କଟକରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅପିଲ୍ କରିଛନ୍ତି । ଏହା ସହ କଟକରେ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ କଟକରେ କ୍ୟାମ୍ପ୍ କରି ରହିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ସହ କଟକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ତୀକ୍ଷ୍ଣ ନଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କଟକରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ଅନୁଧ୍ୟାନ ପରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଅପିଲ୍ କରି ଡିଜିପି କହିଛନ୍ତି କଟକ ସହରରେ ସ୍ଥିତି ସ୍ବାଭାବିକ ହେଉଛି । ସୋସିଆଲ୍ ମିଡିଆରେ ଚାଲୁଥିବା ତଥ୍ୟ ଉପରେ ବିଶ୍ବାସ କରନ୍ତୁ ନାହିଁ । ପୋଲିସ ୱେବସାଇଟ୍ରେ ଥିବା ତଥ୍ୟ ଉପରେ ହିଁ କେବଳ ବିଶ୍ବାସ କରନ୍ତୁ । ସେହିପରି ଉତ୍ତେଜନାକୁ ଦୃଷ୍ଟିରେ ରଖି କଟକ ସହରରେ ସୋସିଆଲ୍ ମିଡିଆ ଉପରେ ଲଗାଯାଇଛି କଟକଣା । ଆସନ୍ତା ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ ସେବା। ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ ଲାଗିଲା କଟକଣା । ହ୍ବାଟ୍ସ ଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ସ୍ନାପ୍ଚାଟ୍ ଆଦି ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଛି । କଟକ ମୁନିସିପାଲିଟି ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ କଟକ ସହରରେ ବନ୍ଦ ରହିବ ଇଣ୍ଟରନେଟ ବୋଲି ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ; କଟକ ସହରରେ କଡ଼ା ସୁରକ୍ଷା ଭିତରେ ଭସାଣି ସମୟରେ ଯେତେବେଳେ ମା’ ଦୁର୍ଗାଙ୍କ ମେଢ଼ ମୁସଲମାନ ବସ୍ତି ଦେଇ ଅତିକ୍ରମ କରୁଥିଲା ସେଇ ସମୟରେ ଶୋଭାଯାତ୍ରା ଉପରକୁ ହୋଇଥିଲା ପଥର ମାଡ଼। ଏହାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିରେ ଡିସିପିଙ୍କ ସମେତ ୯ ଜଣ ଆହତ ହୋଇଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା। ଗଣ୍ଡଗୋଳ ଉଗ୍ରରୂପ ନେବାରୁ ୫ ଘଣ୍ଟା ଧରି ମେଢ଼ ଭସାଣି ଶୋଭାଯାତ୍ରା ବନ୍ଦ ରହିଥିଲା । ସଂଘର୍ଷକୁ ଅଟକାଇବା ପାଇଁ ସେଣ୍ଟ୍ରାଲ ଆର୍ମ ଫୋର୍ସ ଓ ସିଏଆରପିଏଫ ଯବାନ ଓ କଟକର ବରିଷ୍ଟ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । Post navigation କଟକରେ ସୋସିଆଲ୍ ମିଡିଆ ଉପରେ ଲାଗିଲା କଟକଣା କଟକରେ ଇଣ୍ଟରନେଟ୍ ସେବା ବନ୍ଦ ହେବା ପରେ ୩୬ ଘଣ୍ଟା ପାଇଁ ଲାଗୁ ହେଲା କର୍ଫ୍ୟୁ