ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନ ସମୟରେ ପୋଲିସ ଲାଠିଚାର୍ଜରେ ଆହତ ହୋଇ ରାମ ମନୋହର ଲୋହିଆ (ଆର୍ଏମ୍ଏଲ୍) ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଛାତ୍ରଛାତ୍ରୀଙ୍କୁ ମଙ୍ଗଳବାର ବିଜୁ ଜନତା ଦଳର ରାଜ୍ୟସଭା ସାଂସଦମାନଙ୍କ ଏକ ପ୍ରତିନିଧି ଦଳ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ନେଇଛନ୍ତି। ସାଂସଦମାନେ ହସ୍ପିଟାଲରେ ଚିକିତ୍ସାରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଆଘାତ ଓ ଚିକିତ୍ସା ପ୍ରକ୍ରିୟା ବିଷୟରେ ଅବଗତ ହୋଇଥିଲେ। ଏହା ସହ ଚିକିତ୍ସାରତ ଡାକ୍ତରମାନଙ୍କ ସହ ମଧ୍ୟ ଆଲୋଚନା କରି ପ୍ରତ୍ୟେକ ଆହତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କରେ ସବିଶେଷ ସୂଚନା ସଂଗ୍ରହ କରିଥିଲେ। ପ୍ରତିନିଧି ଦଳ ପକ୍ଷରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଆହତ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତମାନର ଓ ନିରବଚ୍ଛିନ୍ନ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ଅନୁରୋଧ କରାଯାଇଥିଲା।ଏହି ଅବସରରେ ବିଜେଡି ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ଏବଂ ସେମାନଙ୍କ ସୁରକ୍ଷା, ସମ୍ମାନ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା କରିବା ପ୍ରତ୍ୟେକ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରଥମିକ ଦାୟିତ୍ୱ। ଶାନ୍ତିପୂର୍ଣ୍ଣ ଭାବେ ନିଜ ମତ ପ୍ରକାଶ କରୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରାଯିବା ସହ ସେମାନଙ୍କ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ ବୋଲି ଦଳ ମତ ପ୍ରକାଶ କରିଛି। ବିଜେଡିର ରାଜ୍ୟସଭା ସାଂସଦମାନେ ସମସ୍ତ ଆହତ ଛାତ୍ରଛାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ସେମାନଙ୍କ ପ୍ରତି ପୂର୍ଣ୍ଣ ସହଯୋଗ ଓ ଏକାତ୍ମତା ପ୍ରକାଶ କରିଛନ୍ତି। Post navigation Odisha Renames Regional Education Directorates: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ SIR Process in Odisha: ୫୮ ଲକ୍ଷ ଲୋକଙ୍କୁ ଦିଆଯାଇଛି ନୋଟିସ୍: ସିଇଓ