ଭୁବନେଶ୍ୱର :ବିଜୁ ଜନତା ଦଳର ପ୍ରବକ୍ତା ପୂର୍ବା ଅପରୂପାଙ୍କଠୁ ପୁଳାପୁଳା ନଗଦ ଟଙ୍କା ଜବତ ହେବା ସତ୍ତ୍ୱେ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରିନି । ଏପରିକି ଶାସକ ବିଜେଡି ଚାପରେ ଅନ୍ୟ ଲୋକଙ୍କଠୁ ଟଙ୍କା ଜବତ ହୋଇ ଦର୍ଶାଇ ପୁଲିସ ତାଙ୍କୁ କ୍ଲିନଚିଟ୍ ଦେଇ ଛାଡ଼ି ଦେଇଛି । ଏଭଳି ଅଭିଯୋଗ ଆଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେପି । ଓଡିଶା ପୋଲିସ ନିରବଦ୍ରଷ୍ଟା ଆଚରଣ ସହ ବିଜେଡିର ହାତବାରିସ ସାଜିଛି । ବିଜେଡିର ଗୁଣ୍ଡା କର୍ମୀମାନେ ଠେଙ୍ଗା, ବାଡି, ଖଣ୍ଡା ଓ ମାରଣାସ୍ତ୍ରରେ ବିଜେପିର ନେତା ଓ ପ୍ରାର୍ଥୀଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନାହିଁ । ୨ଟି ସ୍ଥାନରେ ବିଧାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହେଲା କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ । ସବୁଠୁ ବଡ କଥା ହେଉଛି ବିଜୁ ଜନତା ଦଳର ପ୍ରବକ୍ତା ଅପୂର୍ବା ଅପରୂପା ଦାସଙ୍କ ପାଖରୁ ପୋଲିସ ନଗଦ ଲକ୍ଷାଧିକ ଟଙ୍କା ଜବତ କଲା ଓ ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । କିନ୍ତୁ କିଛି ସମୟ ପରେ ପୋଲିସ ସଲାସୁତୁରା କରି ବିଜୁ ଜନତା ଦଳର ପ୍ରବକ୍ତା ଅପୂର୍ବା ଅପରୂପା ଦାସଙ୍କୁ ଖସାଇ ଦେଇ ଅଲଗା ଲୋକଙ୍କ ପାଖରୁ ଟଙ୍କା ଜବତ ହୋଇଛି ବୋଲି କହିଲା । ଏଥିରୁ ସ୍ପଷ୍ଟ ଓଡ଼ିଶାର ପୋଲିସ ପୂରାପୂରିଭାବେ ବିଜେଡିର ହାତବାରିସ ସାଜିଛି । କାହିଁକି ଓଡିଶା ପୋଲିସ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବାକୁ ସୁଯୋଗ ଦେଉନାହାନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଜିତି ପାରୁନଥିବା ଦଳ ହିଂସା କରେ । ବିଜେଡି ପରାଜୟ ଭୟରେ ହିଂସା କରୁଛି । ବିଜେଡିକୁ ଲୋକେ ଭୋଟ ଦେବା ସ୍ଥିତିରେ ନାହାନ୍ତି । ବିଜୁ ବାବୁ ଓଡ଼ିଶାବାସୀଙ୍କ ପାଇଁ କାମ କରୁଥିଲେ କିନ୍ତୁ ତାଙ୍କ ସୁପୁତ୍ର ଓଡ଼ିଶା ପାଇଁ କାମ କରୁନାହାନ୍ତି ବରଂ ତାମିଲନାଡୁ ପାଇଁ କାମ କରୁଛନ୍ତି । ଓଡିଶାର ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛି । ଓଡ଼ିଆ ବେରୋଜଗାର ହୋଇଛି । ଓଡ଼ିଆ ଜାତି, ଧର୍ମ ଓ ସଂସ୍କୃତି ସଂକଟରେ । ଓଡ଼ିଆ ଲୋକ ବିଜେଡି ଦଳରୁ ମୁହଁ ଫେରାଇ ସାରିଲେଣି । ନିର୍ବାଚନ ସମୟରେ ବିଜେଡି ଅନ୍ଧାର ବିଜେ କରି ଟଙ୍କା ବାଂଟୁଛନ୍ତି । ଏଥର ବିଜେଡି ଶାସନ କ୍ଷମତାରୁ ଯାଉଛି ବିଜେପି ଶାସନ କ୍ଷମତାକୁ ଆସୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ବରିଷ୍ଠ ନେତ୍ରୀ ସଙ୍ଗୀତା ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

By SonaliP

Leave a Reply

Your email address will not be published. Required fields are marked *