ରାଜ୍ୟର ବିଦ୍ୟୁତ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଓଡ଼ିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ୍) ପକ୍ଷରୁ ରାଜେଶ ପାୱାର ସର୍ଭିସେସ୍ ଲିମିଟେଡ୍କୁ ୨୧୧.୬୮ କୋଟି ଟଙ୍କାର ଏକ ବୃହତ ପ୍ରକଳ୍ପ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ସହିତ ଗୁଜୁରାଟର ଏହି କମ୍ପାନି ପ୍ରଥମ ଥର ପାଇଁ ଓଡ଼ିଶା ବଜାରରେ ପ୍ରବେଶ କରିଥିବା ବେଳେ ଏହାକୁ ଏହାର ଟ୍ରାନ୍ସମିସନ୍ କ୍ଷେତ୍ରର ଅନ୍ୟତମ ବଡ଼ ସଫଳତା ଭାବେ ଦେଖାଯାଉଛି । କମ୍ପାନି ପକ୍ଷରୁ ବୁଧବାର ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଏହି ପ୍ରକଳ୍ପ ଅଧୀନରେ ମେଣ୍ଢାଶାଳ ଗ୍ରିଡ୍ ସବ୍ଷ୍ଟେସନ୍ (ଜିଏସ୍ଏସ୍) ଓ ଚନ୍ଦକା-ବି ଗ୍ୟାସ୍ ଇନସୁଲେଟେଡ୍ ସବ୍ଷ୍ଟେସନ୍ (ଜିଆଇଏସ୍) ମଧ୍ୟରେ ୨୨୦ କେଭି ଭୂତଳ ବିଦ୍ୟୁତ ପରିବହନ କେବୁଲ୍ ନିର୍ମାଣ କରାଯିବ। ଏହା ସହ ମେଣ୍ଢାଶାଳରେ ଏୟାର୍ ଇନସୁଲେଟେଡ୍ ସବ୍ଷ୍ଟେସନ୍ (ଏଆଇଏସ୍) ବେ’ ଓ ଚନ୍ଦକା-ବିରେ ଜିଆଇଏସ୍ ବେ’ର ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ କରାଯିବ। କମ୍ପାନିର ପରିଚାଳନା ନିର୍ଦ୍ଦେଶକ କୁରାଙ୍ଗ ପଞ୍ଚାଲ କହିଛନ୍ତି ଯେ, ଓପିଟିସିଏଲ୍ରୁ ମିଳିଥିବା ଏହି ଠିକା କମ୍ପାନି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଷ୍ଟୋନ୍ । ଏହା କମ୍ପାନିର କାର୍ଯ୍ୟଦକ୍ଷତା ଓ ବୈଷୟିକ କ୍ଷମତା ପ୍ରତି ବିଦ୍ୟୁତ କ୍ଷେତ୍ରର ସଂସ୍ଥାଗୁଡ଼ିକର ବିଶ୍ୱାସକୁ ପ୍ରତିଫଳିତ କରୁଛି। ଓଡ଼ିଶାର ବିଦ୍ୟୁତ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଆଧୁନିକ କରିବାରେ କମ୍ପାନି ଓପିଟିସିଏଲ୍ ସହ ମିଶି କାମ କରିବ ବୋଲି ସେ କହିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ବିଦ୍ୟୁତ ପରିବହନ କ୍ଷମତା ବୃଦ୍ଧି ପାଇବା ସହ ବଢ଼ୁଥିବା ଚାହିଦା ପୂରଣରେ ସହାୟକ ହେବ । ଏଥିସହ ରାଜ୍ୟର ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ ପ୍ରକ୍ରିୟାକୁ ମଧ୍ୟ ଗତି ମିଳିବ । ଉଲ୍ଲେଖଯୋଗ୍ୟ, ରାଜେଶ ପାୱାର ସର୍ଭିସେସ୍ ଲିମିଟେଡ୍ ବର୍ତ୍ତମାନ ଗୁଜରାଟ, ରାଜସ୍ଥାନ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବିଦ୍ୟୁତ ପରିବହନ ଓ ବିତରଣ କ୍ଷେତ୍ରର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି । ଭୂତଳ କେବୁଲିଂ, ଉଚ୍ଚ ଭୋଲ୍ଟେଜ୍ ଟ୍ରାନ୍ସମିସନ୍ ବ୍ୟବସ୍ଥା ଏବଂ ସବ୍ଷ୍ଟେସନ୍ ନିର୍ମାଣରେ କମ୍ପାନିର ବିଶେଷ ଦକ୍ଷତା ରହିଛି । Post navigation Chameli Ojha writes letter to PM Modi: ମିଥ୍ୟା ଜେଲ ଦଣ୍ଡ ବିରୁଦ୍ଧରେ ନ୍ୟାୟ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି ଓଝା Errors in Odisha School Textbooks: ପାଠ୍ୟପୁସ୍ତକରେ ଭୁଲ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ତୁରନ୍ତ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ