ଭାରତୀୟ ହକି ଦଳର ପାରମ୍ପରିକ ନୀଳ ଜର୍ସିକୁ ଆସନ୍ତା ଏଫ୍.ଆଇ.ଏଚ୍. ହକି ବିଶ୍ଵକପ୍ (FIH Hockey World Cup) ପାଇଁ କେଶରିଆ (ସାଫ୍ରନ୍) ରଙ୍ଗରେ ପରିବର୍ତ୍ତନ କରାଯିବା ନିଷ୍ପତ୍ତିକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି। ଜର୍ସି ରଙ୍ଗ ପରିବର୍ତ୍ତନ ନିଷ୍ପତ୍ତିର ପ୍ରକ୍ରିୟାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି ହକି ଇଣ୍ଡିଆ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ଦିଲୀପ ତିର୍କୀ। ବୋର୍ଡର ବରିଷ୍ଠ କର୍ମକର୍ତ୍ତା ଏବଂ କାର୍ଯ୍ୟକାରୀ ସମିତି ସଦସ୍ୟମାନଙ୍କୁ ଦୁଇଟି ଇମେଲ୍ ପଠାଇ ସେ ଏହି ନିଷ୍ପତ୍ତି ଉପରେ ସମ୍ପୂର୍ଣ୍ଣ ସ୍ପଷ୍ଟୀକରଣ ଦାବି କରିଛନ୍ତି।

ସୂଚନା ଅନୁଯାୟୀ; ଦଳର ପାରମ୍ପରିକ ନୀଳ ରଙ୍ଗ ବଦଳରେ କେଶରିଆ ରଙ୍ଗର ଜର୍ସି ବ୍ୟବହାର କରିବା ନିଷ୍ପତ୍ତି ସମ୍ପର୍କରେ କାର୍ଯ୍ୟନିର୍ବାହୀ ବୋର୍ଡ ସହିତ କୌଣସି ଆଲୋଚନା ବା ପରାମର୍ଶ କରାଯାଇ ନାହିଁ। ଏହି ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଦିଲୀପ ତିର୍କୀ ଶୁକ୍ରବାର ଦିନ ହକି ଇଣ୍ଡିଆର ବରିଷ୍ଠ ପଦାଧିକାରୀ ଓ କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟଙ୍କୁ ଦୁଇଟି ପୃଥକ ଇ-ମେଲ୍ ପଠାଇଛନ୍ତି। ଉକ୍ତ ଇ-ମେଲ୍ ଜରିଆରେ ସେ ଏହି ଜର୍ସି ପରିବର୍ତ୍ତନର ସମ୍ପୂର୍ଣ୍ଣ କାରଣ ଏବଂ ସ୍ପଷ୍ଟୀକରଣ ମାଗିଛନ୍ତି।

ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ହକି ଇଣ୍ଡିଆ ସଭାପତି କହିଛନ୍ତି ଯେ, କେଶରିଆ ରଙ୍ଗକୁ ନେଇ ତାଙ୍କର କୌଣସି ଆପତ୍ତି ବା ସମସ୍ୟା ନାହିଁ। ମାତ୍ର ଜାତୀୟ ଦଳର ପରିଚୟ ଏବଂ ପ୍ରତିନିଧିତ୍ୱ ସହ ଜଡ଼ିତ ଏଭଳି ଏକ ସମ୍ବେଦନଶୀଳ ନିଷ୍ପତ୍ତି ନେବା ପୂର୍ବରୁ କୌଣସି ପ୍ରକାରର ପରାମର୍ଶ କିମ୍ବା ଆଲୋଚନା କରାଯାଇ ନଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *