ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଏବଂ ଏହାର ପରବର୍ତ୍ତୀ ସ୍ଥିତିକୁ ନେଇ ଆଜି ରାଜୀବ ଭବନରେ ଏକ ଜରୁରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବାତ୍ୟା ପ୍ରଭାବରେ ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଗଞ୍ଜାମରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ବିଶେଷ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବାରୁ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏୟାରଲିଫ୍ଟ ବ୍ୟବସ୍ଥା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମର ୪ଟି ସ୍ଥାନରୁ ମୋଟ ୧୨୦ ଜଣ ପ୍ରଭାବିତ ଲୋକଙ୍କୁ ଏୟାରଲିଫ୍ଟ କରାଯିବ। ଏହି ଉଦ୍ଧାର କାର୍ଯ୍ୟ ପାଇଁ ଗୃହ ମନ୍ତ୍ରାଳୟ ସହ ଆଲୋଚନା କରାଯାଇଥିବାବେଳେ କୋଷ୍ଟଗାର୍ଡ ହେଲିକପ୍ଟର ସାହାଯ୍ୟରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥି ସହିତ ସେ ଆଉ ମଧ୍ୟ କହିଛନ୍ତି ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଶ୍ରୀକାକୁଳମ ନିକଟରେ ରେଳବାଇ ବ୍ରିଜ୍ ଉପରେ ପାଣି ଚାଲିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ ବିଭାଗ ସହିତ କ୍ରମାଗତ ଯୋଗାଯୋଗରେ ଥିବା ବେଳେ ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। Post navigation Cyclone Arnab Impact: ‘ଅର୍ଣ୍ଣବ’ ବାତ୍ୟା ପ୍ରଭାବ: ଗଞ୍ଜାମର ପାତ୍ରପୁରରେ ସର୍ବାଧିକ ୫୪୬ ମିମି ବର୍ଷା ରେକର୍ଡ