ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ୯ଦିନର ନବଜାତ ଶିଶୁକନ୍ୟା ବିକ୍ରି ମାମଲାରେ ସଂପୃକ୍ତି ଅଭିଯୋଗରେ ଏଏନ୍‌ଏମ୍‌ ନିଲମ୍ବିତ ହୋଇଛନ୍ତି।ଏଏନ୍‌ଏମ୍‌ ‌ମମତା ଭୋଇଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ନିଲମ୍ବନ କରିଥିବା ସୂଚନା ମିଳିଛି। ନବଜାତ ଶିଶୁକନ୍ୟାକୁ ତାଙ୍କ ମା’ଙ୍କ ଠାରୁ ଆଣି ଏକ ଅଣଓଡ଼ିଆ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ ଏଏନଏମ ମମତା ଭୋଇ।

ସୂଚନଯୋଗ୍ୟ; ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଏକ ଦାଦନ ପ୍ରବଣ ଉପାନ୍ତ ଅଞ୍ଚଳ। ଖପ୍ରାଖୋଲ ବ୍ଲକ ଲାଠୋର ଥାନା କରୁଁଆଝର ଗ୍ରାମପଞ୍ଚାୟତ ସାନଗୁର୍ଜିଭଟା ଗାଁ ର ପାଲିପଡ଼ା ରେ ରୁହନ୍ତି ଅମୃତ ନାଗ ଓ ଅରୁଣାବତୀ ନାଗ। ଅରୁଣାବତୀ ନାଗ ଗତ ନଭେମ୍ବର ୨ ତାରିଖରେ ସୁନାମୁଦୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ୩ ତାରିଖ ଦିନ ମା ଓ ଶିଶୁର ସ୍ୱାସ୍ଥ୍ୟବସ୍ତା ବୁଝିବା ପାଇଁ ସ୍ଥାନୀୟ ଆଶାକର୍ମୀ ଯେତେବେଳେ ତାଙ୍କ ଘରେ ପହଁଚିଥିଲେ ସେତେବେଳେ ନବଜାତ ଶିଶୁ କନ୍ୟାକୁ ପାଇଲେନି କି ମାଆ କିଛି କହିଲାନି । ଯାହାକୁ ନେଇ ସନ୍ଦେହ ପ୍ରକାଶ କଲେ ଆଶାକର୍ମୀ । ଘରେ ମା ଅଛି ହେଲେ ଶିଶୁକନ୍ୟା ନଥିବାରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ଆଶାକର୍ମୀ ।

ଶିଶୁ ବିକ୍ରି ଚର୍ଚ୍ଚା ଅଞ୍ଚଳରେ ଜୋର ଧରିଥିବାବେଳେ ଆଶାଙ୍କ ରିପୋର୍ଟ ଆଧାରରେ ନଭେମ୍ବର ୧୩ ତାରିଖରେ ଅଧିକ ତଦନ୍ତପାଇଁ ଗାଁରେ ପହଁଚିଥିଲେ ଶିଶୁ ସୁରକ୍ଷା ଟିମ ଓ ପୋଲିସ  । ସେମାନଙ୍କ ପଚରାଉଚରା ବେଳେ ଶିଶୁକନ୍ୟାର ମା’ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଶିଶୁସୁରକ୍ଷା ଅଧିକାରୀ ଲାଠୋର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ।

ଏହା ପରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଉପ ମୁଖ୍ୟମନ୍ତ୍ରୀ ନଭେମ୍ବର ୧୯ ତାରିଖରେ ଗାଁରେ ପହଂଚିଥିଲେ । ଉପମୁଖ୍ୟମନ୍ତ୍ରୀ ସିଂହଦେଓ ଅରୁଣାଙ୍କୁ ଘଟଣାକୁ ନେଇ ପଚାରିଥିଲେ। ଏହା ପରେ ନିଜର ଗରିବ ପରିସ୍ଥିତି ପାଇଁ  ନିଃସନ୍ତାନ ଦମ୍ପତିଙ୍କୁ ଅରୁଣାର ପ୍ରସବ କରାଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ମମତା ଭୋଇଙ୍କ ମାଧ୍ୟମରେ ରାମପୁରର ଆଭା ଅଗ୍ରୱାଲ ଓ ରବୀନ୍ଦ୍ର ଅଗ୍ରୱାଲଙ୍କୁ ଶିଶୁକନ୍ୟାକୁ ଦେଇଥିବା କହିଥିଲେ। ଏହା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉପମୂଖ୍ୟମନ୍ତ୍ରୀ ।

ଏହା ପରେ ସିଡିଏମଓ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ସୁନାମୁଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଏନଏମ୍ ମମତା ଭୋଇଙ୍କୁ ନିଲମ୍ବନ କରିଛନ୍ତି ।

Leave a Reply

Your email address will not be published. Required fields are marked *