ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ଆଜି ଗୃହରେ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ପରେ ଏହାକୁ କେନ୍ଦ୍ର କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ । ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ ।ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା, ଦୁର୍ନୀତି ଭରି ରହିଥିଲା । ଦାୟିତ୍ୱରେ ରହୁଥିବା ଅଧିକାରୀ ପରୀକ୍ଷାପତ୍ର ପ୍ରଘଟ ରାକେଟରେ ସମ୍ପୃକ୍ତ ରହୁଥିଲେ । ନିଯୁକ୍ତିକୁ ପୂର୍ବ ସରକାର ସାଧାରଣ ଭାବେ ନେଉଥିଲେ । ଯେଉଁ ଅଧିକାରୀ ଦାୟିତ୍ୱରେ ରହୁଥିଲେ ସେ ନିଜେ ପରୀକ୍ଷା ପତ୍ର ପ୍ରଘଟ ରାକେଟରେ ସଂପୃକ୍ତ ରହୁଥିଲେ। ଯାହାର ଉଦାହରଣ ୨୦୨୩ ମସିହାର ଜେଇଇ ପରୀକ୍ଷା ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି କେବଳ ଜେଇଇ ପରୀକ୍ଷା ନୁହେଁ ଏଏସଓ ନିଯୁକ୍ତିରେ ହୁଣ୍ଡା ମୂଲ୍ୟରେ ଡାକି ନିଯୁକ୍ତି ଦେଇଥିଲେ ପୁର୍ବ ସରକାର। ୨୫-୩୦ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା ଏଏସଓ ଚାକିରି । ଯଦି ଚାହିଁବେ ସେମାନେ ଏ ଗୃହରେ ବି ଆସିବେ କହିବେ । ସରକାରଙ୍କ ନାକ ତଳେ ହେଉଥିଲେ ସୁଦ୍ଧା ଚୁପ୍ କାହିଁ ଥିଲେ ପୂର୍ବ ସରକାର ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବ ସରକାରଙ୍କ ଉପରେ ଥିଲେ ରାକେଟ ବେପାରୀ । ଛାତ୍ରଛାତ୍ରୀମାନଙ୍କ ପରିବାର ନିଜ ଦୁଃଖକୁ ଚାପି ରଖି ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଜମି ବିକି ବି ପିଲାଙ୍କୁ କୋଚିଂରେ ପଢ଼ାଉଥିଲେ କିନ୍ତୁ ନିଯୁକ୍ତି ବେଳକୁ ସେମାନଙ୍କୁ ଦିଆଗଲା ନାହିଁ । ଅଯୋଗ୍ୟଙ୍କୁ ଯୋଗ୍ୟ ବନାଇ ନିଯୁକ୍ତି ଦେଉଥିଲେ ପୂର୍ବ ସରକାର । ପିଲାଙ୍କ ଭବିଷ୍ୟତ ଅନ୍ଧାରରକୁ ଠେଲି ପୂର୍ବ ସରକାର । କିନ୍ତୁ ଏବେ ସେହି ଭଳି କିଛି ହେବାକୁ ଦବୁନି । ଏଥିପାଇଁ ଏହି ଆଇନ ଆସିବାର ଆବଶ୍ୟକ ରହିଛି । ସ୍ୱଚ୍ଛତା ଓ ସାଧୁତା ଆମ ସରକାରର ଦାୟିତ୍ୱ। ଆମେ ରାଜ୍ୟବାସୀଙ୍କୁ ଦେଇଥିବା  ପ୍ରତିଶ୍ରୁତି ପାଳନ କରିବୁ।  ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ଦିଆଯିବ ।ଖାଲି ଥିବା ସମସ୍ତ ପଦବୀ ପୂରଣ ହେବ ।

ଏହା ସହ ଦୁର୍ନୀତିଖୋର, ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ଚେତାବନୀ ଦେଇ କହିଛନ୍ତି ଅପରାଧୀ ସୁଧୁରି ଯାଅ ନ ହେଲେ ସୁଧାରି ଦେବୁ । ଗତ ସରକାରରେ ହୋଇଥିବା ଅପରାଧର ଏବେ ଇତିଶ୍ରୀ ହୋଇସାରିଛି । ସ୍ଵଚ୍ଛତା ଓ ସାଧୁତା ଆମ ସରକାର ଦାୟିତ୍ଵ ।

Leave a Reply

Your email address will not be published. Required fields are marked *