ଔଷଧ ଦୋକାନ ଲାଇସେନ୍ସ କରାଇଦେବା ପାଇଁ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଯାଜପୁରର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ କୁମାର ହାଁସଦାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ସେ ଯାଜପୁର ସହ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ଥିଲେ।

ଖବର ଅନୁଯାୟୀ, ଜଣେ ଆବେଦନକାରୀ ନିଜର ହୋଲସେଲ ଔଷଧ ଦୋକାନ ପାଇଁ ୨୦୨୫ ମସିହା ମେ’ ୧୧ ତାରିଖରେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ସେ ବାରମ୍ବାର ସଞ୍ଜୟ ହାଁସଦାଙ୍କୁ ସାକ୍ଷାତ କରିଥିଲେ ମଧ୍ୟ ସେ ଫାଇଲ୍ ଆଗକୁ ନବଢ଼ାଇ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଶେଷରେ ଆବେଦନକାରୀ ନିରୁପାୟ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ବୁଧବାର ଦିନ, ଆବେଦନକାରୀ ଅଫିସକୁ ଯାଇଥିବା ବେଳେ ସଞ୍ଜୟ ସେଠାରେ ଉପସ୍ଥିତ ନଥିଲେ। ଫୋନ୍‌ରେ କଥା ହେବା ପରେ ସେ ପାରାଦୀପ-କଟକ ରାସ୍ତା କଡ଼ରେ ଥିବା ଜୟପୁର ଛକ ନିକଟକୁ ଡାକିଥିଲେ। ସେଠାରେ ନିଜ ୱାଗନଆର୍ କାର୍ ଭିତରେ ବସାଇ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବରୁ ଓତ୍ ପାତି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍‌ହାଣ୍ଡେଡ୍ ଧରିଥିଲା।

ସଞ୍ଜୟଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ୬,୦୦୦ ଟଙ୍କା ଜବତ କରାଯାଇଛି। ଏହା ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଅଫିସ ଏବଂ ବାସଭବନରେ ଚଢ଼ାଉ ଜାରି ରହିଛି। ଏନେଇ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।

 

Leave a Reply

Your email address will not be published. Required fields are marked *