କଟକ ରେଲୱେ ଷ୍ଟେସନର ପ୍ଲାଟଫର୍ମ-୧ରେ ଥିବା ଛାତ ଭୁଶୁଡିପଡିବା ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି । ରେଲୱେ ବିଭାଗ ଓ ଠିକା ସଂସ୍ଥାର ଦାୟିତ୍ୱହୀନତା ଓ ସୁରକ୍ଷା ପ୍ରତି ଧ୍ୟାନ ନଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି ବୋଲି ବିଜେଡି କହିଛି । କଟକ ଭଳି ବ୍ୟସ୍ତବହୁଳ ରେଲୱେ ଷ୍ଟେସନର ମରାମତି ଓ ଆଧୁନିକୀକରଣ କାର୍ଯ୍ୟ ଦୀର୍ଘ ଦିନ ଚାଲିବା ଫଳରେ ସାଧାରଣ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜିର ଦୁର୍ଘଟଣା ସ୍ପଷ୍ଟ ସୂଚାଉଛି ଯେ, ନିର୍ମାଣାଧୀନ କାର୍ଯ୍ୟର ତଦାରଖରେ ଗୁରୁତର ଅବହେଳା ହୋଇଛି । ଦୁର୍ଘଟଣା ଘଟିବା ପରେ କଟକ-ଚୌଦ୍ୱାରର ବିଜେଡି ବିଧାୟକ ସୌଭିକ୍ ବିଶ୍ୱାଳ, କଟକ ମେୟର ସୁବାସ ସିଂ, କଟକ ଜିଲ୍ଲା ବିଜେଡି ସଭାପତି ତଦାରଖ କରିଥିଲେ । ବିଶ୍ୱାଳ କହିଛନ୍ତି ଯେ, ମନ୍ଥର ଗତିରେ ଚାଲୁଥିବା ଏହି ନିର୍ମାଣାଧୀନ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ରେଳ ବିଭାଗ ଧ୍ୟାନ ଦେବା ଆବଶ୍ୟକ । କଟକ ମେୟର ସୁବାସ ସିଂ କହିଛନ୍ତି ଯେ, ଠିକା ସଂସ୍ଥାର ବେପରୁଆ ମନୋଭାବ ଯୋଗୁ ଏଭଳି ଦୁର୍ଘଟଣା ଘଟିଛି । ଘଟଣାରେ ଜଣେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାର ପୁନରାବୃତ୍ତି ନହେବା ପାଇଁ ରେଳବାଇ ବିଭାଗ ସତର୍କ ହେବା ଆବଶ୍ୟକ । ସେହିପରି ପ୍ରଫୁଲ ସିଂ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ କିଛି ମିନିଟ ପୂର୍ବରୁ ବନ୍ଦେ ଭାରତ ଟ୍ରେନ ଯାଇଥିଲେ ମଧ୍ୟ ବଡ ଅଘଟଣରୁ ରକ୍ଷା ମିଳିପାରିଛି । ଦୁର୍ଘଟଣାର ତଦନ୍ତ କରାଯାଇ ଏଥିପାଇଁ ଦାୟୀ ଥିବା ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । Post navigation ଭାରତ ପାଇଁ ସ୍ବର୍ଣ୍ଣ ଜିତିଲେ ଓଡ଼ିଶା ଝିଅ ବିଦୁସ୍ମିତା ଭୋଇ