ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନା କରିଥିବା ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରେଳବାଇ ପାଇଁ ବଜେଟ ଉପରେ ସାମ୍ୱାଦିକ ସମ୍ମିଳନୀ କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବଜେଟ୍ରେ ରେଳବାଇ କ୍ଷେତ୍ରର ଆଧୁନିକୀକରଣ ଏବଂ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଫ୍ଲାଏ ଓଭର, ଅଣ୍ଡରପାସ୍ ନିର୍ମାଣ, ରେଳ ସୁରକ୍ଷା ପାଇଁ କବଚର ସ୍ଥାପନ ଲାଗି ୧ ଲକ୍ଷ ୮ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି | ଗତ ୧୦ ବର୍ଷ ମଧ୍ୟରେ ୪୦ ହଜାର କିଲୋମିଟର ରେଳ ବିଦ୍ୟୁତିକରଣ କରାଯିବା ସହ ଗତ ୧ ବର୍ଷ ମଧ୍ୟରେ ୫ ହଜାର ୩୦୦ କିଲୋମିଟର ନୂଆ ଟ୍ରାକ୍ ନିର୍ମାଣ ହୋଇଛି। ଏଥିସହ ୧୦ ବର୍ଷ ମଧ୍ୟରେ ରେଳବାଇ କ୍ଷେତ୍ରରେ ପ୍ରାୟ ୫ ଲକ୍ଷ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ରେଳବାଇ ଲାଗି ମୋଟ ୫,୪୦,୭୦୦ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ସେଥିରେ ରେଳବାଇ ରାଜସ୍ବରୁ ମୋଟ ବ୍ୟୟ ୨,୭୫,୫୦୦ କୋଟି ଟଙ୍କା ଥିବା ବେଳେ ବଜେଟ୍ ସହାୟତା ଓ ଅନ୍ୟାନ୍ୟ ପରିମାଣର ୨,୬୫,୨୦୦ କୋଟି ଟଙ୍କା ରହିଛି। ରେଳବାଇର ପ୍ରତି ୧୦୦ ଟଙ୍କା ଆୟ ପାଇଁ ୯୮ ଟଙ୍କା ୨୨ ପଇସା ବ୍ୟୟ କରିବ। ବଜେଟ୍ ଅନୁସାରେ ରେଳବାଇ ୨,୬୫,୨୦୦ କୋଟି ଟଙ୍କାର ନିବେଶ କରିବ। ସେଥିରୁ ନୂଆ ରେଳପଥ ନିର୍ମାଣ ପାଇଁ ୩୪,୬୦୨ କୋଟି ଟଙ୍କା, ଗେଜ୍ ପରିବର୍ତ୍ତନ ପାଇଁ ୪୭୧୯ କୋଟି ଟଙ୍କା, ଦୋହରୀକରଣରେ ୨୯,୩୧୨ କୋଟି ଟଙ୍କା, ଟ୍ରାଫିକ୍ ସୁବିଧା-ୟାର୍ଡ ରିମଡେଲିଂରେ ୮୯୮୨ କୋଟି ଟଙ୍କା, ରୋଲିଂ ଷ୍ଟକ୍ରେ ୫୨,୩୧୩ କୋଟି ଟଙ୍କା, ଲିଜ୍ ସମ୍ପତ୍ତିର ପୁଞ୍ଜି ଉପାଦାନ ପାଇଁ ଦେୟ ବାବଦରେ ୨୩,୨୭୦ କୋଟି ଟଙ୍କା ଏବଂ ସଡ଼କ ଓଭରବ୍ରିଜ୍ ଓ ଅଣ୍ଡରବ୍ରିଜ୍ ପାଇଁ ୯୨୭୪ କୋଟି ଟଙ୍କା ଖର୍ଚ୍ଚ କରିବ। ସେହିପରି, ରେଳପଥ ନବୀକରଣରେ ୧୭,୬୫୧ କୋଟି ଟଙ୍କା, ବିଦ୍ୟୁତ୍କରଣରେ ୬୪୭୨ କୋଟି ଟଙ୍କା, ଅନ୍ୟାନ୍ୟ ବିଦ୍ୟୁତ୍କରଣ କାର୍ଯ୍ୟରେ ୧୬୮୧ କୋଟି ଟଙ୍କା, ଉତ୍ପାଦନ ୟୁନିଟ୍ ସମେତ ୱାର୍କସପ୍ରେ ୪୯୦୩ କୋଟି ଟଙ୍କା, କର୍ମଚାରୀ କଲ୍ୟାଣ ପାଇଁ ୮୧୫ କୋଟି ଟଙ୍କା, ଯାତ୍ରୀଙ୍କ ସୁବିଧାସୁଯୋଗ ବାବଦରେ ୧୫,୫୧୦ କୋଟି ଟଙ୍କା, ସରକାରୀ ସଂସ୍ଥାରେ ନିବେଶ ପାଇଁ ୩୨,୭୬୦ କୋଟି ଟଙ୍କା, ମେଟ୍ରୋପଲିଟାନ୍ ପରିବହନ ପ୍ରକଳ୍ପରେ ୪୦୯୦ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ବାବଦରେ ୭୮୩୭ କୋଟି ଟଙ୍କା ବ୍ୟୟ କରିବ। ଅଶ୍ୱିନୀ ବୈଷ୍ଣବ ଆଉ ମଧ୍ୟ କହିଛନ୍ତି ବିଭିନ୍ନ ଉତ୍ସରୁ ରେଳବାଇ ୫,୪୦,୭୦୦ କୋଟି ଟଙ୍କାର ଆୟ କରିବ ବୋଲି ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଯାତ୍ରୀ ପରିବହନରୁ ୮୦,୦୦୦ କୋଟି ଟଙ୍କା, ମାଲ୍ ପରିବହନରୁ ୧,୮୦,୦୦୦ କୋଟି ଟଙ୍କା, କୋଚିଂ ପ୍ରାପ୍ତି ଭାବେ ୭୫୦୦ କୋଟି ଟଙ୍କା, ସଣ୍ଡ୍ରି ରାଜସ୍ବ ୧୦,୫୦୦ କୋଟି ଟଙ୍କା, ଟ୍ରାଫିକ୍ ସସ୍ପେନ୍ସରୁ ୧୦୦ କୋଟି ଟଙ୍କା ମିଳିବ। ଭାରତ ସରକାରଙ୍କଠାରୁ ରେଳବାଇ ବଜେଟ୍ ସହାୟତା ଆକାରେ ୨,୫୨,୨୦୦ କୋଟି ଟଙ୍କା ପାଇବ। Post navigation ଆଜି ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ୧୯ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିବାବେଳେ ବିମାନ ଦୁର୍ଘଟଣାଗ୍ରସ୍ତ