ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ରହିଛି ୧୬୭୮ଟି ତ୍ରୁଟି ସାମ୍ନାକୁ ଆସିଛି। ଓଡ଼ିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ନୂଆ ପାଠ୍ୟପୁସ୍ତକଗୁଡ଼ିକରେ ଏପରି ବ୍ୟାପକ ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଓଡ଼ିଆ ପାଠ୍ୟପୁସ୍ତକରେ ଶହଶହ ଭୁଲ ବାହାରିବା ବିଜେପି ସରକାରର ଅତ୍ୟନ୍ତ ଦାୟିତ୍ବହୀନ ତଥା ଖାମଖୁଆଲି ମନୋଭାବକୁ ଦର୍ଶାଉଛି।ପିଲାମାନଙ୍କୁ ଏ ସରକାର ଠିକ ସମୟରେ ପାଠ୍ୟପୁସ୍ତକ ଯୋଗାଇ ପାରୁନଥିବା ବେଳେ, ମିଳିଥିବା ପାଠ୍ୟପୁସ୍ତକରେ ବି ଅନେକ ଭୁଲ ବାହାରିବା ପିଲାଙ୍କ ପାଠପଢ଼ା ଆଶାକୁ ଭାଙ୍ଗି ଦେଇଛି। ସେ ଆଉ ମଧ୍ୟ କହିଛନ୍ତି ଶିକ୍ଷା ହେଉଛି ଜୀବନର ମେରୁଦଣ୍ଡ, ଶିକ୍ଷା ଫିଟାଇଥାଏ ସମୃଦ୍ଧିର ବାଟ। ହେଲେ ବିଜେପି ସରକାରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ବିଜେପି ସରକାର ପିଲାଙ୍କ ଭବିଷ୍ୟତ ଏମିତି ଗଢ଼ିବାକୁ ଚାହୁଁଛି? ମହାପୁରୁଷଙ୍କ ନାମକୁ କଦର୍ଥ କରିବା, ଗଞ୍ଜାମ ବଦଳରେ ବ୍ରହ୍ମପୁରକୁ ଜିଲ୍ଲା ଭାବେ ଅଭିହିତ କରିବା, ଭୁଲ ବନାନ ଲେଖାଯିବା ଛୋଟିଆ କଥା ନୁହେଁ। ‘ଓଡ଼ିଆ ଅସ୍ମିତା’ର ନାରା ଦେଇ ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଆ ଭାଷା ଓ ଲିପିକୁ ସର୍ବାଧିକ କଦର୍ଥ କରାଯାଇଛି। ଶୈଶବରୁ ପିଲାମାନଙ୍କ ଶିକ୍ଷା ସହ ବିଜେପି ସରକାର କରୁଥିବା ସାଲିସ୍ କଦାପି କ୍ଷମଣୀୟ ନୁହେଁ। ତୁରନ୍ତ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା ସହ ପିଲାମାନଙ୍କ ଉତ୍ତମ ଶିକ୍ଷା ସୁନିଶ୍ଚିତ କରାଯାଉ ବୋଲି ଦାବି କରିଛନ୍ତି ନବୀନ ପଟ୍ଟନାୟକ। Post navigation Maoist Arms Dump Unearthed in Kandhamal: କନ୍ଧମାଳରେ ମାଓ ଡମ୍ପ୍ ଠାବ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ଜବତ Textbook Error: ପାଠ୍ୟପୁସ୍ତକ ତ୍ରୁଟି ଶିକ୍ଷା ବିଭାଗ ତଥା ପିଲାଛୁଆଙ୍କ ଭବିଷ୍ୟତ ନଷ୍ଟ ପାଇଁ ଷଡଯନ୍ତ୍ର: ଭକ୍ତ ଦାସ