ନୂଆପଡ଼ା ଉପ-ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଘାସିରାମ ମାଝୀ। ବରିଷ୍ଠ ଆଦିବାସୀ ନେତା ଘାସିରାମ ମାଝୀ ଆଜି ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଆଗାମୀ ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବରେ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଦଳର ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନୂଆପଡାର ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଘାସିରାମ ମାଝୀ ।

କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ଦ୍ବିତୀୟ ସ୍ଥାନରେ ଥିଲେ। ସେ କଂଗ୍ରେସ ଟିକେଟ୍‌ ପାଇଁ ଦାବିଦାର ଥିଲେ ମଧ୍ୟ ଦଳର ପ୍ରାର୍ଥୀ ହୋଇଥିଲେ ତତ୍‌କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ। ଫଳରେ ଅସନ୍ତୁଷ୍ଟ ଘାସିରାମ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ‌ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଘାସିରାମଙ୍କର ହିଁ କଡ଼ା ମୁକାବିଲା ହୋଇଥିଲା। ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ଦ୍ବିତୀୟ ସ୍ଥାନରେ ଥିଲେ ଘାସିରାମ।

ସୂଚନା ଯୋଗ୍ୟ; ନୂଆପଡା ଉପନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଭୋଟ ଗଣତି ନଭେମ୍ବର ୧୪ ତାରିଖରେ ହେବ। ସେଥିପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୦ ତାରିଖ ରଖିଥିବା ବେଳେ ୨୨ ତାରିଖରେ କାଗଜପତ୍ର ଯାଞ୍ଚ କରାଯିବ ଏବଂ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୪ ରଖାଯାଇଛି। ନୂଆପଡାର ପୂର୍ବତନ ମନ୍ତ୍ରୀ ଏବଂ ଚାରିଥର ବିଧାୟକ ଥିବା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଏହି ଉପନିର୍ବାଚନ ଆବଶ୍ୟକ ହୋଇଥିଲା ।

Leave a Reply

Your email address will not be published. Required fields are marked *