ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱ ଉପରେ ମହମ୍ମଦ ମୋକିମ୍ ଖୋଲା ଖୋଲି ପ୍ରଶ୍ନ ଉଠାଇବା ପରେ ମୋକିମଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା। ମୋକିମଙ୍କ ଚିଠି ଓ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ଜୟଦେବ ଜେନା ଓ ଅନନ୍ତ ସେଠୀ ରଖିଲେ ପ୍ରତିକ୍ରିୟା । କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଆମେ ୧୮ ଘଣ୍ଟା ଧରି ଖଟୁଛୁ, ତମେ ରହୁନ ବୋଲି କଂଗ୍ରେସକୁ କାହିଁକି ଶସ୍ତା କରୁଛ ।

ସୁର ରାଉତରାୟ ଗୁରୁବାର ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମହମ୍ମଦ ମୋକିମଙ୍କର ଯାହା ଅଭିଯୋଗ କୁହନ୍ତୁ । କିନ୍ତୁ ଗଣମାଧ୍ୟମକୁ ଆସିବା ଠିକ୍ ନ ଥିଲା । ହଜାର ହଜାର କୋଟିପତି ଅଛନ୍ତି । କଂଗ୍ରେସ ଦଳ ଟିକେଟ୍ ଦେଇ ପରିଚୟ ଦେଇଥିଲା । ତାଙ୍କୁ ନେହେରୁ ପରିବାର କିମ୍ବା କଂଗ୍ରେସ ଦଳ ଧୋକା ଦେଇ ନାହିଁ । କଂଗ୍ରେସକୁ ଶସ୍ତା କର ନାହିଁ । ନିଜ ଝିଅକୁ ବି ଟିକେଟ୍ ମିଳିଛି । ଝିଅ ସୋଫିଆର ଭବିଷ୍ୟତକୁ ବରବାଦ କରନ୍ତୁ ନାହିଁ । ସେ ଉଜ୍ଜ୍ୱଳ ନେତ୍ରୀ । ତୁମେ ବେପାର କରି ଝିଅକୁ ସ୍ୱାଧୀନତା ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହିତ ସୁର ସମସ୍ତ ବରିଷ୍ଠ ନେତାଙ୍କୁ ଏକାଠି ହୋଇ ସମାଧାନ କରିବାକୁ ଆହ୍ୱାନ କରିଛନ୍ତି ।

ଏହି ଛଳରେ ସୁର ନିଜର ଅତୀତର ଦୁଃଖ ମଧ୍ୟ ବଖାଣିଛନ୍ତି ।  ସେ କହିଛନ୍ତି ଯେ ମୋତେ ବି ଅନେକ ନେତା ଅପଦସ୍ତ କରିଛନ୍ତି । ସଭାରେ ବସିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ସଭାପତି ଦାୟିତ୍ୱରୁ ହଟାଇ ଦିଆଯାଇଥିଲା । ସେହିପରି ୯ଟା ବେଳେ ଭୁବନେଶ୍ୱର ସଭାପତି ଘୋଷଣା କରି ପୁଣି ଦିନ ୩ଟାରେ ଆଉ ଜଣଙ୍କୁ ସଭାପତି ଘୋଷଣା କରିଛନ୍ତି । ତଥାପି ସେ କେବେ କଂଗ୍ରେସ ଦଳକୁ ଛାଡ଼ି ନାହାଁନ୍ତି ବୋଲି କହିଛନ୍ତି ସୁର ।

ସେହିପରି ଅନନ୍ତ ସେଠୀ କହିଛନ୍ତି ମୋକିମଙ୍କ ଚିଠି ଲେଖି ହାଇକମାଣ୍ଡକୁ ଜଣାନ୍ତୁ, ମାତ୍ର ମିଡିଆକୁ ଆସିବା ଠିକ୍‌ ହେଲାନି । ମୁଁ ମୋକିମଙ୍କ ଏପରି କାର୍ଯ୍ୟକୁ ନାପସନ୍ଦ କରୁଛି । ଏହା ସହ ଜୟଦେବ ଜେନା ମଧ୍ୟ ମୋକିମଙ୍କ ସହ ଏକମତ ନୁହେଁ ବୋଲି କହିଛନ୍ତି ।

ଜୟଦେବ ଜେନା କହିଛନ୍ତି ଖଡ୍‌ଗେଙ୍କ ବୟସକୁ ନେଇ ପ୍ରଶ୍ନ କରିବା ଠିକ୍‌ ହେଲାନି ଭାବୁଛି । ରାହୁଲଙ୍କୁ ଦେଖା କରିପାରିଲେନି କହିବା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ । ରାହୁଲ ସାରା ଦେଶ କଥା ବୁଝୁଛନ୍ତି, ମୁଁ ଲେଖିଥିବା ଚିଠିର ଉତ୍ତର ପାଇଛି । ତେଣୁ ଏହାକୁ ଏକ ଇସ୍ୟୁ କରିବା ବେକାର କଥା ।

Leave a Reply

Your email address will not be published. Required fields are marked *