ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପଣ କରିଛନ୍ତି। ସାରା ରାଜ୍ୟରେ 5T ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌ କେନ୍ଦ୍ର ଖୋଲାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଲେ ଯେ ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡିକରେ ମାଗଣାରେ ଚିକିତ୍ସା ଦିଆଯିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ BSKY ନବୀନ କାର୍ଡ ଜରିଆରେ ବର୍ଷକୁ ୪ କୋଟିରୁ ଅଧିକ ଲୋକଙ୍କୁ ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହା ଦ୍ୱାରା ରୋଗ ହେଲେ ଲୋକମାନଙ୍କର ଅର୍ଥ ପାଇଁ ଚିନ୍ତା କରିବାର ସମସ୍ୟା ଦୂର ହୋଇପାରିଛି।

କିଡନୀ ରୋଗର ଚିକିତ୍ସା ବହୁତ ବ୍ୟୟସାପେକ୍ଷ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏସବୁ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଏଣିକି କିଡନୀ ରୋଗୀ ମାନେ ଘର ପାଖରେ ବିନା ମୂଲ୍ୟରେ ଡାଏଲେସିସ୍‌ ସେବା ପାଇ ପାରିବେ।

ସେ କହିଲେ ଯେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୮ରେ ମାଗଣା ଡାଏଲେସିସ୍‌ ସେବା- ସହାୟ ଆରମ୍ଭ ହୋଇଥିଲା। ଏହି ସେବା ଯୋଗାଇ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା।

ପ୍ରଥମ ପର୍ଯ୍ୟାୟରେ ଏହି ସେବା ସମସ୍ତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଆରମ୍ଭ ହୋଇଥିଲା । ଏବେ 5T ଉପକ୍ରମରେ ଏହାକୁ ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନା ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ଉପଜିଲ୍ଲା ସ୍ତରରେ 32 ଟି ଡାଏଲେସିସ୍‌ କେନ୍ଦ୍ର ଖୋଲାଯିବ ମୁଖ୍ୟମନ୍ତ୍ରୀ କହିଛନ୍ତି। ରୋଗୀଙ୍କୁ ମାଗଣା ଡାଏଲେସିସ୍‌ ସେବା ଦେବା ପାଇଁ ରାଜ୍ୟ ସରକାର ବର୍ଷକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଥିଲେ।

ମୋ ପାଇଁ ସବୁ ଜୀବନ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡିକର ରୁପାନ୍ତର କରାଯାଉଛି। ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ରୋଗୀଙ୍କୁ ଭଲ ସେବା ଯୋଗାଇ ଦେବା ପାଇଁ କାମ ଚାଲିଛି।ସେଠାରେ ଧନୀ ଗରିବ ସମସ୍ତ ଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳୁଛି।
ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ଆମର ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ସେ ଦୃଢ ବିଶ୍ବାସ ପ୍ରକଟ କରିଥିଲେ।

ସୂଚନାଯୋଗ୍ୟ ଯେ ପୂର୍ବରୁ ୨୦୧୮ରେ ରାଜ୍ୟ ସରକାର ‘ସହାୟ-ଦେୟମୁକ୍ତ ଡାଏଲେସିସ୍‌ ସେବା’ ଆରମ୍ଭ କରିଥିଲେ। ଏଥିରେ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲ୍ଲା ହେଡକ୍ୱାର୍ଟର୍ସ ହସ୍ପିଟାଲରେ ୩୬ଟି ଡାଏଲେସିସ୍‌ କେନ୍ଦ୍ର ଖୋଲିଥିଲେ। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌ କେନ୍ଦ୍ର ଖୋଲା ଯିବାର ଲକ୍ଷ୍ୟ ରହିଛି। ଏଥିରୁ ମୁଖ୍ୟମନ୍ତ୍ରୀ ଆଜି ୧୬ଟି ଲୋକାର୍ପିତ କଲେ। ଏହି କେନ୍ଦ୍ରଗୁଡିକ ହେଉଛି ଖୋର୍ଦ୍ଦା, ପାଲଲହଡା, ତାଳଚେର, ସୋର,କାମକ୍ଷାନଗର, ହିନ୍ଦୋଳ, ଧର୍ମଗଡ, ଗୁଣୁପୁର, ବାଲିଗୁଡା, ଆନନ୍ଦପୁର, ଚମ୍ପୁଆ, ବଣାଇଗଡ, ରାଇରଙ୍ଗପୁର, ଉଦଳା, ତିଗିରିଆ ଓ ଡୁଙ୍ଗୁରୁପାଲି। ଏହି ସଂପ୍ରସାରଣ ଦ୍ୱାରା ୬୮ଟି ଡାଏଲେସିସ୍‌ କେନ୍ଦ୍ରରେ ବର୍ଷକୁ ୩.୭୦ ଲକ୍ଷ ସେସନ୍‌ ଡାଏଲେସିସ୍‌ ହୋଇପାରିବ ଏବଂ ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲ୍ଲୀଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ଓଡିଶାର ସାଢେ ୪ କୋଟି ଜନସାଧାରଣ ତାଙ୍କ ପରିବାର। ପ୍ରତି ଜୀବନ ତାଙ୍କ ପାଇଁ ମୂଲ୍ୟବାନ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଆଜି ରାଜ୍ୟର ଗରୀବ ରୋଗୀ ଦେଶର ପ୍ରତିଷ୍ଠିତ ଡାକ୍ତରଖାନାରେ ଚିକିତ୍ସିତ ହୋଇପାରୁଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *