ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପକ୍ଷରୁ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ବିରୋଧରେ ଆଗତ ସ୍ୱାଧିକାର ଭଙ୍ଗ ଅଭିଯୋଗ ଉପରେ ଜିଲ୍ଲାପାଳଙ୍କ ପକ୍ଷ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି । ସାଂସଦଙ୍କ ଅଭିଯୋଗର ଜବାବରେ ଜିଲ୍ଲାପାଳ ନିଜର ପକ୍ଷ ରଖିବା ସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଅଗଷ୍ଟ ୧୦ ତାରିଖରେ ସାଂସଦ ପ୍ରଦୀପ ପୁରୋହିତ ସଂସଦୀୟ କାର୍ଯ୍ୟବିଧି ଓ ପରିଚାଳନା ନିୟମାବଳୀର ଧାରା ୨୨୨ ଅନୁଯାୟୀ ଜିଲ୍ଲାପାଳଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଥିଲେ । ଏହି ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ନିଜର ତଥ୍ୟଭିତ୍ତିକ ରିପୋର୍ଟ ଦାଖଲ କରିଥିଲେ । ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୧୬ ତାରିଖରେ ଏହି ରିପୋର୍ଟକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପଠାଯାଇଛି । ସୂଚନାଯୋଗ୍ୟ, ବରଗଡ଼ ଶାଖା କେନାଲ ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ନେଇ ସାଂସଦଙ୍କୁ ନିମନ୍ତ୍ରଣ କିମ୍ବା ସୂଚନା ଦିଆଯାଇ ନଥିବା ଏବଂ ଶିଳାନ୍ୟାସ ଫଳକରେ ତାଙ୍କ ନାମ ଉଲ୍ଲେଖ ହୋଇନଥିବା ଅଭିଯୋଗ ହୋଇଥିଲା । ଏହି କାର୍ଯ୍ୟକ୍ରମ ମେ’ ୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା । ତେବେ ଜିଲ୍ଲାପାଳ ନିଜ ପକ୍ଷ ରଖି କହିଛନ୍ତି ଯେ, ଏହି ପ୍ରକଳ୍ପ ଜଳସମ୍ପଦ ବିଭାଗର ଅଧୀନରେ ଥିବାରୁ କାର୍ଯ୍ୟକ୍ରମ ଆୟୋଜନ, ନିମନ୍ତ୍ରଣ ଓ ଶିଳାନ୍ୟାସ ଫଳକ ପ୍ରସ୍ତୁତି ଦାୟିତ୍ୱ ସମ୍ପୃକ୍ତ କାର୍ଯ୍ୟକାରୀ ବିଭାଗର ଥିଲା । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ତାଙ୍କୁ କୌଣସି ଔପଚାରିକ ସୂଚନା ମଧ୍ୟ ମିଳିନଥିଲା । ସାଂସଦଙ୍କୁ ଜାଣିଶୁଣି ବାଦ୍ ଦେବା ପାଇଁ ସେ କୌଣସି ନିର୍ଦ୍ଦେଶ ଦେଇନଥିବା ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ପିଏମ୍-କିଷାନ କାର୍ଯ୍ୟକ୍ରମରେ ସାଂସଦଙ୍କୁ ଅବହେଳା କରାଯିବା ଓ ସରକାରୀ ଯୋଜନା ସମ୍ପର୍କିତ ସୂଚନା ଦିଆଯାଉନଥିବା ଅଭିଯୋଗକୁ ମଧ୍ୟ ଜିଲ୍ଲାପାଳ ଖଣ୍ଡନ କରିଛନ୍ତି । ତାଙ୍କ ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ୨୦୨୪ ଜୁନ୍ରୁ ୨୦୨୬ ଜୁନ୍ ମଧ୍ୟରେ ସାତଟି ପିଏମ୍-କିଷାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିପାଇଁ ସାଂସଦଙ୍କ ସମେତ ଜିଲ୍ଲାର ବିଧାୟକ ଓ ଅନ୍ୟ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେହିପରି, ୨୦୨୬ ଜାନୁଆରୀରୁ ଏଯାବତ୍ ସାଂସଦଙ୍କ ପକ୍ଷରୁ ମିଳିଥିବା ୪୧ଟି ଚିଠିକୁ ସ୍ୱୀକାର କରାଯାଇ ତାହାର ଜବାବ ଦିଆଯାଇଥିବା କିମ୍ବା ଆବଶ୍ୟକ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗକୁ ପଠାଯାଇଥିବା ଜିଲ୍ଲାପାଳ ଦର୍ଶାଇଛନ୍ତି । ଜିଲ୍ଲାପାଳଙ୍କ ମତରେ, ସାଂସଦଙ୍କ ସାମ୍ବିଧାନିକ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବା କିମ୍ବା ତାଙ୍କ ସଂସଦୀୟ ଦାୟିତ୍ୱ ନିର୍ବାହରେ ବାଧା ସୃଷ୍ଟି କରିବା ଭଳି କୌଣସି ଉଦ୍ଦେଶ୍ୟ ତାଙ୍କର ନଥିଲା । ତେଣୁ ସ୍ୱାଧିକାର ଭଙ୍ଗ ନୋଟିସ୍ରେ ଉଠାଯାଇଥିବା ଅଭିଯୋଗ ଉପଲବ୍ଧ ସରକାରୀ ରେକର୍ଡରୁ ପ୍ରମାଣିତ ହେଉନାହିଁ ବୋଲି ସେ ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । Post navigation CJP Chief Abhijeet Dipke Detained: ଦିଲ୍ଲୀରେ ତ୍ରିରଙ୍ଗା ଯାତ୍ରା ପୂର୍ବରୁ ସିଜେପି ମୁଖ୍ୟ ଅଭିଜିତ ଦୀପକେ ଅଟକ Newly Elected ABVP Student Leaders Meet CM Majhi: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବନିର୍ବାଚିତ ABVPର ଛାତ୍ର ପ୍ରତିନିଧି