ଦଶନ୍ଧି ଦଶନ୍ଧିର ଛତିଶଗଡ ସହ ଆମ ରାଜ୍ୟ ଓଡ଼ିଶାର ବୃହତ ସ୍ୱାର୍ଥ ସମ୍ବଳିତ ମହାନଦୀ ଜଳବିବାଦ ବିଷୟ ଓ ଏହି ନଦୀର ଜଳକୁ ବେସରକାରୀ କମ୍ପାନୀମାନଙ୍କ ହାତରେ ସମ୍ପୂର୍ଣ ଟେକି ଦେବାକୁ ନେଇ ପିସିସି ଗଣମାଧ୍ୟମ ବିଭାଗ ତରଫରୁ ବିଭାଗୀୟ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନଠାରେ ଏକ ମହତ୍ଵପୁର୍ଣ ସାମ୍ବାଦିକ ସମ୍ବିଳନୀ ଆୟୋଜନ ହେଇଥିଲା ।

ଏହି ସମ୍ବିଳନୀରେ ଯୋଗଦାନ କରି ପିସିସି ସଭାପତି ଭକ୍ତ ଚରଣ ଦାସ ମହାନଦୀ ଜଳ ବିବାଦକୁ ନେଇ ସରକାରଙ୍କୁ ତୀବ୍ର ଭର୍ସନା କରିଥିଲେ । ସେ କହିଥିଲେ, ସରକାର କହୁଛନ୍ତି, ମହାନଦୀ ଜଳକୁ ନେଇ ଆମର ଛତିଶଗଡ ସହିତ କୌଣସି ବିବାଦ ନାହିଁ । ଯଦି ଏହା ସତ୍ୟ ତେବେ ଜୁଲାଇ ୨୯, ୨୦୨୫ ରେ ବିଧାନସଭାରେ ଜୈନକ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ, ମୁଖ୍ୟମନ୍ତ୍ରୀ କହିଥିଲେ, ମହାନଦୀର ଉପର ମୁଣ୍ଡରେ ୪୧ ଗୋଟି ବୃହତ ଓ ମଧ୍ୟମ ଧରଣର ପ୍ରକଳ୍ପ ଏବଂ ୧୮୭୪ ଗୋଟି କ୍ଷୁଦ୍ର ଏବଂ ଅନ୍ୟାନ୍ୟ ନଦୀ ଜଳ ପ୍ରକଳ୍ପ ତିଆରି ହେଇଥିଵାରୁ ଅଣ ମୌସୁମୀ ସମୟରେ ମହାନଦୀରେ ଜଳ ହ୍ରାସ ପାଉଛି, ଏହା ମୁଖ୍ୟମନ୍ତ୍ରୀ କାହିଁକି କହିଥିଲେ ?

ରାଜ୍ୟର ବିଭିନ୍ନ ଶିଳ୍ପକୁ ମହାନଦୀର ଜଳ ଯୋଗାଇ ଦିଆ ଯାଉଛି । ପ୍ରତ୍ୟେକ ଶିଳ୍ପ ୫୦ ହଜାରରୁ ଲକ୍ଷେ କ୍ୟୁବିକ ମିଟର ଜଳ ବ୍ୟବହାର କରୁଛନ୍ତି  । ବର୍ତ୍ତମାନ ଛତିଶଗଡ ଓ ଓଡିଶାରେ ବିଜେପି ସରକାର ରହିବା ସହ କେନ୍ଦ୍ରରେ ମଧ୍ୟ ବିଜେପି ସରକାର ଅଛି ଯଦି ପ୍ରଧାନମନ୍ତ୍ରୀ ଚାହିଁବେ ଗୋଟିଏ ଦିନରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ । ମହାନଦୀର ଜଳକୁ ଛତିଶଗଡ ହାତରେ ଟେକି ଦେଇ ରାଜ୍ୟର ବୃହତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପ୍ରଧାନମନ୍ତ୍ରୀ ମହୋଦୟ ଓଡିଶାକୁ ସରକାରଙ୍କ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ଆମେ ସ୍ୱାଗତ କରୁଛୁଁ କିନ୍ତୁ ମହାନଦୀ ଜଳ ବିବାଦର ସମାଧାନ କରିବାକୁ ପଡିବ ନହେଲେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବୋଲି ଭକ୍ତ ଦାସ କହିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ଅନୁସୂଚିତ ଜାତି ଜନଜାତି ପାଇଁ ସଂରକ୍ଷଣକୁ ୧୧%ରୁ ୨୨%କୁ ବୃଦ୍ଧି କରିଛନ୍ତି ଯାହା ସ୍ୱାଗତ ଯୋଗ୍ୟ କିନ୍ତୁ ଯାହା ପ୍ରାବଧାନ ଅଛି ତାହା ୨୭% ସରକାର କଲେ ନାହିଁ କାହିଁକି ? ଦଳିତ ଆଦିବାସୀ ପିଲାମାନେ ପାଠ ପଢିବାକୁ ସୁଯୋଗ ପାଇବେ ଭଲ କଥା ତେବେ ସରକାରୀ ସ୍ତରରେ ସମସ୍ତ ବିଭାଗରେ ଆଜିକାଲି ଚୁକ୍ତିଭିତ୍ତିକ ଚାକିରୀର ଧାରା ଆରମ୍ଭ ହୋଇଛି । ସରକାରୀ ଚାକିରି ଆଉ ବାହାରୁ ନାହିଁ, ଏଭଳି ସ୍ଥଳେ ତାଙ୍କ ପଢ଼ାର ମୂଲ୍ୟ କଣହେବ! ସରକାର ଆଜି ସମସ୍ତ କ୍ଷେତ୍ରରେ ଫେଲ ମାରିଛି । ବେକାରୀ ସମସ୍ୟା ଅହେତୁକ ଭାବରେ ବୃଦ୍ଧି ପାଇଛି । ଆଜି ଛାତ୍ର ଓ ଯୁବସମାଜ ବା ଜେନଜି ମଧ୍ୟ୍ୟରେ ଘୋର ଅସନ୍ତୋଷର ବାତାବରଣ ଦେଖା ଯାଇଛି । ଆଗାମୀ ଦିନରେ ଏକ ବଡ ବିପ୍ଳବର ସୂଚନା ସ୍ପଷ୍ଟ ଜଣା ପଡୁଛି ।

ପୂର୍ବତନ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ସମ୍ମିଳନୀରେ ନିଜ ବ୍ୟକ୍ତବ୍ୟରେ କହିଥିଲେ, କଂଗ୍ରେସ ସରକାର ସମୟରେ ଜଳ ବିବାଦ ସମସ୍ୟା ଗୁଡିକୁ ଆମେ ସୁଚାରୁ ରୂପେ ସମାଧାନ କରୁଥିଲୁ । ମହାନଦୀ ଜଳ ଓ ବିଦ୍ୟୁତକୁ ନେଇ ତତ୍କାଳୀନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କ ସହିତ ଏକ ଚୁକ୍ତି ସ୍ଵାକ୍ଷରିତ ହେଇଥିଲା ଯାହା ଫଳରେ ଓଡିଶା ଅଧିକ ଲାଭାନ୍ୱିତ ହେଉଥିଲା । ମାଛକୁଣ୍ଡ ଜଳ ବିଦ୍ୟୁତ ଯୋଜନାର ଚୁକ୍ତି ଅନୁଯାଇ ଆନ୍ଧ୍ରପ୍ରଦେଶ ୭୦ ଓ ଓଡିଶା ୩୦ ଭାଗ ବିଦ୍ୟୁତ ବଣ୍ଟନ କରିବାର ନିୟମ ରହିଥିଲା । କଂଗ୍ରେସ ସରକାର ଉଦ୍ୟମରେ ପଚାଶ ପଚାଶ ଭାଗକୁ ତାହା ପରିବର୍ତନ ହୋଇଥିଲା । ବୈତରଣୀର ପାଣି ଶୁଖିଗଲାଣି, ନଦୀର ସମସ୍ତ ପାଣିକୁ କମ୍ପାନୀ ମାନଙ୍କୁ ଦାନ କରି ଦିଆଯାଇଛି । ଖଣିଜ ଦ୍ରବ୍ୟ ପଠାଇବା ପାଇଁ ପାଇପ ଯୋଗେ ବୈତରଣୀ ପାଣି ବ୍ୟବହାର କରି ପାରାଦ୍ୱୀପ ପଠାଯାଉଛି । ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ପାଇଁ ସରକାର ଆଗ୍ରହ ନୁହନ୍ତି । ଦାକ୍ଷିଣାତ୍ୟ ରାଜ୍ୟ ମାନଙ୍କରେ କୌଣସି ଜଳ ବିବାଦ ଦେଖାଗଲେ ସେ ରାଜ୍ୟର ସମସ୍ତ ରାଜନୈତିକ ଦଳ ଏକଜୁଟ ହୋଇ ଯାଆନ୍ତି । ନିଜ ରାଜ୍ୟ ସ୍ୱାର୍ଥ ପାଇଁ ସମସ୍ୱରରେ ଲଢେଇ କରନ୍ତି କିନ୍ତୁ ଦୁଃଖର କଥା, ଓଡିଶାରେ ରାଜ୍ୟର ସ୍ୱାର୍ଥକୁ ନେଇ ରାଜନୈତିକ ଦଳଙ୍କ ଭିତରେ ଏକତା ନାହିଁ ।

ସାମ୍ବାଦିକ ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ମହାନଦୀ ଜଳ ବିବାଦ ଦ୍ୱାରା ରାଜ୍ୟରେ ଉପୁଜିଥିବା ବହୁମୁଖୀ କ୍ଷତି ଉପରେ ଆଲୋକପାତ କରିବା ସହ ମହାନଦୀ ଟ୍ରିବ୍ୟୁନାଲର ଦୋମୁହାଁ ନୀତି ଉପରେ ସୂଚନା ଦେଇଥିଲେ । ଏହି ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *