ମାଲକାନଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ରାଜନୀତିର ଜଣେ ପରିଚିତ ଚେହେରା ଆଦିତ୍ୟ ମାଢ଼ି (୫୧)ଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି। ସାରା ଓଡ଼ିଶା ସମେତ ମାଲକାନଗିରିବାସୀଙ୍କ ସ୍ୱାର୍ଥ ପାଇଁ ସର୍ବଦା ଚିନ୍ତିତ ଓ କାର୍ଯ୍ୟ କରୁଥିବା ସ୍ୱର୍ଗତ ମାଢ଼ିଙ୍କ ଅକାଳ ବିୟୋଗ ବିଜେପି ପାଇଁ ଅପୂରଣୀୟ କ୍ଷତି। ଦଳକୁ ତୃଣମୂଳସ୍ତରରେ ସାଂଗଠନିକ କାର୍ଯ୍ୟକୁ ସୁଦୃଢ କରିବାରେ ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇରହିବ। ସ୍ୱର୍ଗତ ମାଢ଼ିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ସଭାପତି ଶ୍ରୀ ମନମୋହନ ସାମଲ ।

ଏମ୍ସ ହସ୍ପିଟାଲରେ ସ୍ୱର୍ଗତଃ ମାଢ଼ିଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ କାର୍ଯ୍ୟାଳୟରେ ତାଙ୍କ ପାର୍ଥିବ ଶରୀରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦଳୀୟ ପତାକା ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, କ୍ରୀଡାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ପରିବେଶ ସୁରକ୍ଷା ମନ୍ତ୍ରୀ ଗଣେଶରାମ ସିଂଖୁଂଟିଆ, ପୂର୍ବତନ ବିଧାୟିକା କୁସୁମ ଟେଟେ, ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସାଧାରଣ ସମ୍ପାଦକ ଶାରଦା ଶତପଥୀ, ପୂର୍ବତନ ସଂଗଠନ ସମ୍ପାଦକ ପ୍ରସନ୍ନ ମିଶ୍ର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ୱର୍ଗତ ମାଢ଼ିଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମସ୍ଥାନ ମାଲକାନଗିରି ଜିଲ୍ଲାକୁ ଅଣାଯାଇ ଶେଷକୃତ୍ୟ ସଂପନ୍ନ କରାଯିବ।

Leave a Reply

Your email address will not be published. Required fields are marked *