ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତ ଜାଲି କରିବା, ସରକାରୀ ଡି.ଓ. ପ୍ୟାଡ୍‌ର ଦୁରୁପଯୋଗ କରିବା ଏବଂ ଜାଲ୍ ଦସ୍ତାବେଜ ବ୍ୟବହାର କରି ବଦଳି ହାସଲ କରିବା ଉଦ୍ଦେଶ୍ୟରେ ଷଡଯନ୍ତ୍ର ରଚାଯାଇଥିବା ଅଭିଯୋଗରେ ଦୁଇ ଜଣ ସହକାରୀ ଯନ୍ତ୍ରୀ (AEE)ଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯାଇଛି। ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ Niranjan Kumar Sha କ୍ୟାପିଟାଲ ଥାନାର ଆଇଆଇସିଙ୍କୁ ଲେଖିଥିବା ଚିଠିରେ ବାଂସପାଳ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଏବଂ ହରିଚନ୍ଦନପୁର ବ୍ଲକ୍‌ର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ଅନୁସାରେ, ଉଭୟ ଅଧିକାରୀ ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ଏବଂ ତାଙ୍କ କାର୍ଯ୍ୟାଳୟର ଅଧିକୃତ ଡି.ଓ. ପ୍ୟାଡ୍ ବ୍ୟବହାର କରି ଜାଲ୍ ଦସ୍ତାବେଜ ପ୍ରସ୍ତୁତ କରିଥିଲେ। ପରେ ସେହି ଦସ୍ତାବେଜକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିକଟରେ ଦାଖଲ କରି ସୁନ୍ଦରଗଡ଼ ଜିଲ୍ଲାର ବରଗାଁ ଓ ସଦର ବ୍ଲକ୍‌କୁ ବଦଳି ପାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ଉପବାଚସ୍ପତିଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି ଯେ, ଉକ୍ତ ଚିଠିଗୁଡ଼ିକ କେବେ ବି ତାଙ୍କ କାର୍ଯ୍ୟାଳୟରୁ ଜାରି କିମ୍ବା ଅନୁମୋଦିତ ହୋଇନଥିଲା। ତେଣୁ ଏହା ସରକାରୀ ଦସ୍ତାବେଜ ଜାଲିଆତି, ପରିଚୟ ଜାଲିଆତି, ଅପରାଧିକ ଷଡଯନ୍ତ୍ର ଓ ସୂଚନା ପ୍ରଯୁକ୍ତି ଆଇନ ଉଲ୍ଲଂଘନ ଭଳି ଗୁରୁତର ଅପରାଧର ଶ୍ରେଣୀରେ ଆସୁଥିବା ଅଭିଯୋଗ କରାଯାଇଛି।

ଏହି ଘଟଣାରେ ତୁରନ୍ତ ଏଫଆଇଆର୍ ରୁଜୁ କରି ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନେବାକୁ କ୍ୟାପିଟାଲ ଥାନା ପୁଲିସକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *