ଏଲପିଜି ସିଲିଣ୍ଡର, ଖାଦ୍ୟ ତେଲ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ବିଜୁ ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳର ହଜାର ହଜାର କର୍ମୀ, ମହିଳା, ଯୁବ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ, ଲଗାତାର ଦରବୃଦ୍ଧି ଦ୍ୱାରା ସାଧାରଣ ଲୋକଙ୍କ ଜୀବନ ଦୁର୍ବିଷୟ ହେଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ । ବିଜେପି ସରକାରଙ୍କ ଅବହେଳା ଓ ନିଷ୍କ୍ରିୟତା ବିରୋଧରେ ସ୍ଲୋଗାନ୍ ଦେଇ ରାସ୍ତା ଉପରେ କାଠ ଚୁଲାରେ ରୋଷେଇ କରି ପ୍ରତିବାଦ କରିଥିଲା ବିଜୁ ଜନତା ଦଳ । ଗତ ମାର୍ଚ୍ଚ ୭ ତାରିଖରୁ ସାରା ଦେଶରେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ୬୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ବାଣିଜି୍ୟକ ସିଲିଣ୍ଡର ଦର ୧୧୫ ଟଙ୍କା ବୃଦ୍ଧି ପାଇଛି । ଏହି ଦରବୃଦ୍ଧି ସାଧାରଣ ଜନତା, ଛୋଟ ବ୍ୟବସାୟୀ ଓ ବାଣିଜି୍ୟକ ସଂସ୍ଥାମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ପକାଇଛି । ସଭାକୁ ସମ୍ୱୋଧନ କରି ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ସୁଭଦ୍ରା ଯୋଜନା ନାମରେ ମହିଳାମାନଙ୍କୁ ୫୦,୦୦୦ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ମାତ୍ର ୫,୦୦୦ ଟଙ୍କା ଦେଇ ଠକିଛି ବିଜେପି ସରକାର । ମହିଳାମାନଙ୍କ ଆର୍ଥିକ ସୁରକ୍ଷାକୁ ମଜବୁତ କରିବା ପରିବର୍ତ୍ତେ ସରକାର ଦରବୃଦ୍ଧି ମାଧ୍ୟମରେ ସେମାନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି । ଏହି ଅବସରରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଥିଲେ ଯେ, ଆଗରୁ ଆନ୍ତର୍ଜାତୀୟ ବଜାରରେ ତେଲ ଦର କମିଥିବା ସତ୍ତ୍ୱେ, ସେହି ଲାଭ ସାଧାରଣ ଲୋକଙ୍କୁ ଦିଆଯାଇ ନଥିଲା । ଡବଲ୍ ଇଞ୍ଜିନ ସରକାର ତେଲ କମ୍ପାନୀମାନଙ୍କ ସ୍ୱାର୍ଥରେ କାମ କରୁଛି ଓ ସରକାର ତେଲ ବ୍ୟବସାୟକୁ ସଠିକ୍ ଭାବେ ପରିଚାଳନା କରିବାରେ ବିଫଳ ହୋଇଛନ୍ତି । ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ କହିଥିଲେ ଯେ, ଲକ୍ଷାଧିକ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିବାରୁ କମନ୍ ମେସ୍ର ଖର୍ଚ୍ଚ ବଢ଼ିବ ଏବଂ ମାସିକ ଖର୍ଚ୍ଚର ଭାର ବଢ଼ିଯିବ । ଛାତ୍ରଛାତ୍ରୀମାନେ ଏହାଦ୍ୱାରା ବେଶୀ ପ୍ରଭାବିତ ହେବେ । ଏଲପିଜି ଯୋଗାଣ ସୁନିଶ୍ଚିତ କରିବାକୁ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସାରା ରାଜ୍ୟରେ ବିଶାଳ ଆନ୍ଦୋଳନ କରାଯିବ । Post navigation Satyabrata Patra Joins The Congress Party: କଂଗ୍ରେସରେ ପୁନଃ ଯୋଗ ଦେଲେ ନିମାପଡ଼ାର ବିଶିଷ୍ଟ ନେତା ସତ୍ୟବ୍ରତ ପାତ୍ର