ଶ୍ରୀନଗର-ଲେହ ଜାତୀୟ ରାଜପଥର ଜୋଜିଲାପାଦଦେଶରେ ଅବସ୍ଥିତ ଗଗନଗିର ସୋନମର୍ଗଠାରେ ଥିବା ଜାଡମୋର ଟନେଲ ପ୍ରକଳ୍ପରେ ନିର୍ମାଣଧିନ ଟନେଲ ନିକଟରେ ଶ୍ରମିକଙ୍କ ଶିବିର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।

ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ମଧ୍ୟରେ ୫ ଜଣ ବାହାର ରାଜ୍ୟର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ ଜଣ ଅଧିକାରୀ ଓ ୩ ଜଣ ଶ୍ରମିକ ବୋଲି ସୂଚନା ମିଳିଛି । ଏହାଛଡା ଆକ୍ରମଣରେ ଜଣେ ଡାକ୍ତରଙ୍କ ମଧ୍ୟ ମୃତ୍ୟୁ ହୋଇଛି । ମୃତକ ଡ଼ାକ୍ତରଙ୍କ ସମେତ ୭ ଜଣ ହେଲେ ଡ. ଶାହନୱାଜ, ମେକାନିକାଲ ଇଞ୍ଜିନିୟର ଅନିଲ ଶୁକ୍ଳା , ମହମ୍ମଦ ହନିଫ, କଲିମ, ଜମ୍ମୁର ବାସିନ୍ଦା ଶଶି ଆବ୍ରୋଲ, ବିହାରର ବାସିନ୍ଦା ଫହିମ ନାସିକ ଓ ଗୁରମିତ୍ ସିଂ । ଏବଂ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଶେର-ଏ-କଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ସୌରାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଏହି ଆକ୍ରମଣ ପରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି ସୁରକ୍ଷା କର୍ମୀ । ପୁଲିସ ଓ ସେନା କର୍ମୀ ଶିବିର ଓ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚଳାଇଛନ୍ତି।

ଅନ୍ୟପଟେ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି କହିଛନ୍ତି, ଜମ୍ମୁ-କଶ୍ମୀରର ଗଗନଗିରରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣ ଏକ ଘୃଣ୍ୟ ଘୃଣ୍ୟ କାର୍ଯ୍ୟ। ଏହି ଜଘନ୍ୟ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ସେମାନେ ଆମ ସୁରକ୍ଷା ବାହିନୀର କଠୋର ଜବାବର ସମ୍ମୁଖୀନ ହେବେ। ଏହି ଅତ୍ୟନ୍ତ ଦୁଃଖର ମୁହୂର୍ତ୍ତରେ ମୁଁ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

Leave a Reply

Your email address will not be published. Required fields are marked *