ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳ ବୈଠକ ହୋଇଥିଲା। ବୈଠକରେ ରାଜ୍ୟସଭା ସାଂସଦମାନେ ଉପସ୍ଥିତ ଥିଲେ। ସଂସଦ ଅଧିବେଶନ ଆରମ୍ଭରେ ହେବାକୁ ଥିବାବେଳେ ବୈଠକରେ ସେ ନେଇ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡିଛି। ଏଥିସହ ବୈଠକରେ ସର୍ବସମ୍ମତିକ୍ରମେ ନବୀନ ସଂସଦୀୟ ଦଳର ଅଧ୍ୟକ୍ଷ ହୋଇଛନ୍ତି। ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟସଭାରେ ବିଜେଡି ଲଢ଼େଇ କରିବ। ସଂସଦରେ ଆଉ ନରମ ନୁହେଁ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବ ବିଜୁ ଜନତା ଦଳ। ତେଣୁ ବାରମ୍ବାର ଆଲୋଚନା କରି ଅଧିବେଶନରେ ଦଳର ଆଭିମୁଖ୍ୟ କିପରି ରହିବ ତାହା ସ୍ଥିର କରୁଛି ବିଜେଡି। ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ଲଢ଼େଇ କରିବ ବୋଲି ପ୍ରତିଶୃତିବଦ୍ଧ। ଗୃହରେ ବିରୋଧୀ ଭୂମିକାରେ ରହିବ ଦଳ । ଆବଶ୍ୟକ ପଡିଲେ ଗୃହର ମଧ୍ୟ ଭାଗକୁ ଆସି ପ୍ରତିବାଦ କରିବ। ସଂସଦ ଅଧିବେଶନରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଦାବି ଉଠାଇବ ବିଜେଡି। ଓଡ଼ିଶାରେ ଜାତୀୟ ରାଜପଥ ସ୍ଥିତି ଅତ୍ୟନ୍ତ ଶୋଚନୀୟ। ପ୍ରକଳ୍ପ କାର୍ଯ୍ୟକାରିତା ଅତ୍ୟନ୍ତ ମନ୍ଥର ହୋଇଥିବା ବେଳେ ମରାମତି କାର୍ଯ୍ୟ ବି ଠିକ୍ ହେଉନାହିଁ। କଟକ-ସମ୍ବଲପୁର ନିର୍ମାଣାଧୀନ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ସେହିଭଳି ୧୦ ବର୍ଷ ହେଲା ଉପକୂଳ ରାଜପଥ କାମ ଆରମ୍ଭ ହୋଇପାରୁନି। ପ୍ରତି ବ୍ଲକ୍ରେ କେନ୍ଦ୍ରୀୟ ବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ, ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ଏମ୍ସ ହସ୍ପିଟାଲ୍, ଯୁବବର୍ଗଙ୍କ ପାଇଁ ଆଇଟି ପାର୍କ, ସେମି କଣ୍ଡକ୍ଟର ପାର୍କ, ଏମ୍ଏସ୍ଏମ୍ଇ ପାର୍କ, ଇଣ୍ଡଷ୍ଟ୍ରିଆଲ୍ କରିଡର ସ୍ଥାପନ ପାଇଁ ବିଜେଡି ଦାବି କରିବ। ଆଦିବାସୀଙ୍କ ବିକାଶ ପାଇଁ ଏସ୍ଟି ତାଲିକାରେ ୧୬୨ ସମ୍ପ୍ରଦାୟଙ୍କୁ ଅନ୍ତର୍ଭୁକ୍ତ କରିବା, କେନ୍ଦୁପତ୍ର ଉପରୁ ଜିଏସ୍ଟି ପ୍ରତ୍ୟାହାର, ସ୍ୱାମୀନାଥନ୍ କମିସନ କମିଟି ରିପୋର୍ଟ ଆଧାରରେ କ୍ୱିଣ୍ଟାଲ୍ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା, ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଇବା, ଗ୍ରାମାଞ୍ଚଳରେ ବ୍ୟାଙ୍କ ସୁବିଧା, ୧୦୦ ପ୍ରତିଶତ ମୋବାଇଲ୍ ଓ ଡିଜିଟାଲ୍ ସେବା ପ୍ରଦାନ ପାଇଁ ଦାବି ଉପସ୍ଥାପନ କରାଯିବ। ନବୀନଙ୍କ ନେତୃତ୍ୱରେ ସାଢେ ୪ କୋଟି ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ନିରବଚ୍ଛିନ୍ନ ଲଢ଼େଇ ଜାରି ରଖିବାକୁ ବିଜୁ ଜନତା ଦଳ ଦୃଢ଼ପ୍ରତିଜ୍ଞ। ଓଡ଼ିଶାବାସୀଙ୍କ ସେବା ଓ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଦଳ ସବୁବେଳେ କାମ କରିବ ବୋଲି ଦଳ ବିଜେଡି କହିଛି। ଓଡ଼ିଶାବାସୀଙ୍କୁ ପରିବାର ମାନି ସର୍ବଦା ସେମାନଙ୍କ ସ୍ୱାଭିମାନ ପାଇଁ ଲଢେଇ ଜାରି ରହିବ। ଏଥିପାଇଁ ନବୀନ ଛାୟା ମନ୍ତ୍ରୀମଣ୍ଡଳ ଗଠନ କରି ସମସ୍ତ ବିଧାୟକଙ୍କୁ ସରକାରଙ୍କ ବିଭାଗ ଉପରେ ନଜର ରଖିବା ପାଇଁ ଦାୟିତ୍ୱ ଦେଇଛନ୍ତି। କୋଉଠି ସାମାନ୍ୟ ତ୍ରୁଟି ହେଲେ ବିଜେଡି ଗୃହରେ ଜବାବ ମାଗିବ। Post navigation ଭିଜିଲାନ୍ସର ହାତରେ ଧରାପଡିଲେ ସରପଞ୍ଚ ସଂକଳ୍ପପତ୍ରର ସମସ୍ତ ପ୍ରତିଶୃତି ପୂରଣ ହେବ: ମନମୋହନ