ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି କୋରାପୁଟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଥିରେ ବିଧାୟକ ରୁପୁ ଭତ୍ରା, ବିଧାୟକ ରଘୁରାମ ମାଛ, ରାଜ୍ୟ ସାଧାରଣ ସମ୍ପାଦକ ପୂର୍ଣ୍ଣିମା କେର୍‌କେଟା, ରାଜ୍ୟ ସମ୍ପାଦକ ପୂର୍ଣ୍ଣମା ନାୟକ, ଜନସୂଚିତ ଜାତି ଓ ଜନଜାତିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କାଳିରାମ ମାଝି, କୋରାପୁଟ୍ ଜିଲା ସଭାପତି ସୁମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟରେ ବିଜେପିର ପ୍ରଥମ ସରକାର ଏକ ନୂତନ ରାଜନୈତିକ ସଂସ୍କୃତି ପ୍ରତିଷ୍ଠା କରିଛି । ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ଯାହା ଯାହା ପ୍ରତିଶ୍ରୁତି ଦେଇଥିଲା, ପ୍ରାୟ ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ପାଇଁ ପ୍ରଥମ ବଜେଟ୍‌ରେ ହିଁ ବ୍ୟୟବରାଦ କରି ବିଜେପି ଏକ ନୂତନ ପରମ୍ପରା ସୃଷ୍ଟି କରିଛି । ଗତ ସରକାର ଯେଉଁ ବଜେଟ୍ ପ୍ରସ୍ତୁତ କରୁଥିଲା, ସେଥିରୁ ଚଳିତବର୍ଷ ବଜେଟ୍ ୧୫% ଅଧିକ ବଢ଼ିଛି । ଓଡ଼ିଶାର ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ନୂଆ ସରକାରର ପ୍ରଥମ ବଜେଟ ବିକଶିତ ଓଡିଶାର ମୂଳଦୁଆ ସ୍ଥାପନା କରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

ଶ୍ରୀ ସାମଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ”କୁ ଆଧାର କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ବଜେଟ୍ ଉପସ୍ଥାପନ କରିଛନ୍ତି । ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ମୋଟ ୨ଲକ୍ଷ ୬୫ହଜାର କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି । ବିଜେପି ସରକାର ପ୍ରଥମ ବଜେଟ୍‌ରେ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇଛି । ସ୍କୁଲ୍ ଡ୍ରପଆଉଟ୍ ବନ୍ଦ କରିବା, ଉପସ୍ଥାପନ ବଢ଼ାଇବା ଓ ସବୁ ସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତିକୁ ପ୍ରାଧାନ୍ୟ ଦିଆଯାଇଛି । ତୁରନ୍ତ ୧୬୦୦୦ ଶିକ୍ଷକ ପଦବୀ ପୂରଣ ପାଇଁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି । ଏହାପରେ ସବୁ ସ୍କୁଲରେ ଯେପରି ଶିକ୍ଷକ ଅଭାବ ଦୂରହେବ ସେଥିପ୍ରତି ଲକ୍ଷ୍ୟ ରଖାଯାଇଛି ।

ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ବଜେଟ୍‌ରେ ଗୁରତ୍ୱାରୋପ କରାଯାଇଛି । ପିଡିଏସ୍ (ପବ୍ଲିକ ଡିଷ୍ଟିବ୍ୟୁସନ ସିଷ୍ଟମ୍‌)କୁ ତ୍ୱରାନ୍ୱିତ କରିବା ଉପରେ ଜୋର୍ ଦିଆଯାଇଛି । ଓଡ଼ିଶାରେ ୩.୨୫ କୋଟି ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ନେଉଛନ୍ତି । ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ବଜେଟ୍‌ରେ ଠେଲା ଦୋକାନୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀଙ୍କ ବିକାଶ ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ଏନେଇ ବିଭିନ୍ନ ଯୋଜନା ତ୍ୱରାନ୍ୱିତ କରାଯାଇଛି ।
ଚଳିତ ବଜେଟ୍‌ରେ “କିଶାନ ସମ୍ମାନ ଯୋଜନା” ପାଇଁ ସର୍ବାଧିକ ବ୍ୟବସ୍ଥା କରାଯାଇଛି । ଏଥିରେ ୬ ଲକ୍ଷରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଏଣିକି ଚାଷୀମାନେ ଧାନ କୁଇଣ୍ଟାଲ ପିଛା ଓଡିଶାରେ ୩୧ଶହ ଟଙ୍କା ପାଇବେ । କେନ୍ଦ୍ରୀୟ ବଜେଟରେ ମଧ୍ୟ ଓଡ଼ିଶାର ଆର୍ଥିକ ସ୍ଥିତିକୁ ମଜବୁତ୍ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

କେନ୍ଦ୍ର ବଜେଟ୍ ଓଡ଼ିଶା ପାଇଁ ଐତିହାସିକ ବଜେଟ୍ ହୋଇଛି । ୧୦ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେବଳ ରେଳ ଲାଇନ୍‌ର ବିକାଶ ପାଇଁ କରାଯାଇଛି । ଓଡ଼ିଶାର ସବୁ ଜିଲ୍ଲାରେ ରେଲ୍‌ୱେ ଲାଇନ ହେବ । ସେ ଦୃଷ୍ଟିରୁ ମାଲକାନ୍‌ଗିରି ଜିଲାରେ ଯୁଦ୍ଧକାଳୀନ ଭିତିରେ ରେଳ ଲାଇନ୍ ପାଇଁ ସମ୍ପୂର୍ଣ୍ଣ ବ୍ୟୟବରାଦ କରାଯାଇଛି । ସେହିପରି ମେଟ୍ରୋ ରେଳ ପାଇଁ ୧ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଭିତିଭୂମିର ଅଭିବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । କୋରାପୁଟରୁ ଆରମ୍ଭ କରି ଓଡ଼ିଶାର ସବୁ ଅଂଚଳରେ ପର୍ଯ୍ୟଟନକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଆମ ସରକାର ସଂକଳ୍ପ ନେଇଛି । ଦେଓମାଳିଠୁ ଆରମ୍ଭ କରି ଗୋପାଳପୁର, ତାଳସାରୀ ପର୍ଯ୍ୟନ୍ତ ସବୁ ଅଂଚଳକୁ ବିକଶିତ କରାଯିବ । ଚିଲିକାକୁ ପର୍ଯ୍ୟଟନ କେନ୍ଦ୍ର କରାଯିବ । ଓଡ଼ିଶାରେ କୋଷ୍ଟାଲ ହାଇୱେ ଘୋଷଣା କରି ଉପକୂଳବର୍ତୀ ଅଂଚଳ ଗୁଡ଼ିକର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି ।

ରାଜ୍ୟ ସରକାର ଯେତେ ମେଡିକାଲ କଲେଜ ଖୋଲିବାକୁ ଆବେଦନ କରିଥିଲେ କେନ୍ଦ୍ର ସେସବୁକୁ ଅନୁମୋଦନ କରିଦେଇଛନ୍ତି । ଆଗାମୀ ଦିନରେ ଓଡ଼ିଶାରେ ଶିଳ୍ପର ଅଭିବୃଦ୍ଧି କରାଯିବ । ଓଡ଼ିଶାର ଯୁବକମାନଙ୍କୁ ଦାଦନ ଖଟିବାକୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । ସେମାନେ ଓଡ଼ିଶାରେ ହିଁ କର୍ମସଂସ୍ଥାନ ପାଇପାରିବେ । ବିକଶିତ ଓଡ଼ିଶା ଗଠନର ଏହାର ପ୍ରଥମ ସୋପାନ ହେବ । ସଂକଳ୍ପପତ୍ରରେ ଯାହା ସବୁ ଉଲ୍ଲେଖ ଅଛି ତାହା ଏହି ବଜେଟ୍‌ରେ ପ୍ରତିଫଳନ ହୋଇଛି । ୧୦୦ ଦିନ ମଧ୍ୟରେ ଏହାର କ୍ରିୟାନ୍ୱୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । ଏଭଳି ଲୋକାଭୁମୁଖୀ ବଜେଟ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଶ୍ରୀ ସାମଲ ଧନ୍ୟବାଦ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *