କେନ୍ଦ୍ର ସରକାରଙ୍କ ଦ୍ୱାରା ପେଟ୍ରୋଲ ଓ ଡିଜେଲର ଏକ୍ସସାଇଜ ଦରରେ ଲିଟର ପ୍ରତି ଦଶ ଟଙ୍କା ହ୍ରାସ କରିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ବିଜୁ ଜନତା ଦଳ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ଲାଗୁ କରିଥିବା ଭାଟକୁ ହ୍ରାସ କରିବା ପାଇଁ ଦାବି ରଖିଛି ।

ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ସମ୍ପ୍ରତି ଇସ୍ରାଏଲ, ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ସମଗ୍ର ବିଶ୍ୱରେ ଇନ୍ଧନ ସଙ୍କଟ ଦେଖା ଦେଇଛି, ଯାହାକୁ ନେଇ ଜନସାଧାରଣ ମନରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯଦିଓ ସରକାରଙ୍କ ତରଫରୁ ବାରମ୍ୱାର ସଙ୍କଟ ସ୍ଥିତି ଆସିନାହିଁ ବୋଲି ସୂଚନା ଦିଆଯାଉଛି, ତଥାପି ଏହା ଜନସାଧାରଣଙ୍କ ମନରୁ ସନେ୍ଦହ ଦୂର କରିପାରି ନାହିଁ । ଏହି ପରିସ୍ଥିତିରେ, କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲର ଏକ୍ସସାଇଜ ଦର ଉପରେ ପ୍ରତି ଲିଟର ଦଶ ଟଙ୍କା କମାଇଛନ୍ତି । କିନ୍ତୁ, କେଉଁ ପରିପ୍ରେକ୍ଷୀରେ ଏକ୍ସସାଇଜ ଦର କମାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ପେଟ୍ରୋଲ ଓ ଡିଜେଲ ମିଳିବାରେ ସମସ୍ୟା ଦେଖା ଦେଇଥିବାରୁ ଏହାର ମୂଲ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଦରବୃଦ୍ଧି ହେଲେ ଜନ ଆକ୍ରୋଶରୁ ରକ୍ଷା ପାଇବା ଉଦେ୍ଦଶ୍ୟରେ ସମ୍ଭବତଃ ସରକାର ପୂର୍ବରୁ ଏକ୍ସସାଇଜ ଦର ହ୍ରାସ କରିଛନ୍ତି ବୋଲି କୁହାଯାଉଛି । ବର୍ତ୍ତମାନ ଇନ୍ଧନ ଯୋଗାଣରେ ବ୍ୟାହତ ନହେବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହୋଇଛି ।

ଲେନିନ ମହାନ୍ତି କହିଛନ୍ତି, କେନ୍ଦ୍ର ସରକାରଙ୍କ ଏକ୍ସସାଇଜ ଦର ହ୍ରାସ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତ କରିବା, କେବଳ ଏକ ଚିରାଚରିତ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯଦି ରାଜ୍ୟବାସୀଙ୍କୁ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସୁରୁଖୁରୁରେ ଯୋଗାଇ ଦେବା ପାଇଁ ତତ୍ପର ଅଛନ୍ତି, ତାହେଲେ ସେ ରାଜ୍ୟ ସରକାର ଲାଗୁ କରୁଥିବା ଭାଟକୁ କମ୍ କରନ୍ତୁ । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେପି ବିରୋଧୀ ଦଳରେ ଥିବା ସମୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉପରୁ ଭାଟ୍ ହ୍ରାସ ପାଇଁ ବାରମ୍ୱାର ଦାବି କରୁଥିଲା । ଉଲ୍ଲେଖଯୋଗ୍ୟ, ପେଟ୍ରୋଲ, ଡିଜେଲ ଉପରେ ସମସ୍ତ ରାଜ୍ୟ ସରକାର ମାନଙ୍କ ଦ୍ୱାରା ଲାଗୁ କରାଯାଉଥିବା ଭାଟ୍ ଭିତରେ ଓଡ଼ିଶାର ଦର ସର୍ବାଗ୍ରେ ରହିଛି । ଏହା ଉପରେ ଓଡିଶା ସରକାରଙ୍କ ଦ୍ୱାରା ୨୮ ପ୍ରତିଶତ ଭାଟ ଲାଗୁ ହେଉଥିବା ବେଳେ, ମହାରାଷ୍ଟ୍ର ଦ୍ୱାରା ୨୫ ପ୍ରତିଶତ, ମଧ୍ୟ ପ୍ରଦେଶ ଦ୍ୱାରା ୨୫ ପ୍ରତିଶତ, ରାଜସ୍ଥାନ ଦ୍ୱାରା ୧୯ ପ୍ରତିଶତ ରହିଛି । ତେଣୁ, କେବଳ ଚିରାଚରିତ ଭାବେ କେନ୍ଦ୍ର ଦ୍ୱାରା କରାଯାଇଥିବା ଏକ୍ସସାଇଜ ଦର ହ୍ରାସକୁ ସ୍ୱାଗତ ନକରି, ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ଭାଟ୍ ହ୍ରାସ କରନ୍ତୁ ବୋଲି ଲେନିନ ମହାନ୍ତି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *