ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ଦିଗରେ ସଫଳତା ମିଳିଛି। ଟ୍ରେଡ୍ ମାର୍କ ରେଜିଷ୍ଟ୍ରିର ୨ୟ ପର୍ଯ୍ୟାୟରେ ଆଉ ୫ଟି ଟ୍ରେଡ୍ ମାର୍କ ଅନୁମୋଦିତ ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିର ସହିତ ଜଡ଼ିତ ଆଉ ପାଞ୍ଚଟି ନାମ ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଓ କୋଇଲି ବୈକୁଣ୍ଠକୁ ଟ୍ରେଡ୍ ମାର୍କ ଅନୁମୋଦନ ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା. ଅରବିନ୍ଦ ପାଢ଼ୀ ।

ସେ କହିଛନ୍ତି ଟ୍ରେଡ୍ ମାର୍କ ରେଜିଷ୍ଟ୍ରିର ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ ପରେ ଆଉ ପାଞ୍ଚଟି ଟ୍ରେଡ୍ ମାର୍କ ଆବେଦନ ଆସନ୍ତା ଟ୍ରେଡ୍ ମାର୍କ ଜର୍ଣ୍ଣାଲରେ ପ୍ରକାଶନ ପାଇଁ ଅନୁମୋଦିତ ହୋଇଛି। ଏହି ଅନୁମୋଦନଗୁଡ଼ିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ପବିତ୍ର ନାମ ଓ ପରମ୍ପରାର ସୁରକ୍ଷା ତଥା ସେଗୁଡ଼ିକର ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୋଟ ୨୯ଟି ନାମ ଏବଂ ଲୋଗୋକୁ ନେଇ ଇଣ୍ଡିଆନ୍ ପେଟେଣ୍ଟ ଅଫିସରେ ଦରଖାସ୍ତ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୩ଟି ନାମ ଯଥା ଆନନ୍ଦ ବଜାର, ପତିତପାବନ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସରକାରୀ ନୀଳଚକ୍ର ଲୋଗୋ ଏବଂ ଆଜି ଆଉ ୫ଟି ନାମ ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଓ କୋଇଲି ବୈକୁଣ୍ଠକୁ ଅନୁମୋଦନ ମିଳିଛି । ଏଥିସହିତ ଆହୁରି ୨୧ଟି ନାମ ପଞ୍ଜିକରଣ ସଂସ୍ଥା ପାଖରେ ବିଚାରାଧୀନ ରହିଛି ।

Leave a Reply

Your email address will not be published. Required fields are marked *