା। ଉପଭୋକ୍ତାଙ୍କ ପ୍ରତିନିଧିମାନେ ଜାଣିବାକୁ ଚାହିଁଥିଲେ ଯେ, ସ୍ମାର୍ଟ ମିଟର ଲଗାଇବାକୁ ଓଇଆରସି ନିର୍ଦ୍ଦେଶ ଦେଇଛନ୍ତି କି ? ଏହି ନିଷ୍ପତ୍ତି ସରକାରଙ୍କର ନା ଟାଟା ପାୱାରର ? ଅଧ୍ଯକ୍ଷଙ୍କ ପ୍ରଶ୍ନ ଥିଲା ପୂର୍ବରୁ ଓଇଆରସି ଟ୍ରାନ୍ସଫରମରଗୁଡିକରେ ସ୍ମାର୍ଟ ମିଟର ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା କାର୍ଯ୍ୟକାରୀ ହୋଇଛି କି ? ଏହାର କାର୍ଯ୍ୟାନ୍ବୟନ ନକରି ୨ କିଲୋୱାଟ୍‌ରୁ କମ୍ ବିଜୁଳି ସଂଯୋଗ ନେଇଥିବା ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଇବା ପାଇଁ ସରକାରଙ୍କୁ କାହିଁକି ଅନୁମତି ମାଗିଲେ ଟାଟା ପାୱାର ? ଏହି ପ୍ରଶ୍ନ ଭିତରୁ ବାହାରି ପଡିଲା ଶକ୍ତି ବିଭାଗ, ଶକ୍ତି ସଚିବ ଏବଂ ଶକ୍ତିମନ୍ତ୍ରୀଙ୍କ ଅସଲ ସରୂପ।

ଟାଟା ପାଓ୍ବାର ପକ୍ଷରୁ ସ୍ପଷ୍ଟ କରିଦିଆଗଲା ଯେ, ସେମାନେ ସ୍ମାର୍ଟ ମିଟର ପାଇଁ ସରକାରଙ୍କ ପାଖକୁ ଯାଇନାହାଁନ୍ତି କିମ୍ବା କୌଣସି ଅନୁମତି ମାଗିନାହାଁନ୍ତି । ସରକାର ତାଙ୍କ ଆଡୁ ଅନୁମତି ଦେଇଛନ୍ତି । ମାଗଣା ମିଟର ଦେବାକୁ କହିଛନ୍ତି। ସରକାରଙ୍କ ପ୍ରତିନିଧି ପଡ଼ିଗଲେ ଅଡୁଆରେ। କ’ଣ କହିବେ ? ସେମାନେ ଏହାର ଜବାବ ଦେଲେ ନାହିଁ । ପକ୍ଷ ରଖିଲେ ନାହିଁ । ଟାଟା ପାୱାର ମନ୍ତବ୍ୟକୁ ଖଣ୍ଡନ ବି କରିପାରିଲେ ନାହିଁ । ରହସ୍ୟପେଡି ଖୋଲିଗଲା କି ନାହିଁ ?

ପୂର୍ବତନ ମୁଖ୍ୟ ସଚିବ ତଥା ଉପଭୋକ୍ତାମାନଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ବିଜୟ ପଟ୍ଟନାୟକ ତୁରନ୍ତ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ ଯେ, ଟାଟା ପାୱାରର ସ୍ପଷ୍ଟୀକରଣକୁ ରେକର୍ଡରେ ସ୍ଥାନ ଦିଆଯାଉ। ତାହା ହିଁ ହେଲା।

ଉପଭୋକ୍ତାଙ୍କ ପ୍ରତିନିଧ ଜାଣିବାକୁ ଚାହିଁଥିଲେ ଯେ, ଯଦି ସେମାନେ ମିଟର ଲଗାଇବାକୁ ଚାହାଁନ୍ତି ତେବେ କାହିଁକି ଅନୁମତି ମିଳୁନାହିଁ ? ଅଧ୍ୟକ୍ଷ ବି ଜାଣିବାକୁ ଚାହିଁଥିଲେ ଯେ, ଅନେକ ରାଜ୍ୟରେ ସିଇଏ ଓ ବିଆଇଏସ୍ ମାନକ ମିଟର ପ୍ରଚଳିତ ଥିବା ବେଳେ ଓଡ଼ିଶାରେ ଭିନ୍ନ ଷ୍ଟାଣ୍ଡାର୍ଡ କାହିଁକି ? ଏହାର ଜବାବ ନଦେଇ ଟାଟା ପାଓ୍ବାର ଏବଂ ଶକ୍ତି ବିଭାଗର ପ୍ରତିନିଧିମାନେ ଚୁପ୍ ରହିଥିଲେ।

ଏଥିରେ ସ୍ପଷ୍ଟ ହୋଇଗଲା ଯେ, ଟାଟା ପାଓ୍ବାର ନୁହେଁ ରାଜ୍ୟ ସରକାର ସ୍ମାର୍ଟ ମିଟର ପାଇଁ ଅସମ୍ଭବ ଆଗ୍ରହ ଦେଖାଇଛନ୍ତି। କାହା ସାର୍ଥରେ ? ଏଥିରେ ଲାଭବାନ କେଉଁମାନେ ? ମାଗଣା ଦିଆଯାଉଛି ବୋଲି କହି ରାଜକୋଷ ଲୁଟିବା ପାଇଁ କେଉଁମାନେ ଏତେ ଛଟପଟ ? ଏହା ଲୋକ ସରକାରଙ୍କର ଲକ୍ଷଣ କି ?

୮୦୦ଟଙ୍କା ଖର୍ଚ୍ଚରେ ପୁରୁଣା ଡିଏଲଏମଏସ୍ ମିଟରକୁ ସ୍ମାର୍ଟ ମିଟରେ ପରିଣତ କରାଯାଇପାରିବ । କିନ୍ତୁ ସରକାର ଏତେ ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ମିଟର କିଣିବେ କାହିଁକି ? ଏଥିପାଇଁ ଟେଣ୍ଡର ଡକାଯାଇଛି କି ? କେଉଁ କମ୍ପାନୀକୁ ଆଖ୍ରେ ରଖ୍ ଏଭଳି ଟଙ୍କା ଲୁଟର ଯୋଜନା ହୋଇଛି ? ଫିଲିଂ ଚାର୍ଜ ବାବଦରେ ଏତେ ଅଧିକ ଅନୁଗ୍ରହ ଟାଟା ପାୱାରକୁ ଦେବା ଲାଗି ଏହି ସରକାର ବ୍ୟଗ୍ର କାହିଁକି ?

ଗୋଟିଏ ବିଷୟ ଅତ୍ୟନ୍ତ ସ୍ପଷ୍ଟ ଯେ, ସ୍ମାର୍ଟ ମିଟର ସ୍କାମର ସ୍ରଷ୍ଟା ଓ ଉପଭୋକ୍ତା ଉଭୟ ରାଜ୍ୟ ସରକାର। ସରକାର ଭିତରୁ ପୁଣି କିଏ ଏହି ସ୍କାମର ସୂତ୍ରଧର ତାହା ଆଉ ବୁଝି ବାକୁ ବାକି ନାହିଁ ।

Leave a Reply

Your email address will not be published. Required fields are marked *