ଶଙ୍ଖ ଭବନରେ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ସମାବେଶ ଅନୁଷ୍ଠିତ ହୋଇଛି। ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଓ ରାଜ୍ୟ ନେତୃବୃନ୍ଦକୁ ସମ୍ବୋଧିତ କରିବା ଅବସରରେ ବିଜେପିର ମିଛକୁ ପର୍ଦ୍ଦାଫାସ କରିବାକୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ମିଛ ବିଜେପିର ସବୁଠାରୁ ବଡ଼ ପରିଚୟ ବୋଲି କହିଥିଲେ। ବିଜେପି ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି।

ଶ୍ରୀ ପଟ୍ଟନାୟକ କହିଲେ ଯେ, ନିର୍ବାଚନ ବେଳେ ସାରା ଦେଶରୁ ବିଜେପିର ବଡ଼ ବଡ଼ ନେତା ଓଡିଶା ଆସିଲେ, ହାତୀ ଦେବୁ ଘୋଡା ଦେବୁ କହିଲେ। କିନ୍ତୁ କାମରେ ଜିରୋ। ଏ ସମ୍ପର୍କରେ ସୂଚନା ଦେଇ ସେ କହିଲେ ଯେ, ବିଜେପି ସୁଭଦ୍ରା ଯୋଜନାରେ ଦୁଇ ବର୍ଷରେ ସବୁ ମା’ଙ୍କୁ ୫୦ ହଜାର ଟଙ୍କା ଦେବ ବୋଲି କହିଥିଲେ। କିନ୍ତୁ ଏବେ ଅଳ୍ପ କିଛି ମା’ମାନଙ୍କୁ ସୁଭଦ୍ରା ଯୋଜନାରେ ୬ ମାସରେ ଦେବେ ମାତ୍ର ପାଞ୍ଚ ହଜାର ଟଙ୍କା। ସେହିପରି ୩୦୦ ୟୁନିଟ ମାଗଣା ବିଜୁଳି ମଧ୍ୟ ମିଛ। ମା’ ଓ ସାଧାରଣ ଲୋକଙ୍କ ବିଶ୍ୱାସ ସହ ବିଜେପି ଖେଳିବା ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ରାଜ୍ୟର ପ୍ରତି ଘରେ ବିଜେପିର ମିଛ ଆସିବା ଦରକାର।

ସାରା ଦେଶରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ଘଟଣାରେ ଚିନ୍ତା ପ୍ରକଟ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମ ସଂସ୍କୃତିରେ ମା’ମାନଙ୍କୁ ଆମେ ଦେବୀ ଭାବରେ ପୂଜା କରୁ। ତେଣୁ ମା’ମାନଙ୍କ ଉପରେ ଅତ୍ୟାଚାର ଇଶ୍ୱରଙ୍କ ସହ ଦ୍ରୋହ, ମାନବିକତା ବିରୁଦ୍ଧରେ ଦ୍ରୋହ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏଭଳି ଅପରାଧୀଙ୍କୁ କଠୋର ରୁ କଠୋରତମ ଦଣ୍ଡ ଦେବା ଉପରେ ସେ ଗୁରୁତ୍ୱଆରୋପ କରିଥିଲେ। ଅତ୍ୟାଚାରର ଶିକାର ହେଉଥିବା ମହିଳାମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦଳର ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ। ଆମ ସମସ୍ତଙ୍କ ସାମୁହିକ ଉଦ୍ୟମ ହିଁ ମା’ମାନଙ୍କ ପାଇଁ ଏକ ନିରାପଦ ଦୁନିଆ ସ୍ଥାପନ କରିବାରେ ସହାୟକ ହେବ ବୋଲି ଆଶା କରିଥିଲେ।ସାରା ଦେଶରେ ମହିଳା ସଶକ୍ତିକରଣର ମୂଳଦୁଆ ବିଜୁ ବାବୁ ହିଁ ପକାଇଥିଲେ ବୋଲି ଶ୍ରୀ ପଟ୍ଟନାୟକ ସ୍ମରଣ କରାଇଦେବା ସହ ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସ୍ୱର ହୋଇ ରହିଛି ଓ ରହିବ ବୋଲି କହିଥିଲେ।

ଲୋକସଭା ଓ ବିଧାନସଭାମାନଙ୍କରେ ମହିଳାମାନଙ୍କ ସ୍ଥାନ ସଂରକ୍ଷଣ ବିଷୟରେ ବିରୋଧୀ ଦଳ ନେତା କାହିଥିଲେ ଯେ ଶେଷରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ଆସିପାରେ ବୋଲି ଆଶା କରାଯାଉଛି। ତେଣୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଉଚିତ ଏବଂ ଆମର ସଦସ୍ୟତା ଅଭିଯାନ ଅଧିକରୁ ଅଧିକ ମହିଳାଙ୍କୁ ପଞ୍ଜୀକୃତ କରିବା ଉପରେ ଧ୍ୟାନ ଦେବା ଉଚିତ। ଦଳୀୟ ସଂଗଠନରେ ମହିଳାମାନଙ୍କୁ ଅଧିକ ଦାୟିତ୍ୱ ଦେବି।

କାର୍ଯ୍ୟକ୍ରମରେ ବିଧାୟିକା ପ୍ରମିଳା ମଲ୍ଲିକ, ଦେବୀପ୍ରସାଦ ମିଶ୍ର ପ୍ରମୁଖ ଉଦବୋଧନ ଦେଇଥିଲେ। ପୂର୍ବତନ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ସ୍ୱାଗତ ଭାଷଣ ଦେଇଥିଲେ।

Leave a Reply

Your email address will not be published. Required fields are marked *