କୋଲକାତାର ଟ୍ରେଡିଂ କମ୍ପାନୀ ଓଡ଼ିଶା ମୁଖ୍ୟ ଈଶ୍ବର ବିନ୍ଧାଣୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଟିମ୍‌ର ଚଢ଼ାଉ । ୭୦ କୋଟିରୁ ଅଧିକ ଟଙ୍କାର ଏକ ବିରାଟ ଆର୍ଥିକ ଠକେଇ ମାମଲାରେ ବୁଧବାର ସକାଳୁ ସକାଳୁ ଇଡି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ବିଷୋଳ ଗ୍ରାମର ଈଶ୍ୱର ବିନ୍ଧାଣୀଙ୍କ ବାସଭବନରେ ଏହି ଚଢ଼ଉ କରାଯାଇଛି। ଦୁଇଜଣ ବ୍ୟାଙ୍କ ଅଧିକାରୀ ଏବଂ ପୋଲିସ ଟିମକୁ ସାଙ୍ଗରେ ଧରି ତିନିଜଣିଆ ଇଡି ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍ ଭୋରୁ ହିଁ ଉକ୍ତ ଘରେ ପହଞ୍ଚି ଛାନ୍‌ଭିନ୍ ଚଳାଇଛନ୍ତି।

​ତଦନ୍ତରୁ ଜଣାପଡ଼ିଛି ଯେ, ଈଶ୍ୱର ବିନ୍ଧାଣୀ କୋଲକାତାର ଏକ ପ୍ରମୁଖ ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ। ସେ ସାଧାରଣ ଲୋକଙ୍କୁ ଅଧିକ ଲାଭର ପ୍ରଲୋଭନ ଦେଖାଇ ମୟୂରଭଞ୍ଜ ସମେତ କଟକ, ଭୁବନେଶ୍ୱର ଏବଂ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୭୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରି ଠକି ନେଇଥିବା ନେଇ ଅଭିଯୋଗ ହୋଇଛି।

​ଏହି ଆର୍ଥିକ ଠକେଇ ସଂକ୍ରାନ୍ତରେ ପୂର୍ବରୁ ଅନେକ ଅଭିଯୋଗ ଦାଖଲ ହୋଇଥିଲା। ଏହି ଅଭିଯୋଗଗୁଡ଼ିକୁ ଆଧାର କରି ଇଡି ନିଜର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା ଏବଂ ଶେଷରେ ବିନ୍ଧାଣୀଙ୍କ ଘରେ ଏହି ରେଡ୍‌ କରାଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ତଲାସୀ ଅଭିଯାନ ଜାରି ରହିଥିବା ବେଳେ ଏହି ଚଢ଼ଉରୁ କ’ଣ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ କାଗଜପତ୍ର ମିଳୁଛି ଏବଂ ତଦନ୍ତକାରୀ ସଂସ୍ଥାର ପରବର୍ତ୍ତୀ ଆକ୍ସନ କ’ଣ ରହିବ, ସେ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *