corruption-traitor-naveen-patnaik
ନବୀନ ଦାସ: ଚମ୍ପୁଆ ବିଧାୟକ ସନାତନ ମହାକୁଡ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜୁ ଜନତା ଦଳ ସଭାପତି ନବୀନ ପଟନାୟକ ‘ଦଳ ବିରୋଧୀ’ କାର୍ଯ୍ୟ ପାଇଁ ନିଲମ୍ବନ କରିଛନ୍ତି । ଏହା ନବୀନଙ୍କଦ୍ୱାରା ସ୍ୱାକ୍ଷରିତ ପ୍ରେସ ବିବୃତିରେ ଉଲ୍ଲେଖ ଅଛି ।
 
କିନ୍ତୁ ପାଟକୁରା ଓ ମହାକାଳପଡାର ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଆଉ ଏକ ଭିନ୍ନ ପ୍ରସଙ୍ଗ ଯୋଡିଛନ୍ତି ଏହି ନିଲମ୍ବନ ଆଦେଶକୁ ଯଥାର୍ଥ ଦର୍ଶାଇ । କରପସନ୍‌ ଓ ଟ୍ରେଟର । ଅର୍ଥାତ୍‌ ଦୁର୍ନୀତି ଓ ବିଶ୍ୱାସଘାତକତା ପାଇଁ ଦୁଇ ଦଳୀୟ ବିଧାୟକଙ୍କୁ ସଭାପତି ନିଲମ୍ବନ କରିଛନ୍ତି । ଏହାପରେ ଦଳର କିଛି ନେତା ସମାନ ସ୍ୱର ବା କୋରସ୍‌ରେ ଏହି କଥା ଦୋହରାଇ ଚାଲିଛନ୍ତି । ଦଳର ପ୍ରବକ୍ତା ଲେନିନ ମହାନ୍ତି ଏକ ବିତର୍କରେ ଅଂଶଗ୍ରହଣ କରି କହିଛନ୍ତି ଯେ, ଦଳର ମାନ୍ୟବର ସଭାପତି କଦାପି ଦୁର୍ନୀତି ଓ ବିଶ୍ୱାସଘାତକତାକୁ ବରଦାସ୍ତ କରନ୍ତି ନାହିଁ । ଅନ୍ୟ କିଛି ନେତା ମଧ୍ୟ ସେହି ଯୁକ୍ତି କରୁଛନ୍ତି ।
 
ଦୁର୍ନୀତି ଓ ବିଶ୍ୱାସଘାତକ ଶବ୍ଦ ଦୁଇଟି ବିଜୁ ଜନତା ଦଳର ଅନୁଗ୍ରହୀ ନେତାମାନଙ୍କ ମୁହଁରେ ଶୋଭା ପାଉନାହିଁ । ଅଧିକ ବିଶ୍ଲେଷଣ ଅନାବଶ୍ୟକ । ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ । ହୃଷିକେଶ ପାଢୀ କିଏ ତାହା ଅତନୁ ଓ ଲେନିନମାନେ ଅବଶ୍ୟ ଜାଣିଥିବେ । ତାଙ୍କୁ ବ୍ରହ୍ମପୁର ବିଜଦ ସଭାପତି ଭାବେ ଅରବିନ୍ଦ ମହାପାତ୍ର କିମ୍ବା ସନାତନ ମହାକୁଡ ନିଯୁକ୍ତି ଦେଇନଥିଲେ । ତାଙ୍କ ନିଯୁକ୍ତିଦାତା ଥିଲେ ସ୍ୱୟଂ ଦଳର ସଭାପତି ।
 
ହୃଷିକେଶ ପାଢୀ ଠିକାଦାର ଥିଲେ । ଠିକାଦାରମାନେ ସର୍ବତ୍ର ସଚ୍ଚୋଟ । ସେମାନେ ଦୁର୍ନୀତିର ଧାର ଧାରନ୍ତି ନାହିଁ । କେଉଁ ଗୁଣ ଦେଖି ଜଣେ ବାଲି ମାଫିଆ ଓ ଠିକାଦାରଙ୍କୁ ନବୀନ ବାବୁ ଏକ ସମ୍ଭ୍ରାନ୍ତ ସହର ବ୍ରହ୍ମପୁରର ଦଳୀୟ ଉପସଭାପତି କରିଥିଲେ । ତାଙ୍କ ଆଲମିରାରୁ ଯେଉଁ ପରିମାଣର ଟଙ୍କା ବାହାରିଛି ତାହା ଅତନୁ ଏବଂ ଲେନିନ ଜାଣିସାରିଥିବେ । ଅର୍ଥାତ ନବୀନ ବାବୁ ଦୁର୍ନୀତିଗ୍ରସ୍ତ ଏବଂ ଜନତାଙ୍କ ବିଶ୍ୱାସଘାତକଙ୍କୁ ପସନ୍ଦ କରନ୍ତି ।
ରାଜାଚକ୍ରଙ୍କ ଉଦାହରଣ ନଦେଲେ ଭଲ । ୨୦୦୯ରେ ସନାତନ ମହାକୁଡଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଥିବା ସରକାରଙ୍କ ଥିଲା ନବୀନ ପଟନାୟକ । ସନାତନଙ୍କ ଘର ଓ ବ୍ୟବସାୟ ଉପରେ ଆୟକର ଏବଂ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟର ଚଢ଼ାଉ ବାବଦରେ ନବୀନ ବାବୁ ବିଷୟ ଅବଗତ ଥିଲେ । ଖଣି ଓ ପରିବହନରୁ ସନାତନଙ୍କ କଳା ସାମ୍ରାଜ୍ୟ ବିସ୍ତାରିତ ହୋଇଥିବା ଅଭିଯୋଗ ସମସ୍ତଙ୍କୁ ଜଣା । ଏହା ସତ୍ତ୍ୱେ ତାଙ୍କୁ ଧମକଚମକ ଦେଇ ୨୦୨୪ ନିର୍ବାଚନରେ ଦଳୀୟ ଟିକଟ ଦେବା ବ୍ୟକ୍ତିଟି ନବୀନ ବାବୁ ।
 
୨୦୧୯ରୁ ୨୪ ଭିତରେ ଯେତିକି ଦୁର୍ନୀତି ପକ୍ଷ ମେଲିଥିଲା ତାହା କାହାକୁ ଅଜଣା ଅଛି? ପ୍ରତି ବିକାଶମୂଳକ କାର୍ଯ୍ୟରେ ଦୁର୍ନୀତି । ତେଣୁ ନବୀନଙ୍କ ପାଇଁ ଦୁର୍ନୀତି ଏକ ପସନ୍ଦର ବିଷୟ । ଚାରାରେ ଦୁର୍ନୀତି, ଖଣିରେ ଦୁର୍ନୀତି ଏବଂ ଚିଟ୍‌ଫଣ୍ଡରେ ଦୁର୍ନୀତି । ବିଜଦ ସରକାର ସ୍ୱୀକାର ମଧ୍ୟ କରିଛନ୍ତି । ଦୁଇଜଣ ବିଧାୟକଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ସସ୍‌ପେଣ୍ଡ କଲେ ନବୀନ । କିନ୍ତୁ ଦୁର୍ନୀତି ଓ ବିଶ୍ୱାସଘାତକ ଶବ୍ଦ ଅନୁଗାମୀ ନେତାଙ୍କ ମୁହଁରେ ଭର୍ତ୍ତି କରିବା ବ୍ୟକ୍ତିଟି କିଏ?
 
ସୌମ୍ୟ ପଟ୍ଟନାୟକ ଏବଂ ସୁଧାଂଶୁ ପରିଡା ଦୁଇଜଣ ବିଜଦ ବିଧାୟକ ଥିଲେ । ସେମାନଙ୍କୁ ଯେତେବେଳେ ୨୦୨୩ରେ ନବୀନ ବାବୁ ଜନବିରୋଧୀ ଦର୍ଶାଇ ବହିଷ୍କାର କଲେ ସେତେବେଳେ ବହିଷ୍କାର ଆଦେଶରେ କାରଣ ଦର୍ଶାଇଥିଲେ ।
 
ସେମିତି ଅରବିନ୍ଦ ଓ ସନାତନଙ୍କ କ୍ଷେତ୍ରରେ ଦଳ ବିରୋଧ ବାବଦରେ କିଛି ଉଲ୍ଲେଖ କରିନାହାଁନ୍ତି । କିନ୍ତୁ ଅତନୁ ଦୁର୍ନୀତି ଏବଂ ବିଶ୍ୱାସଘାତକତା ଶବ୍ଦ ଆଣିଲେ କେଉଁଠୁ? ବିଶ୍ୱାସଘାତକତାର ପରିଭାଷା ପ୍ୟାରୀ ବାବୁ ଅତନୁଙ୍କୁ ଭଲ ଭାବେ ବୁଝାଇପାରିବେ ।
କହିବା ଅନାବଶ୍ୟକ ଭାଜପାର ଜଣେ ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ ନବୀନ ବାବୁଙ୍କୁ ବିଶ୍ୱାସଘାତକ ଆଖ୍ୟା ଦେଇଥିଲେ । ବିଜୟ ମହାପାତ୍ରଙ୍କ ସହ ନବୀନଙ୍କ ବିଶ୍ୱାସଘାତକତା ଏକ କଳଙ୍କିତ ଅଧ୍ୟାୟ । ବୋଧହୁଏ ବିଜଦ ନେତାମାନେ ସମସ୍ତଙ୍କ ଚେହେରା ଭିତରେ ନବୀନ ବାବୁଙ୍କୁ ହିଁ ଦେଖୁଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *