ବାଲେଶ୍ୱର ଫକୀର ମୋହନ ୟୁନିଭର୍ସିଟିରେ କଲେଜ କ୍ୟାମ୍ପସରେ ନିଜ ଦେହରେ ନିଆଁ ଲଗାଇ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଚ୍ଚ ଶିକ୍ଷା ବିଭାଗ ଆଜି ବଡ଼ ପଦକ୍ଷେପ ନେଇଛି । ବାଲେଶ୍ୱର ଘଟଣାରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ, ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି ଗଠନ ହୋଇଛି । ଅଭିଯୁକ୍ତଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ହେବ ଯେପରି ଆଉ କେହି ସାହସ କରିବେନି ବୋଲି ସୂର୍ଯ୍ୟବଂଶୀ କହିଛନ୍ତି । ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଓ ବିଭାଗୀୟ ଏଚଓଡି ସମୀର ସାହୁଙ୍କୁ ନିଲମ୍ବନ କରାଯିବା ସହ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କୁ ଗିରଫ କରିଛି ପୋଲିସ । ସମୀର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଲେ ବାଲେଶ୍ୱର ଏସ୍ପି । ସବୁ ଦିଗରୁ ତଦନ୍ତ ଚାଲିଛି, ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଇଣ୍ଟରନାଲ୍ କମିଟି କ’ଣ ନିଷ୍ପତ୍ତି ନେଇଥିଲା, ତର୍ଜମା ଚାଲିଛି । ଯାହାର ବି ତ୍ରୁଟି ସାମ୍ନାକୁ ଆସିବ, କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍ପି କହିଛନ୍ତି । ସୂଚନା ଅନୁଯାୟୀ, ଅଧ୍ୟାପକ ଜଣକ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଛାତ୍ରୀ ଜଣକ ଅଭିଯୋଗ କରିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଲାନାହିଁ ତେଣୁ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ପୀଡ଼ିତା ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ, ଆତ୍ମାହୂତି ଯୋଗୁଁ ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଛି । Post navigation ସୁସ୍ଥ ହୋଇ ଓଡିଶା ଫେରିଲେ ନବୀନ ପଟ୍ଟନାୟକ ବାଲେଶ୍ୱର ଛାତ୍ରୀ ଆତ୍ମହୂତି ଉଦ୍ୟମ ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେଡି