ବିଜେଡି ସତ୍ତା ହରାଇବା ପଛରେ ଭି.କେ. ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ (ବବି ଦାସ)ଙ୍କୁ ମଧ୍ୟ ଲୋକ ଦାୟୀ କରୁଛନ୍ତି। କାରଣ ଏମାନେ ହିଁ ଦଳର ମୁଖ୍ୟ ଥିଲେ। ପାଣ୍ଡିଆନ ନେତୃତ୍ୱ ନେଉଥିବା ବେବେ ବବି ତାଙ୍କୁ ସବୁ କାମରେ ସମର୍ଥନ କରୁଥିଲେ। ଅର୍ଥ ପରିଚାଳନାଠୁ ଅନ୍ୟାନ୍ୟ ମୁଖ୍ୟ ଦାୟିତ୍ବ ନେଇଥିଲେ ବବି। କିନ୍ତୁ ଦୁର୍ଭାଗ୍ୟର କଥା, ବାଜି ପଲଟିଗଲା ଓ ବିଜେଡି ଆଉ ଶାସକ ଦଳ ହୋଇ ରହିଲାନି। ପାଣ୍ଡିଆନଙ୍କ ବିରୋଧରେ ମଧ୍ୟ ଜନ ଅସନ୍ତୋଷ ବଢ଼ିଲା। ଆଉ ବିଜେଡି ବହୁତ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା ।

ସେ ସମୟରେ ଆଶା ଥିଲା ଯେ ଦଳ ବୋଧହୁଏ ତା’ ଭୁଲ ବୁଝିପାରିବ। ଏବେ ଆଉ ଅଫିସର ନୁହେଁ, ନେତାମାନଙ୍କୁ ନେଇ ଦଳ ଚାଲିବ। ଏହାମଧ୍ୟରେ ଦଳର ଯେଉଁମାନେ ଦୃଢ଼ ଓ ଯୁବ ନେତୃତ୍ୱ ଏବଂ ଦଳ ପାଇଁ ଅନେକ ଅବଦାନ ଅଛି ସେମାନଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ଚିନ୍ତା କରାଯାଉଥିଲା।

ଏହି କ୍ରମରେ ଅରୁଣ ସାହୁ ଡେପୁଟି ଚିଫ ହୁଇପ ହେବେ ବୋଲି ଜଣାପଡୁଥିଲା। ନବୀନ ବାବୁ ତ ନିଶ୍ଚିନ୍ତ ବିରୋଧୀ ଦଳର ନେତା ହେବେ ବୋଲି ଶୁଣା ହେଉଥିଲା। ପ୍ରସନ୍ନ ଆଚାର୍ଯ୍ୟ ବରିଷ୍ଠତା ଦୃଷ୍ଟିରୁ ଓ ତାଙ୍କର ଯେହେତୁ ତୀକ୍ଷ୍ଣ ସ୍ୱର ସେଥିପାଇଁ ଉପନେତା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଅନ୍ୟପକ୍ଷରେ ଦଳ ଯେହେତୁ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଉଛି ସେହି ଦୃଷ୍ଟିରୁ ପ୍ରମିଳା ମଳିକଙ୍କୁ ଚିଫ ହୁଇପ ପଦ ଦେଇପାରନ୍ତି। ଅରୁଣ ସାହୁ ଡେପୁଟି ଚିଫ ହୁଇପ ହେବେ ବୋଲି ଚୁଡ଼ାନ୍ତ ହୋଯାଇଥିବା ବେଳେ ଶେଷ ମୁହୂର୍ତ୍ତରେ ବବି ତାଙ୍କ ପତ୍ତା କାଟିଦେଇଛନ୍ତି।

ବବି ସବୁବେଳେ ଅରୁଣଙ୍କୁ ପ୍ରତିଦ୍ବନ୍ଦ୍ବୀ ଭାବେ ଦେଖୁଛନ୍ତି, ସେଥିପାଇଁ ତାଙ୍କୁ କିଛି କରାଇ ଦେଉନାହାଁନ୍ତି। ତେଣୁ ତାଙ୍କ ନାଁ କାଟି ପ୍ରତାପ ଦେବଙ୍କ ନାଁ ସୁପାରିଶ କରିଛନ୍ତି ବୋଲି ଶୁଣାଶୁଣି। ଏ ନେଇ ଅରୁଣ ସାହୁ ଓ ତାଙ୍କ ଗୋଷ୍ଠୀ ବବିଙ୍କ ଉପରେ କ୍ଷୁବ୍ଧ ଅଛନ୍ତି ବୋଲି ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି। ଆଜି ସବୁ ପଦ ପଦବୀ ଘୋଷଣା ହେଲା ପରେ ଅସନ୍ତୋଷର ନିଅଁ କୁହୁଳି ପାରେ ଓ ଏହା ବିଦ୍ରୋହର ରୂପ ମଧ୍ୟ ନେଇପାରେ।

ପ୍ୟାରୀ ବାବୁଙ୍କ ସମୟରେ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମାଙ୍କୁ ଏକ ପାୱାର ସେଣ୍ଟର ବୋଲି କୁହାଯାଉଥିଲା। ଏପରିକି ନବୀନ ବାବୁଙ୍କ ପରେ ମଧ୍ୟ ବିଜେଡି ଉତଥାନ ଓ ବିକାଶରେ ଏମାନେ ମୁଖ୍ୟ ଭୂମିକା ନିଭାଇଥାନ୍ତେ। ସମସ୍ତେ ଦକ୍ଷ ନେତା ଥିଲେ। କିନ୍ତୁ ବବି ଯୋଜନାବଦ୍ଧ ଭାବେ ପାଣ୍ଡିଆନଙ୍କ ସହ ମିଶି ସେମାନଙ୍କ ପାୱାର ଛଡେଇ ନେଲେ। ବବି ସେଥିରେ ମୁଖ୍ୟ ଭୂମିକା ଗ୍ରହଣ କଲେ।

ପ୍ରଥମେ ଅତନୁଙ୍କ ପତା କାଟିଲେ। ତିନିଜଣଙ୍କ ଗୋଷ୍ଠୀ ଭାଙ୍ଗିଦେଲେ। ଅତନୁ ବହୁଦିନ ଦୁରେଇ ରହିବା ପରେ ପୁଣି ଥରେ ଲାଇମଲାଇଟକୁ ଆସିଲେ। କିନ୍ତୁ ଏ ନିର୍ବାଚନରେ ଗୋଟି ଚାଳନା କରି ଅତନୁଙ୍କୁ ମହାକାଳପଡ଼ାରେ ଧରାଶାୟୀ କରିଦେଲେ ବବି।

ସେମିତି ସଞ୍ଜୟ ଦାସବର୍ମାଙ୍କୁ ମଧ୍ୟ କୋଣଠେସା କରି ରଖିଥିଲେ। ବହୁବର୍ଷ ଧରି ପଦ ପଦବୀରୁ ହଟେଇ ଦେଲେ। ହେଲେ ଯେତେବେଳେ ଶୁଣିବାକୁ ପାଇଲେ ସେ ବିଜେପିକୁ ପଳେଇବେ ସେ ସମୟରେ ତାଙ୍କୁ ଫେରାଇ ଆଣିଲେ। ହେଲେ ନିଜ ନିର୍ବାଚନ ମଣ୍ଡଳୀ ନଦେଇ ଅନ୍ୟ ଜାଗାକୁ ପଠେଇଲେ। ସଞ୍ଜୟ ନିଜ ନିର୍ଵାଚନ ମଣ୍ଡଳୀ ବ୍ରହ୍ମଗିରିରେ ଲୁଲୁ ମହାପାତ୍ରଙ୍କ ଭଳି ନେତାଙ୍କୁ ଦୁଇ ଥର ହରେଇଥିଲେ। ହେଲେ ସତ୍ୟବାଦୀରୁ ଲଢ଼ି ହାରିବା ପରେ ତାଙ୍କ କ୍ୟାରିୟର ଶେଷ ହୋଇଗଲା।

ଅତନୁ ଓ ସଞ୍ଜୟଙ୍କୁ ହରାଇବା ପରେ ଏବେ ବବିଙ୍କ ଟାର୍ଗେଟ ଅରୁଣ ସାହୁଙ୍କ ଉପରେ। ଅରୁଣ ବହୁ କମ ବ୍ୟବଧାନରେ ଜିତିଛନ୍ତି। ତଥାପି ତାଙ୍କୁ ବିଜେଡି ଥିଙ୍କ ଟ୍ୟାଙ୍କ ପୂରେଇ ନ ଦେଇ ନିଷ୍କଣ୍ଟକ ହେବାକୁ ଲକ୍ଷ୍ୟ ରଖିଛନ୍ତି ବବି।

Leave a Reply

Your email address will not be published. Required fields are marked *