ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିବା ବ୍ରଜମୋହନ ରାମଙ୍କୁ କଂଗ୍ରେସ ନେତା ଭକ୍ତ ଚରଣ ଦାସ ସ୍ୱାଗତ ଜଣାଇବା ସହ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ରବିବାର ବ୍ରଜମୋହନ ରାମ ଓଡ଼ିଶାର ୨୮ତମ ରାଜ୍ୟପାଳ ଭାବେ ଶପଥ ନେବା ପ୍ରସଙ୍ଗରେ ଗଣମାଧ୍ୟମକୁ ଭକ୍ତ ଦାସ କହିଛନ୍ତି, ଆମେ ଓଡ଼ିଶା ମାଟିକୁ ବ୍ରଜମୋହନ ରାମଙ୍କୁ ସ୍ବାଗତ କରୁଛୁ। ଆଶା କରୁଛୁ, ବ୍ରଜମୋହନ ରାମ ଦଳମତ ଊର୍ଦ୍ଧ୍ବରେ ରହି ନିଜର ଦାୟିତ୍ବ ନିର୍ବାହ କରିବେ ଓ ରାଜ୍ୟର ସାମ୍ବିଧାନିକ ବିଧିବ୍ୟବସ୍ଥାର ସୁରକ୍ଷା ଦିଗରେ ବ୍ରତୀ ହେବେ। ରାଜ୍ୟପାଳ ମନୋନୀତ ହେବା ପରେ ନିଜର ପ୍ରାରମ୍ଭିକ ପ୍ରତିକ୍ରିୟାରେ ସେ ‘ବିଜେପିର ଭୋଟ୍ ବୃଦ୍ଧି ଓ ରାଜ୍ୟ ଦଳିତ ମୋର୍ଚ୍ଚାର ସାଂଗଠନିକ ଶକ୍ତିବୃଦ୍ଧି ପାଇଁ କାମ କରିବେ’ ବୋଲି ଦେଇଥିବା ମନ୍ତବ୍ୟ ବିଷୟରେ ଭକ୍ତ ଦାସ କହିଲେ, ଆମେ ଆଶା କରୁଛୁ, ସେହି ବିଚାରକୁ ସେ ଝାଡ଼ଖଣ୍ଡରେ ହିଁ ଛାଡ଼ିଦେଇ ଆସିଥିବେ।

ସେହିପରି ନୂଆ ରାଜ୍ୟପାଳଙ୍କ ସହ ଆସିଥିବା ପ୍ରାୟ ୩୦୦ ଅତିଥିଙ୍କ ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବା ପ୍ରସଙ୍ଗରେ ଉଠିଥିବା ବିବାଦ ଉପରେ ଭକ୍ତ ଦାସ ମତ ଦେଇଛନ୍ତି। ଏହି ଚର୍ଚ୍ଛା ଓ ବିବାଦ ପରେ ରାଜ୍ୟପାଳ ନିଶ୍ଚିତ ଭାବେ ଅଧିକ ସଚେତନ ଓ ସତର୍କ ହୋଇସାରିଥିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ରାଜ୍ୟପାଳ ମହୋଦୟ ଅନାବଶ୍ୟକ ଖର୍ଚ୍ଚ କାଟ କରି ମିତବ୍ୟୟିତା ଉପରେ ଧ୍ୟାନ ଦେବେ ଏବଂ ରାଜ୍ୟ ରାଜକୋଷର ପ୍ରତ୍ୟେକଟି ଟଙ୍କା ଯେପରି ସାଧାରଣ ଜନତାଙ୍କ କଲ୍ୟାଣ ଓ ପ୍ରଗତିରେ ସଦୁପଯୋଗ ହୋଇପାରିବ, ସେ ନେଇ ସରକାରଙ୍କୁ ସଠିକ୍ ଦିଗଦର୍ଶନ ଦେବେ ବୋଲି ଭକ୍ତ ଦାସ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *