ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀରେ ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହ ବଳି ବାମନ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୁ। ଗତକାଲି ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହୋଇଥିଲା । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ । ସେଥିପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହେବାକୁ ଲାଗିଛି । ଶ୍ରୀବଳଭଦ୍ର ରାଜବେଶ, ଦେବୀ ସୁଭଦ୍ରା ସାଧାରଣ ବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବାମନ ବେଶରେ ଦର୍ଶନ କରିବେ ଭକ୍ତଗଣ ।

ଏହି ବେଶ ଦ୍ବିପହର ଧୂପ ସରିବା ପରେ ଅନୁଷ୍ଠିତ ହେବକୁ ଥିବା ବେଳେ ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ରହିବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ। ଏଥିରେ ଶ୍ରୀ ସୁଭଦ୍ରା ସାଧାରଣ ବେଶ ଓ ଶ୍ରୀବଳଭଦ୍ର ରାଜ ବେଶରେ ଦୃଶ୍ୟମାନ ହେନେ। ମହାପ୍ରଭୁଙ୍କ ଶ୍ରୀଭୂଜର ବାମ ହସ୍ତରେ ଛତା ଓ ଡାହାଣ ହସ୍ତରେ କୁଶବଟୁ ଗଡ଼ୁ ଧାରଣ ପୂର୍ବକ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ଭୂଷିତ କରାଯାଇଥାଏ ।ପୁଷ୍ପାଳକ ସେବକମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଏପରି ବେଶ କରିଥାନ୍ତି,ଜଣାଯାଏ ସତେ ଯେପରି ଜଗନ୍ନାଥ ମହାପ୍ରଭୁ ସ୍ୱୟଂ ଏକ ବାମନ ବା କ୍ଷୁଦ୍ରକାୟ ବିପ୍ର ଅଟନ୍ତି ।

Leave a Reply

Your email address will not be published. Required fields are marked *