ରେଭେନ୍ସାର ନାଁ ପରିବର୍ତ୍ତନ ପ୍ରସଙ୍ଗ ନେଇ ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଡଃ ଲେନିନ୍ ମହାନ୍ତି । ଇତିହାସକୁ ବିକୃତ କରିବା ପାଇଁ ବିଜେପି ସରକାର ଉଦ୍ୟମ ଜାରି ରଖିଛନ୍ତି। ଇତିହାସକୁ ଚର୍ଚ୍ଚା କରିବା ବେଳେ ଦୃଷ୍ଟିଭଙ୍ଗୀର ପ୍ରମୁଖ ଭୂମିକା ରହିଛି। ବିଜେପି ଓ କିଛି ବ୍ୟକ୍ତିବିଶେଷ ରେଭେନ୍ସାର ଐତିହ୍ୟକୁ ନିନ୍ଦା କରିବାକୁ ଉଦ୍ୟମ ଜାରି ରଖିଥିବା ଅଭିଯୋଗ କରିଛି ବିଜେଡି। ଓଡିଶାକୁ ଗଠନ କରିବା ଦିଗରେ ପ୍ରମୁଖ ଭୂମିକା ନେଇଥିବା ମଧୁ ବାବୁ, ଫକୀର ମୋହନ ସେନାପତି ଏବଂ ଉତ୍କଳ ସମ୍ମିଳନୀର ବିଭିନ୍ନ ମହାମନିଷୀମାନଙ୍କ ପ୍ରତି ଅତି କଟୁ ମନ୍ତବ୍ୟ ଦେଇ ଆସୁଛି ବିଜେପି।

ନଅଙ୍କ ଦୁର୍ଭିକ୍ଷ ପାଇଁ ଯଦି ଟି. ରେଭେନ୍ସା ଦାୟୀ ତା’ ହେଲେ କୋଭିଡ ପାଇଁ କାହାକୁ ଦାୟୀ କରାଯିବ ବୋଲି ପ୍ରଶ୍ନ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ଯାହାକୁ ନାହିଁ ତାକୁ ବଦନାମ କରିବା ଏହା ଓଡ଼ିଶାର ପରମ୍ପରା ନୁହେଁ । ବିଜୁ ବାବୁ କି ଫକୀର ମୋହନ କ’ଣ ଭାରତ ରତ୍ନ ପାଇଁ ଯୋଗ୍ୟ ନୁହନ୍ତି ? ରେଭେନ୍ସା ବୋର୍ଡ ବଦଳାଇବାକୁ ଚେଷ୍ଟା କରୁଛେ, କିନ୍ତୁ ଗୋଟେ ନୂଆ ଅନୁଷ୍ଠାନ କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କଲା ବିଜେଡି। ୧୫୦ ବର୍ଷରୁ ଅଧିକ ହେଲାଣି ରେଭେନ୍ସା ଛିଡା ହୋଇଛି। ଗୌରବମୟ ଇତିହାସକୁ କଳୁଷିତ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଓଡ଼ିଶାରେ ଏକ ଇନଷ୍ଟିଚ୍ୟୁଟ ଅଫ ଏମିନେନ୍ସକୁ ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ଡଃ ମହାନ୍ତି। ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ବିଶ୍ଵ ପ୍ରତାପ ସାହୁ ଓ ଅରୁପ ଶ୍ରୀଚନ୍ଦନ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *