ରାଜ୍ୟରେ ଶେଷ ହୋଇଥିବା କଲେଜ ନିର୍ବାଚନ ପରେ ଏବେ ଛାତ୍ର ପ୍ରତିନିଧିମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ କଲେଜ ନିର୍ବାଚନରେ ବିପୁଳ ସଫଳତା ହାସଲ କରିଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନବନିର୍ବାଚିତ ଛାତ୍ର ପ୍ରତିନିଧି ଓ କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ଅବସରରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଭିନ୍ନ ନେତାଗଣ ମଧ୍ୟ ଉପସ୍ଥିତ ରହି ଛାତ୍ରନେତାମାନଙ୍କୁ ଉତ୍ସାହିତ କରିଥିଲେ। ବିଜୟୀ ଛାତ୍ର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିବା ସହ ଉଚ୍ଚଶିକ୍ଷା କ୍ଷେତ୍ରର ବିକାଶ ଓ ଛାତ୍ରସମାଜର କଲ୍ୟାଣ ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନେତୃତ୍ୱ ନେବାର ଶୃଙ୍ଖଳା ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ର ସଂସଦ ହେଉଛି ଭବିଷ୍ୟତର ସଫଳ ନେତା ଗଢ଼ିବାର ପ୍ରାଥମିକ ଶାଣଶାଳା। ସମସ୍ତ ବିଜୟୀ ପ୍ରତିନିଧି କ୍ୟାମ୍ପସରେ ଶିକ୍ଷାଗତ ପରିବେଶକୁ ଅଧିକ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଉଭୟ ନେତୃବୃନ୍ଦ ପରାମର୍ଶ ଦେଇଛନ୍ତି। ଏହାସହ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳ କ୍ୟାରିୟର କାମନା କରି ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗ୍ରହଣଯୋଗ୍ୟତା ଏବଂ ପ୍ରେରଣାଦାୟୀ ପରାମର୍ଶ ଛାତ୍ର ପ୍ରତିନିଧିମାନଙ୍କ ମଧ୍ୟରେ ଏକ ନୂତନ ଜୋସ୍ ଓ ଉତ୍ସାହ ଭରିଦେଇଛି। ଭବିଷ୍ୟତରେ ଛାତ୍ର ସଂଗଠନ ଏବଂ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତେ ସଙ୍କଳ୍ପବଦ୍ଧ ହୋଇଛନ୍ତି । Post navigation Complaint against Collector: ସାଂସଦ ପ୍ରଦୀପ ପୁରୋହିତଙ୍କ ସ୍ୱାଧିକାର ଭଙ୍ଗ ଅଭିଯୋଗକୁ ଖଣ୍ଡନ କଲେ ଜିଲ୍ଲାପାଳ India Squad Announced for New Zealand Series: ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା