ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଗ୍ରାମ ଜଳମଗ୍ନ ହେବ ଓ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ଏହି ପ୍ରକଳ୍ପ କାମ ଆଗକୁ ବଢ଼ିବା ଉଚିତ ନୁହେଁ ବୋଲି ବିଜୁ ଜନତା ଦଳ ତରଫରୁ ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ବିଜେଡିର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଦଳର ସଭ୍ୟ ସଂଗ୍ରହ କମିଟିର ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ବିଜେଡିର ଏକ ପ୍ରତିନିଧୂ ମଣ୍ଡଳୀ ମଙ୍ଗଳବାର ଦିନ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବ ଓ ସେଠାରେ ପୋଲାଭରମ ପ୍ରକଳ୍ପ ସମ୍ବନ୍ଧୀୟ ବିଭାଗର ବିଭିନ୍ନ ଅଧିକାରୀଙ୍କୁ ଭେଟି ଏହି ପ୍ରକଳ୍ପ ହେଲେ ଓଡ଼ିଶାର ହେବାକୁ ଥିବା କ୍ଷତି ସମ୍ପର୍କରେ ଅବଗତ କରିବେ।

ଶ୍ରୀ ମିଶ୍ର କହିଥିଲେ, ପୋଲାଭରମ ପ୍ରକଳ୍ପ ଆରମ୍ଭ ସମୟରେ ଏହାର ଡିଜାଇନ ୩୬ ଲକ୍ଷ କ୍ଲାସେକ ଜଳ ରହିବ ବୋଲି କୁହାଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାର କ୍ଷମତା ୫୦ ଲକ୍ଷ କ୍ୟୁସେକକୁ ବଢ଼ାଇ ଦିଆଯାଇଥିଲା । ଏହି ପ୍ରକଳ୍ପର ଜଳଧାରଣ କ୍ଷମତା ବଢ଼ିଯିବା ପରେ ଏହାର ପ୍ରଭାବ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗୁଡିକରେ, ବିଶେଷକରି ମାଲକାନଗିରି ଜିଲ୍ଲା ଉପରେ କ’ଣ ପ୍ରଭାବ ପଡିବ, ତାହାର ଆକଳନ କରାଯାଇ ନଥିଲା I ତେଣୁ, ୨୦୦୭ ମସିହାରେ ରାଜ୍ୟ ସରକାର ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟର ଦ୍ବାରସ୍ଥ ହୋଇଥିଲେ । ପରେ, ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ମନ୍ତବ୍ୟ ରଖ୍ ପ୍ରକଳ୍ପର କ୍ଷମତା ବୃଦ୍ଧି ପରେ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଉପରେ ଏହାର ପ୍ରଭାବ ଆକଳନ କରିବାର ଆବଶ୍ୟକ‌ତା ରହିଛି ବୋଲି ମତ ଦେଇଥିଲେ। ଏହାପରେ ମଧ୍ୟ ଏହି ବନ୍ଧିତ କ୍ଷମତାରେ ପ୍ରକଳ୍ପ ହେଲେ, ପ୍ରକଳ୍ପର ବ୍ୟାକ ୱାଟର ବା ପଛୁଆ ପାଣି କେଉଁ କେଉଁ ଅଞ୍ଚଳକୁ ଜଳମଗ୍ନ କରିବ, ତାହାର ଆକଳନ କରାଯାଇନାହିଁ। ଆଇଆଇଟି ରୁର୍କୀ ଦ୍ଵାରା କରାଯାଇଥିବା ଏକ ଆକଳନରୁ ଜଣାପଡିଛି, ବନ୍ଧିତ କ୍ଷମତା ୫୦ ଲକ୍ଷ କ୍ଲାସେକ ଜଳ ହେଲେ ପଛୁଆ ପାଣିର ଉଚ୍ଚତା ୨୩୨.୨ ମିଟର ହେବ।

ଶ୍ରୀ ମିଶ୍ର କହିଥିଲେ, ଏହି ପ୍ରକଳ୍ପକୁ ପୁରା କରିବା ପାଇଁ କେନ୍ଦ୍ର ବଜେଟରେ ୧୫ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଥିଲା। ଏହି ଅନୁଦାନ ଘୋଷଣା ପରେ ମାଲକାନଗିରି ଜିଲ୍ଲାର ବାସିନ୍ଦା ମାନଙ୍କ ମଧ୍ୟରେ ନାନା ଆଶଙ୍କା ଦେଖାଯାଇଥିଲା । ମାଲକାନଗିରି ଜିଲ୍ଲାର ବାସିନ୍ଦାଙ୍କ ଆଶଙ୍କାକୁ ସମ୍ମାନ ଜଣାଇ ବିଜେଡିର ସଭାପତି ପ୍ରଥମେ ମାଲକାନଗିରି ଓ ପରେ ପ୍ରକଳ୍ପ ଅଞ୍ଚଳକୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇଥିଲେ କିନ୍ତ, ଏହାର ପ୍ରଭାବ କେଉଁ କେଉଁ ଅଞ୍ଚଳ ଉପରେ ପଡିବ ତାହା କେବଳ ସିଡବ୍ଲୁସିର ଅଧିକାରୀ ମାନେ କହିପାରିବେ ବୋଲି ସେଠାକାର ଅଧିକାରୀ ମାନେ କହିଥିଲେ । ବିଶେଷଜ୍ଞ ମାନଙ୍କ ସହ ଆଲୋଚନରୁ ଜଣାପଡିଛି, ଏହି ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଓ ପଡିଆ ଅଞ୍ଚଳର ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଗ୍ରାମ ଓ ପଡ଼ାଗ୍ରାମ କ୍ଷତିଗ୍ରସ୍ତ ହେବେ ।

ଶ୍ରୀ ମିଶ୍ର ଆହୁରି କହିଥିଲେ, ବିଜେଡିର ଏକ ପ୍ରତିନିଧି ମଣ୍ଡଳି ମଙ୍ଗଳବାର ଦିନ ଦିଲ୍ଲୀ ଯାଇ ସେଠାରେ ସିଡବ୍ଲୁସି ଅଧିକାରୀ ତଥା ସଂଲଗ୍ନ ବିଭିନ୍ନ ମନ୍ତ୍ରଣାଳୟ ଓ ନିୟାମକ ଅନୁଷ୍ଠାନର କର୍ତ୍ତୃପକ୍ଷମାନଙ୍କୁ ଭେଟିବା ସ‌ହ ପୋଲାଭରମର ଦାବିକୁ ଉପସ୍ଥାପନ କରିବେ । ଏଠାରୁ ଯାଉଥିବା ସାତ ଜଣ ପ୍ରତିନିଧୂ ମଣ୍ଡଳୀ ସହିତ ବିଜେଡିର ସାତ ଜଣ ରାଜ୍ୟସଭା ସାଂସଦ ମଧ୍ୟ ଦିଲ୍ଲୀରେ ଏହି ପ୍ରତିନିଧୂ ମଣ୍ଡଳୀ ସହିତ ଯୋଗଦେବେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *