ଭୁବନେଶ୍ୱର: ଆଜି ଭାରତ ପଂଚମ ନିକୃଷ୍ଟ ଅର୍ଥନୀତିର କଳଙ୍କରୁ ମୁକ୍ତି ପାଇ ସର୍ବୋତମ ପଂଚମ ଅର୍ଥନୀତିର ମର୍ଯ୍ୟାଦାପ୍ରାପ୍ତ ହୋଇଛି । ନିଜ ବଜେଟ୍ ଅଭିଭାଷଣ ପ୍ରତିଶ୍ରୁତି ମୁତାବକ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଗତ ୮ତାରିଖ ଦିନ ଉଭୟ ଉପା ସରକାର ଓ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦ବର୍ଷ ଶାସନକାଳର ଅର୍ଥନୈତିକ ସ୍ଥିତି ଉପରେ ଏକ ତୁଳନାତ୍ମକ ଶ୍ୱେତପତ୍ର ସଂସଦରେ ଆଗତ କରିଥିଲେ । ଏଥିରେ ଅର୍ଥନୈତିକ ସୁପରିଚାଳନା, ବିତୀୟ ଶୃଙ୍ଖଳା ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥା ଦୃଷ୍ଟିକୋଣରୁ ବିଜେପିର ସଫଳତାକୁ ଗୁରୁତ୍ୱ ଦିଆଯାଇଛି । ବାହ୍ୟ ବ୍ୟବସାୟୀକ ଋଣ ଉପରେ ଉପା ସରକାରଙ୍କର ମାତ୍ରାଧିକ ନିର୍ଭରଶୀଳତା କାରଣରୁ ଯେକୌଣସି ଆନ୍ତର୍ଜାତୀକ ଘଟଣାର ପ୍ରତିକୂଳ ପ୍ରଭାବରୁ ଭାରତ ସୁରକ୍ଷିତ ହୋଇପାରୁ ନଥିଲା । ଏହି ନିର୍ଭରଶୀଳତା ଉପା ସରକାର ସମୟରେ ବାର୍ଷିକ ୨୧.୧ପ୍ରତିଶତ ହାରରେ ବୃଦ୍ଧି ପାଇଥିଲାବେଳେ ମୋଦିଙ୍କ ଶାସନରେ ବାର୍ଷିକ ୪.୫ପ୍ରତିଶତ ହାରରେ ବୃଦ୍ଧି ପାଇଛି । ସେଥିପାଇଁ ୨୦୧୩ର ଆମେରିକା ବ୍ୟାଙ୍କ ନୀତି ସଂକଟ କାରଣରୁ ଟଙ୍କାର ଅବମୂଲ୍ୟାୟନ ୧୪.୯ପ୍ରତିଶତ ହୋଇଥିଲା, କିନ୍ତୁ ୨୦୨୧ରେ ସମାନ ଆମେରିକା ବ୍ୟାଙ୍କ ନୀତି ସଂକଟ ସମୟରେ ଏହି ଅବମୂଲ୍ୟାୟନ ୦.୭ପ୍ରତିଶତରେ ସୀମିତ ରହିଥିଲା । ୨୦୦୪ ରୁ ୨୦୧୪ ୟୁପିଏ ଶାସନ କାଳରେ କେବଳ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇନଥିଲା ବରଂ ଦେଶକୁ ଲୁଟ୍ କରାଯାଇଥିଲା ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ସୂଚନା ଦେଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀ ସରକାରଠାରୁ ଏକ ସ୍ୱସ୍ଥ ଅର୍ଥବ୍ୟବସ୍ଥା ପାଇବା ସତ୍ୱେ ୟୁପିଏ ସରକାର କେଉଁ ଭଳି ଏହାକୁ ଏକ ଦୁର୍ବଳ ଏବଂ କ୍ଷତିଗସ୍ତ ଅର୍ଥବ୍ୟବସ୍ଥାରେ ରୁପାନ୍ତରିତ କରିଦେଲେ, ଏହା ଏହି ଶ୍ୱେତପତ୍ରରୁ ସ୍ପଷ୍ଟ ହୋଇଛି । ୨୦୦୪ ରେ ବିଭିନ୍ନ ସରକାରୀ କ୍ଷେତ୍ରରେ ବ୍ୟାଂକ ପ୍ରଦତ ଅଗ୍ରୀମ ପରିମାଣ ମାତ୍ର ୬.୬ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୧୪ ମସିହାରେ ଏହା ୩୯ ଲକ୍ଷ କୋଟିକୁ ପହଂଚିଯାଇଥିଲା । କୌଣସି ଅର୍ଥନୈତିକ କାର୍ଯ୍ୟକ୍ରମ ପାଇଁ ନୁହଁ ବରଂ ପ୍ରୀୟା ପ୍ରୀତି ତୋଷଣ ପାଇଁ ବ୍ୟାଙ୍କ ଅଗ୍ରୀମରେ ଏହି ଅହେତୁକ ବୃଦ୍ଧି ଘଟିଥିଲା । ଉପା ସରକାର ସମୟରେ ଦେଶର ଚଳନ୍ତି ଖାତା ନିଅଂଟ ସମୁଦାୟ ଘରୋଇ ଉତ୍ପାଦନ ବା ଜିଡିପିର ୨.୩ପ୍ରତିଶତ ଥିଲାବେଳେ ମୋଦିଙ୍କ ସୟମରେ ୧.୧ପ୍ରତିଶତକୁ ଖସିଆସିଛି । ବିଜେପି ଶାସନ କାଳରେ ବିନିର୍ମାଣକୁ ପ୍ରୋତ୍ସାହନ କାରଣରୁ ଦ୍ରବ୍ୟ ରତ୍ପାନୀ ୪୧ପ୍ରତିଶତ ଓ ସେବା ରପ୍ତାନୀ ୯୭ପ୍ରତିଶତ ବୃଦ୍ଧି ପାଇଛି, ଯାହାକି ବିଶ୍ୱ ଅଭିବୃଦ୍ଧି ହାରଠାରୁ ଅଧିକ । ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ୧୦ବର୍ଷ ପୂର୍ବେ ୩୦୫.୩ ବିଲିୟନ ଡଲାର ଥିଲାବେଳେ ମୋଦିଜୀଙ୍କ ଦ୍ୱିତୀୟପାଳି ଶାସନକାଳରେ ତାହା ୫୯୬.୫ ବିଲିୟନ ଡଲାରରେ ପହଂଚିଛି । ସେହିପରି ଉପା ସରକାର ଅମଳରେ ବୈଦେଶିକ ମୁଦ୍ରା ଭଣ୍ଡାରର ଆକାର ୩୦୩ବିଲିୟନ ଡଲାର ଥିଲାବେଳେ ତାହା ମୋଦିଙ୍କ ସୟମରେ ୨ଗୁଣରୁ ଅଧିକ ବୃଦ୍ଧି ପାଇ ୬୧୭ବିଲିୟନ ଡଲାରରେ ପହଂଚିଛି । ଏକଦା ଚଳନ୍ତିଖାତା ନିଅଂଟ ଓ ବୈଦେଶିକ ମୁଦ୍ରା ଭଣ୍ଡାରର ସୁରକ୍ଷା ନାଁରେ ଉପା ସରକାର ୮୦: ୨୦ସୁନା ରପ୍ତାନୀ ଓ ଆମଦାନୀ ନୀତି ଘୋଷଣା କରିଥିଲେ ଯାହାକି ନିରବ ମୋଦି ଓ ମେହୁଲ ଚୋଖିଙ୍କ ଭଳି ଅର୍ଥନୈତିକ ଅପରାଧୀଙ୍କୁ ସାହାଯ୍ୟ କରିଥିଲା । ଏଥି ପାଇଁ ୟୁପିଏ ସରକାରର ପିଏମଠାରୁ ସୁପର ପିଏମ ସମସ୍ତେ ଦାୟୀ । ୟୁପିଏ ଶାସନ କାଳରେ ଗୋଟିଏ ପରେ ଗୋଟିଏ ଘୋଟାଲା ଜାରୀ ରହିଥିଲା । ୨-ଜି, କୋଇଲା, ଅଗଷ୍ଟା ,ସତ୍ୟମ, ଟ୍ଲେଓ୍‌ôଲ୍‌ ଗେମ୍ସ, କେଶ ଫର ଭୋଟ, ଆଦର୍ଶ, ଶାରଦା ଚିଟଫଣ୍ଡ, ଆଏନଏକ୍ସ ମିଡିଆ, ଏୟାରସେଲ-ମେକ୍ସିସ, ଏଂଟ୍ରିକ୍ସ-ଦେବାସ, ଲ୍ୟାଣ୍ଡ ଫର ଜବ୍ ଭଳି ୧୫ଟି ବଡ ବଡ ଘୋଟାଲା ୟୁପିଏ ଶାସନ କାଳରେ ସାକ୍ଷୀ ହୋଇ ରହିଯାଇଛି । ଶୈାଚାଳୟ, ବାସଗୃହ, ବିଜୁଳି, ପାନୀୟ ଜଳ, ଗ୍ୟାସ ସଂଯୋଗ, ଆୟୁଷ୍ମାନ କାର୍ଡ ଦ୍ୱାରା ବି ଦେଶର ଜିଡିପି ତଥା ଆର୍ଥିକ ବିକାଶ ସମ୍ଭବ ହୋଇପାରେ ବୋଲି ମୋଦିଜୀ କରି ଦେଖାଇଛନ୍ତି । ୟୁପିଏ ଶାସନ ଅମଳରେ ‘ନୀତି-ପକ୍ଷାଘାତ’ ଥିଲା । ଏବେ ନିବେଶ, ବିକାଶ, ରୋଜଗାର ଓ ଉଦ୍ୟମିତା ଏବଂ ସଂଚୟର ପୁର୍ଣ୍ଣ ଚକ୍ର ଅଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ସେହିପରି ଉପା ସରକାର ସାମାଜିକ ଗ୍ରାମୀଣ କ୍ଷେତ୍ର ନିମନ୍ତେ ଉର୍ଦ୍ଦିଷ୍ଟ ନିଜ ବଜେଟ୍‌ର ୬.୪ପ୍ରତିଶତ ବା ୯୪ହଜାର ୬୦କୋଟି ଟଙ୍କା ଖର୍ଚ୍ଚ କରିପାରିନଥିଲେ । ବିଜେପି ଶାସନ କାଳରେ ବ୍ୟୟ ନହୋଇପାରିଥିବା ଏହି ଅନୁପାତ ୧ପ୍ରତିଶତରୁ ମଧ୍ୟ କମ୍ ରହିଛି । ଜନଧନ-ଆଧାର-ମୋବାଇଲ ବା ଜାମ୍ ଭଳି ବୈଷୟିକ ଜ୍ଞାନ ଭିତିକ ଲକ୍ଷ୍ୟଧାର୍ଯ୍ୟ ଓ କାର୍ଯ୍ୟାନ୍ୱୟନ ମୋଦିଙ୍କୁ ଏହି ସଫଳତା ଦେଇଛି । ହତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୩୪ଲକ୍ଷ କୋଟି ଟଙ୍କା ପଠାଯାଇପାରିଛି । ଦିନଦୟାଲ ଅନ୍ତଦ୍ୱୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୧୦କୋଟି ମହିଳାଙ୍କୁ ସଶକ୍ତ କରାଯାଇଛି । ଇ-ଶ୍ରମ ପୋଟାଲ ଦ୍ୱାରା ପ୍ରବାସୀ ଓ ଦାଦନ ଶ୍ରମିକଙ୍କ ଡାଟା ବ୍ୟାଙ୍କ ପ୍ରସ୍ତୁତ ହୋଇଛି ଓ ୱାନ ନେସନ ୱାନ ରେସନ କାର୍ଡ ଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସୁବିଧା ସେମାନଙ୍କୁ ଯୋଗାଇ ଦିଆଯାଇପାରୁଛି । ଏଥିରେ ଓଡ଼ିଶାଭଳି ଦାଦନ ପ୍ରବଣ ରାଜ୍ୟ ଅଧିକ ଉପକୃତ ହେଉଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ୨୩କୋଟି ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ମିଳିପାରିଛି । ସେମାନଙ୍କର ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟପତ୍ର ପ୍ରସ୍ତୁତ ହୋଇପାରିଛି ଓ ଇ-ସଞ୍ଜୀବନି ମାଧ୍ୟମରେ ଟେଲି ମେଡିସିନର ସୁବିଧା ଯୋଗାଇ ଦିଆଯାଇପାରୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଦେଶର ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୋଦି ସରକାର ଚର୍ତୁଦଶ ଓ ପଂଚଦଶ ଅର୍ଥଆୟୋଗର ସୁପାରିଶ କ୍ରମେ ମୋଦି ସରକାର ରାଜ୍ୟମାନଙ୍କୁ ୪୧ ରୁ ୪୨ପ୍ରତିଶତ ଟିକସ ବଂଟନ ଓ ଗ୍ରାଂଟ ପ୍ରଦାନ କରିଛନ୍ତି । ଉପା ସରକାର ସମୟରେ ଏହା ଥିଲା ୩୦ରୁ ୩୨ପ୍ରତିଶତ । ଏହାଫଳରେ ରାଜ୍ୟମାନେ ଉପା ସରକାର ଅମଳରେ ୨୧.୧ଲକ୍ଷ କୋଟି ଟଙ୍କା ପାଇଥିଲାବେଳେ ବର୍ତମାନ ତାହା ୪ଗୁଣ ବୃଦ୍ଧି ପାଇ ୮୪.୩ଲକ୍ଷ କୋଟି ଟଙ୍କାରେ ପହଂଚିଛି । ସେହି କ୍ରମରେ ଓଡ଼ିଶା ସମସ୍ତ କେନ୍ଦ୍ରୀୟ ଯୋଜନା ଓ ସହାୟତାକୁ ମିଶାଇ ଉପା ସରକାର ଅମଳରେ ୨.୯୩ଲକ୍ଷ କୋଟି ପାଉଥିଲାବେଳେ ମୋଦିଙ୍କ ସମୟରେ ୧୮.୯୪ଲକ୍ଷ କୋଟି ଟଙ୍କା ପାଇଛି । କେନ୍ଦ୍ରୀୟ ଅବହେଳାର ସ୍ୱର ଆଉ ଶୁଭୁନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ସରକାରୀ ଅର୍ଥ ବିନିଯୋଗର ଗୁଣାତ୍ମକମାନ ମଧ୍ୟ ମୋଦିଙ୍କ ସମୟରେ ଉତମ ରହିଥିବାର ଲକ୍ଷ୍ୟ କରାଯାଇଛି । ଏହି ସମୟରେ ରାଜସ୍ୱ ବ୍ୟୟ ବୃଦ୍ଧି ପୂର୍ବର ବାର୍ଷିକ ୧୪.୨ପ୍ରତିଶତରୁ ୯.୯ପ୍ରତିଶତକୁ ହ୍ରାସ ପାଇଛି । ଅଥଚ ପୁଞ୍ଜିଖର୍ଚ୍ଚ ୫.୬ ଅଭିବୃଦ୍ଧିହାରରୁ ୧୭.୬ପ୍ରତିଶତକୁ ବଢ଼ିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *