ନିର୍ବାଚନର ଫଳାଫଳ ୫ ମାସ ନପୁରୁଣୁ ସାରା ରାଜ୍ୟରେ ସର୍ବାଧିକ ଭୋଟ ପାଇଥିବା ମହାକାଳପଡା ବିଜେପି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଅନେକ ବିବାଦରେ ଛନ୍ଦି ହେବା ସହ ତାଙ୍କର ରାଜନୈତିକ ଅପରିପକ୍ଵତା ଓ ଅପାରଗତା ଧିରେ ଧିରେ ପ୍ରକାଶିତ ହେବାରେ ଲାଗିଛି । ଏଥିପାଇଁ ଚାନ୍ଦା ଆଦାୟ,ପ୍ରିୟାପ୍ରୀତି ତୋଷଣ ଓ ବିଧାୟକଙ୍କ ବିଜେପିର ମୂଳ କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରି ନିର୍ବାଚନର ଅବ୍ୟବହିତ ପୂର୍ବରୁ ବା ପରେ ବିଜେଡି ରୁ ଆସିଥିବା କିଛି ଅସାଧୁ ଠିକାଦାର, ନିନ୍ଦିତ ରାଜନୈତିକ ଦଲାଲଙ୍କୁ ପ୍ରାଧାନ୍ୟ ଦେବାରୁ ମହାକାଳପଡା ବିଜେପିର ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ।

ପୁଲିସ ଅଧିକାରୀଙ୍କୁ ବଦଳି ପାଇଁ ଚିଠି, ବିନା ଲାଇଫ ଜ୍ୟାକେଟରେ ମନ୍ତ୍ରୀଙ୍କୁ ନେଇ ନୌକା ବିହାର, କଲେଜ ଶ୍ରେଣୀ ଗୃହରେ ପଶି ବିଜେପି ସଦସ୍ୟତା କରିବା କିମ୍ବା ସରପଞ୍ଚଙ୍କୁ ମରଣାତ୍ମକ ଆକ୍ରମଣ ହେଉ ସବୁଥିରେ ଦୁର୍ଗା ଏବଂ ତାଙ୍କ ପାଖଲୋକଙ୍କ ସମ୍ପୃକ୍ତି ତାଙ୍କ ନେତୃତ୍ଵ ଉପରେ ପ୍ରଶ୍ନଚିହ୍ନ ଲଗାଉଛି ।

ଅପରପକ୍ଷରେ ପୂର୍ବତନ ସରପଞ୍ଚ ନିଗମାନନ୍ଦ ବେଉରାଙ୍କ ଇସ୍ତଫା ପ୍ରଦାନ ଏହି ଅଲୋଚନାକୁ ଆହୁରି ଖୋରାକ ଯୋଗାଉଛି । ଅତନୁଙ୍କ ପ୍ରତି ଜନତାଙ୍କ ଆକ୍ରୋଶ ଯୋଗୁଁ ଦୁର୍ଗା ଅକସ୍ମାତ ବିଧାୟକ ହୋଇଥିବା ରାଜନୈତିକ ସମୀକ୍ଷକ ମାନେ ମତପୋଷଣ କଲେଣି ।

ପ୍ରତ୍ୟେକ ଦିନ ଦୁର୍ଗା ନୂଆ ନୂଆ ବିବାଦରେ ଛନ୍ଦି ହୋଇପଡୁଥିବା ବେଳେ ମହାକାଳପଡାର ସାମଗ୍ରିକ ବିକାଶ ବାଧାପ୍ରାପ୍ତ ହେବା ସହିତ ଆଶାୟୀ ମନ୍ତ୍ରୀ ତାଲିକାରୁ ତାଙ୍କୁ ବାଦ ଦେବାକୁ ବିଜେପିର ବରିଷ୍ଠ ନେତୃତ୍ୱ ବିଚାର କରୁଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ।

By Nirvay

Leave a Reply

Your email address will not be published. Required fields are marked *