ବିଜେଡ଼ି ନେତା ଭିକେ ପାଣ୍ଡିଆନ୍‌ଙ୍କ ବିରୋଧରେ ଇଡ଼ିରେ ଅଭିଯୋଗ ହୋଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଅଭିଯୋଗ ହୋଇଛି। ଓଡ଼ିଆ ଅସ୍ମିତାକୁ ନଷ୍ଟ କରିଥିବା ଏବଂ ଓଡ଼ିଶାରୁ ୫୦ ହଜାର କୋଟି ଲୁଟି ନେଇଥିବା ଅଭିଯୋଗରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଗିରଫ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ କାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ନିକଟରେ ଅଭିଯୋଗ କରାଯାଇଛି। ଦିଲ୍ଲୀସ୍ଥିତ ଇଡ଼ି ମୁଖ୍ୟ କାର୍ଯ୍ୟାଳୟରେ ଏହି ଅଭିଯୋଗ କରାଯାଇଛି।

ଶ୍ରୀଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଅଭିଯୋଗରେ ଦର୍ଶାଇଛନ୍ତି, ପଣ୍ଡିଆନ୍ କ୍ଷମତାର ଅପବ୍ୟବହାର କରି ଓଡ଼ିଶାର ଶାସନ ବ୍ୟବସ୍ଥାକୁ କବଜା କରି ବ୍ୟାପକ ଦୁର୍ନୀତି କରିଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ସେହିପରି ପୁରୀରେ ଶ୍ରୀମନ୍ଦିର ପ୍ରକଳ୍ପ ଆଳରେ ୪ ହଜାର ୨୦୦ କୋଟି ଟଙ୍କାର ହେରଫେର କରିଛନ୍ତି। ଏପରିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦ୍ୱାର ଦ୍ୱାର ବୁଲି ଭିକ ମଗାଇ ୧୫୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହାକୁ ନେଇ ଅଗଣିତ ଜଗନ୍ନାଥପ୍ରେମୀଙ୍କ ହୃଦୟରେ ଆଘାତ ଲାଗିଛି। ଖଣି, ନଗର ଉନ୍ନୟନ, ଅବକାରୀ, ରାଜସ୍ବ ତଥା ଅନେକ ବିଭାଗରେ ସେ ତାଙ୍କ ସହଯୋଗୀଙ୍କ ସହ ବ୍ୟାପକ ଅର୍ଥ ଦୁର୍ନୀତି କରିଛନ୍ତି । ତେଣୁ ପାଣ୍ଡିଆନଙ୍କୁ ଗିରଫ କରିବା ପାଇଁ ପଟ୍ଟନାୟକ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *