ଆଜି ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବାର ଦ୍ୱିତୀୟ ବର୍ଷ । ଆଜିର ଦିନକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ବର୍ଷ ପୂର୍ବର ଏହି ଦିନକୁ ରାଜ୍ୟର ରାଜନୈତିକ ଇତିହାସରେ “ମହତ୍ତ୍ୱପୂର୍ଣ୍ଣ” ବୋଲି କହିଛନ୍ତି ଏବଂ ରାଜ୍ୟକୁ ସମୃଦ୍ଧିର ଶୀର୍ଷକୁ ନେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ସେ ନିଜ ସୋସିଆଲ ମିଡିଆରେ ଏସ୍ ରେ କହିଛନ୍ତି ଆଜି ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଯୁଗାନ୍ତକାରୀ ଓ ଗୌରବମୟ ଦିବସ। ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ଆପଣମାନେ ପରିବର୍ତ୍ତନର ସଂକଳ୍ପ ନେଇ ଭାରତୀୟ ଜନତା ପାର୍ଟି ସପକ୍ଷରେ ଏକ ଐତିହାସିକ ଓ ସ୍ପଷ୍ଟ ଜନମତ ପ୍ରଦାନ କରିଥିଲେ। ଆପଣଙ୍କର ସେହି ପବିତ୍ର ଜନମତ କେବଳ ଏକ ଶକ୍ତିଶାଳୀ ସରକାର ଗଠନ କରିନାହିଁ, ବରଂ ଦୀର୍ଘ ଦିନର ସ୍ଥାଣୁତାକୁ ଭାଙ୍ଗି ଏକ ସ୍ଵଚ୍ଛ, ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ନିର୍ମାଣର ମୂଳଦୁଆ ସ୍ଥାପନ କରିଛି। 

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଡବଲ୍ ଇଞ୍ଜିନ ସରକାର ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟର ସମନ୍ୱୟରେ ଓଡ଼ିଶାରେ ବିକାଶର ଏକ ନୂତନ ଯୁଗର ସୂତ୍ରପାତ କରିଛି। ଆମ ସରକାର ପ୍ରଶାସନିକ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ରାଜ୍ୟର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସଂପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି। ଆପଣଙ୍କର ଅତୁଟ ବିଶ୍ୱାସ ଓ ଆସ୍ଥା ଆମ ସଂକଳ୍ପକୁ ଆହୁରି ଦୃଢ଼ ଓ ଶକ୍ତିଶାଳୀ କରିଛି। ସେବା ଏବଂ ବିକାଶ ମାଧ୍ୟମରେ ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ଦିଗରେ ଆମେ ନିରନ୍ତର ଆଗେଇ ଚାଲିଛୁ।

ସୂଚନା ଅନୁଯାୟୀ; ୨୦୨୪ ନିର୍ବାଚନ ପରେ ବିଜେପି ବିଜେଡିର ୨୪ ବର୍ଷର ଶାସନର ଅନ୍ତ ଘଟାଇଥିଲା, ଯାହାର ଫଳାଫଳ ଜୁନ୍ ୪ ତାରିଖରେ ଘୋଷଣା କରାଯାଇଥିଲା। ୧୨ ଜୁନ୍ ୨୦୨୪ରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ସହିତ ଦଳ ଓଡ଼ିଶାରେ ପ୍ରଥମ ସରକାର ଗଠନ କରିଥିଲା।

Leave a Reply

Your email address will not be published. Required fields are marked *