ସରକାରରୁ ଚାଲିଗଲା ପରେ ଏବେ ବିଜେଡିର ନିଦ ଭାଙ୍ଗିଛି । ଗତ ୨୪ ବର୍ଷ ଧରି ପୋଲାଭରମ ପ୍ରକଳ୍ପ ପାଇଁ କୌଣସି ପଦକ୍ଷେପ ନନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ବିଜେଡି ସରକାର ଶୋଇଥିଲା । ଏବେ ଚର୍ଚ୍ଚାରେ ରହିବା ପାଇଁ ଅଯଥାରେ ରାଜନୀତି କରୁଛି । ପ୍ରକଳ୍ପ ଅଂଚଳ ଗସ୍ତ କରି ସେଠାକାର ଲୋକଙ୍କୁ ଭୟଭୀତ କରି ସରକାରଙ୍କୁ ବିରୋଧ କରିବାକୁ ପ୍ରୟାସ ଚଲାଇଛି । ପୋଲାଭରମ ପ୍ରକଳ୍ପକୁ ନେଇ ନିଜର ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ଚାହୁଁଥିବା ବିରୋଧୀଙ୍କ ଆଶା କେବେ ପୂରଣ ହେବ ନାହିଁ । ବିଜେଡି ଏବେ ନିଜର ଦୋଷ ଲୁଚାଇବା ପାଇଁ ହୀନ ରାଜନୀତି କରୁଛି ବୋଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି କହିଛନ୍ତି ।

ଶ୍ରୀ ମାଝି କହିଛନ୍ତି ଯେ, ନଦୀବନ୍ଧ ପ୍ରକଳ୍ପ କରିବା ପୂର୍ବରୁ ସର୍ବପ୍ରଥମେ ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡିକର ଏନ୍‌ଓସି ନିଆଯାଏ । କୌଣସି ରାଜ୍ୟ ଯଦି ଏନ୍‌ଓସି ନଦିଅନ୍ତି, ତେବେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିବ ନାହଁ । ୨୦୦୦ ମସିହାରେ ଏନ୍‌ଡିଏ ସରକାରରେ ବିଜୁ ଜନତାଦଳର ଜଣେ ନେତା କେନ୍ଦ୍ରରେ ଜଳସମ୍ପଦ ମନ୍ତ୍ରୀ ଥିଲେ । ଏହା ପରେ ୨୦୦୪ରେ ମାଲକାନାଗିରି ସୀମାନ୍ତ ଆନ୍ଧପ୍ରଦେଶର ୱେଷ୍ଟ ଗୋଦାବରୀ ଜିଲ୍ଲାରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତେବେଳେ ଏହି ପ୍ରକଳ୍ପ ପାଇଁ ଏନ୍‌ଓସି କିପରି ଓ କିଏ ଦେଲା ବୋଲି ଶ୍ରୀ ମାଝି ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରରେ ଥିବା ତତ୍କାଳୀନ କଂଗ୍ରେସ ସରକାର ଓଡ଼ିଶାର ସ୍ୱାର୍ଥ ପ୍ରତି ଧ୍ୟାନ ନଦେଇ ଏହି ପ୍ରକଳ୍ପ ଉପରେ ମୋହର ମାରିଥିଲା । ୨୦୦୦-୨୦୨୪ ପର୍ଯ୍ୟନ୍ତ ରାଜ୍ୟରେ ଜଳସମ୍ପଦ ବିଭାଗ ନବୀନ ପଟ୍ଟନାୟକଙ୍କ ହାତରେ ଥିଲା । ମାତ୍ର ଏହି ପ୍ରକଳ୍ପ ବନ୍ଦ କରିବା ପାଇଁ ସେ କୌଣସି ପଦକ୍ଷେପ ନନେଇ ଚୁପ୍ ବସିଥିଲେ । ତାଙ୍କର ଭୁଲ୍ ନୀତି ଯୋଗୁଁ ଓଡ଼ିଶାବାସୀ ଆଜି ହଇରାଣ ହେଉଛନ୍ତି । ବର୍ତ୍ତମାନ ଲୋକେ ବିଜେଡିକୁ ସରକାରରୁ ହଟାଇବା ପରେ ଗତ ଅଗଷ୍ଟରେ ତାଙ୍କ ଦଳର ନେତାମାନେ ପୋଲାଭରମ୍ ପ୍ରକଳ୍ପ ଅଂଚଳ ଗ୍ରସ୍ତ କରିଛନ୍ତି । ଏହି ସମୟରେ ସେମାନେ ୨୦୨୨ ଓ ୨୦୨୪ର ବନ୍ୟା ପ୍ରସଙ୍ଗ ଉଠାଉଛନ୍ତି । ମାତ୍ର ନଦୀବନ୍ଧର ମଞ୍ଜୁରୀ ଦେବା ଉପରେ କିଛି କହୁନାହାଁନ୍ତି । ଏହାଛଡା ୨୦୦୪ରୁ ୨୦୨୨ ପର୍ଯ୍ୟନ୍ତ ଏହି ପ୍ରକଳ୍ପକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବିଷୟରେ ମଧ୍ୟ କିଛି କହୁନାହାଁନ୍ତି । ଏବେ ବିଜେଡି ସୁପ୍ରିମକୋର୍ଟର ଜଜ୍‌ମେଣ୍ଟ ବିଷୟରେ କହୁଥିବା ବେଳେ ଏପର୍ଯ୍ୟନ୍ତ କଥା ଗଲା କାହିଁକି ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଶ୍ରୀ ମାଝି ବିଜେଡିର ନବରଙ୍ଗପୁରର ଲୋକସଭା ସଭ୍ୟ ଥିଲେ । ଏହି ସମୟରେ ବିଜେଡି ମୁଖିଆଙ୍କୁ ବ୍ୟକ୍ତିଗତ ଭାବରେ ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ କେନ୍ଦ୍ର ନିକଟରେ ଉଠାଇବା ପାଇଁ ଶ୍ରୀ ମାଝି ଅନୁରୋଧ କରିଥିଲେ । ଏହାକୁ ବିଜେଡି ମୁଖିଆ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ନବୀନ ବାବୁଙ୍କ ବ୍ୟକ୍ତିଗତ ସଚିବ ତଥା ପରବର୍ତୀ ସମୟରେ ବିଜୁ ଜନତା ଦଳର ନେତା ସାଜିଥିବା ବ୍ୟକ୍ତି ସେତେବେଳେ କହିଥିଲେ, ଆମେ କେସ୍ ହାରିସାରିଛୁ ତେଣୁ ଏବେ ଏହି ବିଷୟରେ କିଛି କରାଯାଇ ପାରିବନାହିଁ। ଏଭଳି ସ୍ଥିତିରେ ତମେ କାହିଁକି ମୁଣ୍ଡ ପୂରାଉଛ ବୋଲି କହି ଏହି ପ୍ରସଙ୍ଗକୁ ସେ ଏଡାଇ ଦେଇଥିଲେ । ଏହି ପ୍ରକାର ଆଭିମୁଖ୍ୟ ରଖୁଥିବା ବିଜେଡି ଦଳ ବର୍ତମାନ ୧୦ବର୍ଷ ପରେ ଏହି ପ୍ରସଙ୍ଗକୁ ନେଇ କାହିଁକି ରାଜନୀତି କରୁଛି ବୋଲି ଶ୍ରୀ ମାଝୀ କହିଛନ୍ତି।

ଅପର ପକ୍ଷେ ଓଡ଼ିଶାରେ ବିଜେପି ସରକାର ଗଠନ ପରେ ମାତ୍ର ୨ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ବିଜେଡି ଏହାକୁ ସହିନପାରି ଅଯଥାରେ ରାଜନୀତି କରିବା ପାଇଁ ଚେଷ୍ଟା କରୁଛି । ପୋଲାଭରମ ବିବାଦର ସମାଧାନ ପାଇଁ ସରକାରୀସ୍ତରରେ ପ୍ରୟାସ ଜାରି ରହିଛି । ବିଜେଡି ଯୋଗୁଁ ଯେଉଁ କ୍ଷତି ହୋଇସାରିଛି ତାହା ତ ପୂରଣ ହୋଇପାରିବନାହିଁ କିନ୍ତୁ ଆଉ ଯେପରି ଅଧିକ କ୍ଷତି ନହେବ ସେ ନେଇ ବିଜେପି ସରକାର କେନ୍ଦ୍ର ଓ ଆନ୍ଧ୍ରର ସରକାରଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।

Leave a Reply

Your email address will not be published. Required fields are marked *