ପିପିଲି ନାବାଳିକା ଦୁଷ୍କର୍ମ ଘଟଣାରେ ପୁରୀ ଏସ୍‌ପିଙ୍କୁ ଭେଟିଲା ବିଜେଡି । ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପୁରୀ ଜିଲ୍ଲାର ଏସ୍‌ପିଙ୍କୁ ଭେଟି ପିପିଲି ନାବାଳିକା ଦୁଷ୍କର୍ମ ଘଟଣାରେ ପୀଡିତାକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ମାମଲାରେ ଏକ ଫେରିବାଲାର ସମ୍ପୃକ୍ତି ରହିଥିବାରୁ, ଫେରିବାଲା ମାନଙ୍କ ପଞ୍ଜିକରଣ ବ୍ୟବସ୍ଥା ସହିତ ପୋଲିସ ପାଟ୍ରୋଲିଂ କଡ଼ାକଡି ବ୍ୟବସ୍ଥା କରିବା ପାଇଁ ଦଳ ତରଫରୁ ସ୍ମାରକପତ୍ରରେ ଦାବି କରାଯାଇଛି। ଏହା ସହ ସତ୍ୟବାଦୀ ଓ ପିପିଲି ଅଞ୍ଚଳରେ ଅବାଧ ନିଶା କାରବାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ବେଆଇନ ବାଲି ଓ ପଥର ଚାଲାଣ ନେଇ ଏସପିଙ୍କୁ ଅବଗତ କରାଯାଇଛି ।

ଦାବିପତ୍ରରେ ଲେଖା ଯାଇଛି ପୁରୀ ଜିଲ୍ଲାର ପିପିଲି ମ୍ୟୁନିସିପାଲଟି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗର ଜଘନ୍ୟ ଘଟଣାର ଗଭୀର ନିନ୍ଦା ଏବଂ ଗଭୀର ଚିନ୍ତା ପ୍ରକଟ କରୁଛି ବିଜେଡ଼ି । ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାର ସାବଲାର ଶେଖ ବରେଲି ନାମକ ଜଣେ ଫେରିବାଲା  ଦ୍ୱାରା କରାଯାଇଥିବା ଏହି ଘୃଣ୍ୟ ଅପରାଧ ସାରା ରାଜ୍ୟରେ ବ୍ୟାପକ ଦୁଃଖ ଏବଂ କ୍ରୋଧର କାରଣ ହୋଇଛି। ପୀଡିତାଙ୍କ ପରିବାରର ଅଭିଯୋଗ ପରେ ପିପିଲି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଆମେ ତାଙ୍କୁ ପ୍ରଶଂସା କରୁଛୁ। ତଥାପି, ଅପରାଧୀକୁ ନ୍ୟାୟ ପ୍ରଦାନ କରିବା ଏବଂ ଏପରି ନିନ୍ଦନୀୟ କାର୍ଯ୍ୟର ପୁନରାବୃତ୍ତି ନହେବା ନିଶ୍ଚିତ କରିବା ପାଇଁ ଏକ ସମ୍ପୂର୍ଣ୍ଣ, ନିରପେକ୍ଷ ଏବଂ ଦ୍ରୁତ ତଦନ୍ତର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ।

ଏହା ସହ ବିଜେଡ଼ିର ପ୍ରତିନିଧି ମଣ୍ଡଳୀ ପୀଡ଼ିତାଙ୍କ ପରିବାରକୁ ଭେଟି ତାଙ୍କୁ ସାନ୍ତ୍ୱନା ଦେବା ସହିତ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜୁ ଜନତା ଦଳ ତାଙ୍କ ସହିତ ରହିଛି ବୋଲି କହିଥିଲେ। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ନାରୀ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏହି ପ୍ରତିନିଧି ମଣ୍ଡଳୀ ।

ବିଜୁ ଜନତା ଦଳର ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ସୋଫିଆ ଆଲମ, ଶ୍ରୀମତୀ ଭାରତୀ ସିଂହ ଇତ୍ୟାଦି ସାମିଲ ଥିବାବେଳେ ତାଙ୍କ ସହିତ ପୂର୍ବତନ ବିଧାୟକ ତଥା ପୁରୀ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ, ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ, ପିପିଲିର ପୂର୍ବତନ ବିଧାୟକ ଶ୍ରୀ ରୁଦ୍ର ପ୍ରତାପ ମହାରଥୀ ଉପସ୍ଥିତ ଥିଲେ।

ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ତୁରନ୍ତ ଚାର୍ଜସିଟ୍ ପ୍ରଦାନ ସହ ଫାଷ୍ଟଟ୍ରାକ କୋର୍ଟର ମାମଲାର ବିଚାର ହେବ ବୋଲି ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ; ପିପିଲି ଥାନା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳରେ ଏକ ୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ନାବାଳିକା ଜଣକ ବଙ୍ଗାଳୀ ଫେରିବାଲା ନିକଟକୁ ରବର ବ୍ୟାଣ୍ଡ କିଣିବାକୁ ଯାଇଥିଲା । ସେହି ସମୟରେ ଏକାକୀ ଥିବା ସୁଯୋଗ ନେଇ ନିଜ ଘରେ ନାବାଳିକା ସହିତ ଦୁଷ୍କର୍ମ କରିଥିଲା । ଭୟରେ ନାବାଳିକା ଘରେ କିଛି କହିନଥିଲା । ଅଧିକ ଯନ୍ତ୍ରଣା ହେବା ହେତୁ ନାବାଳିକାର ମାଆ ମେଡିକାଲ ଚିକିତ୍ସା ପାଇଁ ନେଇଥିଲେ । ଏହାପରେ ପୀଡ଼ିତଙ୍କ ମାଆ ସମସ୍ତ ଘଟଣା ଜାଣିବା ପରେ ପୋଲିସ ରେ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *