ନିର୍ଭୟ ମିଡ଼ିଆ: ଭାରତୀୟ ଜନତା ପାର୍ଟିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାରେ ଏତେ ବିଳମ୍ବ ଘଟୁଛି କାହିଁକି? ୧୨ ତାରିଖ ଦିନ ୨୨ଟି ଆସନ ସକାଶେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି କୁହାଯାଉଥିଲା । କିନ୍ତୁ ୧୫ ତାରିଖ ହେଲା, ଏବେ ସୁଦ୍ଧା ଗଣ୍ଠି ଖୋଲୁନାହିଁ କି ତାଲିକା ପ୍ରକାଶ ପାଉନାହିଁ । ଏହା ପଛରେ କିଏ?

ଯଥେଷ୍ଟ ଆଗରୁ ଅର୍ଥାତ ଦୋଳ ପୂର୍ଣ୍ଣିମା ପୂର୍ବରୁ ୧୮ଟି ଲୋକସଭା ଆସନ ପାଇଁ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଏହାପରେ ଆଉ ୩ଟି ଆସନ ସକାଶେ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ସରିଛି । ଏପ୍ରିଲ ୨ ତାରିଖରେ ୧୧୨ଟି ବିଧାନସଭା ଆସନ ସକାଶେ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ବାକି ୩୫ଟି ଆସନ ପାଇଁ ଏତେ ବିଳମ୍ବ ଘଟୁଛି କାହିଁକି?

ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମର ସୂଚନା ଦେଇଥିଲେ ଯେ ୧୨ ତାରିଖରେ ଦ୍ୱିତୀୟ କିସ୍ତିର ପ୍ରାର୍ଥୀ ତାଲିକା ଜାରି କରାଯିବ । କିନ୍ତୁ ଦିନ ଗଡ଼ିଗଡ଼ି ଯାଉଛି । ଏହି ବିଳମ୍ବ କାରଣରୁ ବିଜଦ କଟାକ୍ଷ କରି କହୁଛି ଯେ, ଭାଜପାକୁ ପ୍ରାର୍ଥୀ ମିଳୁନାହାନ୍ତି । ମାତ୍ର ଆଶ୍ଚର୍ଯ୍ୟର କଥା ବିଜଦ ମଧ୍ୟ ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ।

ବିଧାନସଭା ପାଇଁ ପ୍ରଥମ କିସ୍ତିରେ ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ସେଥିରୁ ପ୍ରାୟ ୧୦ଟି ବିଧାନସଭା କ୍ଷେତ୍ରରେ ଘୋଷିତ ପ୍ରାର୍ଥୀଙ୍କୁ ନେଇ ପ୍ରବଳ କ୍ରିୟା ପ୍ରତିକ୍ରିୟା ପ୍ରକାଶ ପାଇସାରିଛି । ଏପରିକି କିଛି ଅସନ୍ତୁଷ୍ଟ ଆଶାୟୀ ସମର୍ଥକଙ୍କୁ ଧରି ରାଜ୍ୟ କାର୍ଯ୍ୟାଳୟ ଭିତରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଛନ୍ତି । ନିଆଁରେ ଘିଅ ଢାଳିବା ପରି କାମ କରୁଛି ବିଜୁ ଜନତା ଦଳ । ଏହା ଶାସକ ଦଳକୁ ସୁହାଉଛି । କିନ୍ତୁ ଲୋକସଭା ପ୍ରାର୍ଥୀଙ୍କୁ ନେଇ କେବଳ ବାଲେଶ୍ୱରକୁ ଛାଡ଼ିଦେଲେ ଆଉ କେଉଁଠି ସେମିତି ଅଡ଼ୁଆ ନାହିଁ ଭାଜପାରେ । ଅନ୍ୟପକ୍ଷରେ ବିଜଦ ପରଘରୁ ପ୍ରାର୍ଥୀ ଆଣି ନିଜ ଶଙ୍ଖ ବ୍ରାଣ୍ଡ ଲଗାଇ ଲୋକସଭା ସକାଶେ ପ୍ରାର୍ଥୀ କରିଛି ।

ଭାଜପାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଗୋଟିଏପଟେ ଦଳର ଜନଗ୍ରହଣୀୟଯୋଗ୍ୟତା ସୂଚାଇ ଦେଉଛି । କିନ୍ତୁ ସାମାନ୍ୟ ତଳେଇ ଦେଖିଲେ ଜଣାପଡ଼ୁଛି ଯେ କିଛି ନେତା କୋଟା ବ୍ୟବସ୍ଥା ପାଇଁ ଜିଦ ଧରିବା ଯୋଗୁ ଏକପ୍ରକାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ହାରିବା ପ୍ରାର୍ଥୀଙ୍କୁ ଟିକଟ ଦେଇଛି ଦଳ । ଅନେକଙ୍କ ଅଭିଯୋଗ ଯେ ଜାଣିଶୁଣି ଦଳର କ୍ଷତି ଘଟାଇବା ପାଇଁ ଏ ପ୍ରକାର ଉଦ୍ୟମ କରାଯାଇଛି । ଏପରିକି କିଛି ପ୍ରଭାବଶାଳୀ ନେତାଙ୍କ ଯୋଗୁ ମୋଦୀଙ୍କ ୩୭୦ ସ୍ୱପ୍ନ ପୂରଣ ହୋଇନପାରେ ବୋଲି ମଧ୍ୟ ଆଶଙ୍କା ହେଲାଣି । ଏହି ଗୋଷ୍ଠୀ କିଏ ତାହା ମଧ୍ୟ ସମସ୍ତେ ଜାଣନ୍ତି ।

ଦଳ ଭିତରୁ ଗୋଟିଏ ଗୋଷ୍ଠୀ ମେଣ୍ଟ ସପକ୍ଷବାଦୀ ଥିଲେ । କେମିତି ଆରାମରେ ସେମାନେ ଜିତିବେ ଏହି ଚିନ୍ତା ଥିଲା ସେମାନଙ୍କ ମନରେ । ସଂଘର ଜଣେ ପୁରୁଖା କର୍ମକର୍ତ୍ତା ବିପିନ ବିହାରୀ ନନ୍ଦ ମଧ୍ୟ ମେଣ୍ଟ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଏହି ନନ୍ଦଙ୍କ ସମର୍ଥକ ଭାଜପା ନେତାମାନେ ମେଣ୍ଟ ଚାହୁଁଥିଲେ । ମେଣ୍ଟ ନ ହେବା କାରଣରୁ ସେମାନେ ଏବେ ଦଳର କ୍ଷତି ଘଟାଇବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ଦଳ ଭିତରେ ଓ ବାହାରେ ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ମେ’ ୧୩ ତାରିଖରେ । ଏପ୍ରିଲ ୧୮ ତାରିଖରେ ଆନୁଷ୍ଠାନିକ ବିଜ୍ଞପ୍ତି ସହ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ । ଅର୍ଥାତ ହାତରେ ମାତ୍ର ଦୁଇଟି ଦିନ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ସହ ୨୮ଟି ବିଧାନସଭା ଆସନ ସକାଶେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । କିନ୍ତୁ ବ୍ରହ୍ମପୁର ଲୋକସଭା ଆସନର ଦିଗପହଣ୍ଡି ଅଡ଼ୁଆ ଏବେ ବି ତୁଟିନାହିଁ । ଯେତେ ବିଳମ୍ବ ହେବ ଭାଜପା ସେତିକି ପ୍ରଭାବିତ ହେବ । ବୋଧହୁଏ ଦଳର ମେଣ୍ଟ ସପକ୍ଷବାଦୀ ଗୋଷ୍ଠୀ ତାହା ହିଁ ଚାହୁଁଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *