ଓଡ଼ିଶାରୁ ଚୋରା ଚାଲାଣ ବେଳେ ଉଦ୍ଧାର କରାଯାଇଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ଇଣ୍ଡୋନେସିଆକୁ ପ୍ରତ୍ୟାବର୍ତ୍ତନ କରାଇବା ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି। ଜାକର୍ତ୍ତା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜାରି ସୂଚନାରୁ ଏହି ତଥ୍ୟ ସ୍ପଷ୍ଟ ହୋଇଛି। ସମ୍ପୃକ୍ତ ଓରାଙ୍ଗଉଟାନ୍ ଶାବକମାନଙ୍କ ପ୍ରଜାତି ଏବଂ ସେମାନଙ୍କ ଉତ୍ପତ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ନିଶ୍ଚିତ ହେବା ଜରୁରୀ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ସମସ୍ତ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଏବଂ ନିୟମାବଳୀ ପୂରଣ ହେବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏହି ପ୍ରକ୍ରିୟାରେ ସହଯୋଗ କରିବା ଏବଂ ପ୍ରାଣୀମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଇଣ୍ଡୋନେସିଆରୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଓଡ଼ିଶା ଆସିବେ। ସୂଚନା ଅନୁଯାୟୀ; କିଛି ଦିନ ତଳେ ଓଡ଼ିଶାର ବାଲେଶ୍ୱର ଅଞ୍ଚଳରୁ ବନ୍ୟପ୍ରାଣୀ ଚୋରା ଚାଲାଣକାରୀଙ୍କ ହାତରୁ ଏହି ୫ଟି କୋମଳ ଓରାଙ୍ଗଉଟାନ୍ ଶାବକଙ୍କୁ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ପରିବେଶରେ ରଖାଯାଇଛି। ଶାବକମାନଙ୍କୁ ସୁରକ୍ଷିତ ଭାବେ ନିଜ ପ୍ରାକୃତିକ ପରିବେଶକୁ ଫେରାଇ ନେବା ପାଇଁ ସେମାନଙ୍କର ପ୍ରଜାତି ଏବଂ ମୂଳ ଉତ୍ପତ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ସ୍ପଷ୍ଟତା ଆଣିବା ଜରୁରୀ ଅଟେ। ଏଥିସହିତ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଓ ନିୟମାବଳୀର ସମସ୍ତ ପ୍ରକ୍ରିୟା ପୂରଣ କରାଯିବ। ଏହି କାର୍ଯ୍ୟରେ ସହଯୋଗ କରିବା ଏବଂ ଶାବକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଏକ ବିଶେଷ ଦଳ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। Post navigation India Chem 2026: ଇଣ୍ଡିଆ କେମ୍-୨୦୨୬ର ଉଦ୍ଘାଟନୀ ଅଧିବେଶନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ