ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ । ଶରଧାବାଲିରେ ଦଣ୍ଡାୟମାନ ୩ ରଥରେ ବିଜେ କରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ । ପୁଣି ଆରବର୍ଷ ଆଡ଼ପମଣ୍ଡପରେ ମିଳିବ ମହାପ୍ରଭୁଙ୍କ ଦର୍ଶନ । ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି।

ମହାପ୍ରଭୁ ଆଡ଼ପ ମଣ୍ଡପରେ ଲୀଳା ସାରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବା ପାଇଁ ପ୍ରସ୍ତୁତ ଥିବାବେଳେ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ ରହିଛନ୍ତି। ସେବାୟତ ଓ ଭକ୍ତମାନେ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ସୋମବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପ ଲାଗି ଓ ରୋଷ ହୋମ, ଅବକାଶ ୫ଟା, ସୂର୍ଯ୍ୟପୂଜା ୫ଟା ୧୫, ଦ୍ୱାରପାଳ ପୂଜା ଓ ବେଶ ଶେଷ ୫ଟା ୩୦ରେ ହେବ। ସେହିପରି ଗୋପାଳ ବଲ୍ଲଭ ଓ ସକାଳ ଧୂପ ସକାଳ ୫ଟା ୪୫ରୁ ୬ଟା ୪୫, ସେନାପଟା ଲାଗି ସକାଳ ୭ରୁ ପୂର୍ବାହ୍ନ ୧୧ଟା ୩୦, ମଙ୍ଗଳାର୍ପଣ ୧୧ଟା ୪୫, ମଙ୍ଗଳାର୍ପଣ ପରେ ଡୋର ଲାଗି ହୋଇ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ରେ ପହଣ୍ଡି ସରିବ। ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା, ଚାରମାଳ ଫିଟା, ଘୋଡାଲାଗି ଅପରାହ୍ନ ୩ଟାରୁ ୪ଟା ହେବାପରେ ୪ଟାରୁ ରଥଟଣା ଆରମ୍ଭ ହେବ।

ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିବା ନୀତିନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ ବୋଲି ସେବାୟତମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *