ରାଜ୍ୟରେ ଏବେ ପାଗ ଅନୁକୂଳ ରହିଛି। ସେଥିପାଇଁ ଆଜିଠୁ ରାଜ୍ୟରେ ସ୍ୱାଭାବିକ ହୋଇଛି ସ୍କୁଲ ସମୟ । ସ୍କୁଲ ଖୋଲାଯାଇ ସକାଳ ୧୦ଟାରୁ ପାଠପଢା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ଯାଏଁ କ୍ଲାସ୍‌‌ ହେବ।

ସୂଚନା ଯୋଗ୍ୟ ପୂର୍ବରୁ ଗ୍ରୀଷ୍ମ ଅବକାଶ ପରେ ଗତ ୧୮ତାରିଖ ଦିନ ସ୍କୁଲ ଖୋଲିଥିଲା। ହେଲେ ଖରା ଓ ଗୁଳୁଗୁଳି ଜାରି ରହିଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ଜିଲାପାଳମାନଙ୍କୁ ଦେଇଥିଲେ। ତେଣୁ ରାଜ୍ୟର ସବୁ ଜିଲାରେ ସ୍କୁଲ ଖୋଲି ନ ଥିଲା। ଯେଉଁ ଜିଲାରେ ସ୍କୁଲଗୁଡ଼ିକ ଖୋଲା ଯାଇଥିଲା, ସେଠାରେ ସକାଳୁଆ ହୋଇଥିଲା। ଏହାପରେ ୨୦ରୁ ୨୨ ପର୍ଯ୍ୟନ୍ତ ସକାଳ ସାଢ଼େ ୬ରୁ ସାଢ଼େ ୧୦ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ ବୋଲି ସ୍ଥାନୀୟ ଜିଲାପାଳମାନେ ନିର୍ଦ୍ଦେଶ ଦେଇଥିଲେ।ତେବେ ସାରା ରାଜ୍ୟକୁ ମୌସୁମୀ ଛୁଇଁବା ସହ ଏବେ ଖରା କମିଥିବାରୁ ଆଜିଠୁ ସ୍ୱାଭାବିକ ଭାବେ ସ୍କୁଲ ଖୋଲିବାକୁ ନିଷ୍ପତି ନିଆଯାଇଛି।

Leave a Reply

Your email address will not be published. Required fields are marked *