୨୦୨୪ ଫେବ୍ରୁଆରୀ ୧୭ ତାରିଖରେ ପାରାଦୀପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜିନ୍ଦଲ ଷ୍ଟିଲ୍ ୱାର୍କ୍ସ ଇସ୍ପାତ କାରଖାନା ପାଇଁ ଆଧାରଶିଳା ରଖିଥିଲେ। ସେତେବେଳେ ଶିଳ୍ପ ସଚିବ ଥିଲେ ହେମନ୍ତ ଶର୍ମା । ଏହି ମେଗା ଇସ୍ପାତ ପ୍ରକଳ୍ପ ପାଇଁ ୬୫ ହଜାର କୋଟି ଟଙ୍କାର ଖର୍ଚ୍ଚ ଅଟକଳ ରହିଥିଲା । ଯେଉଁ ଢିଙ୍କିଆରେ ପୋସ୍କୋ କାରଖାନା ହୋଇଥାନ୍ତା, ସେଠାରେ ଏହି ଜିନ୍ଦଲ ଇସ୍ପାତ କାରଖାନା ଗଢ଼ିଉଠିବ ବୋଲି କୁହାଯାଇଥିଲା। ଏଥିପାଇଁ ଇଡ୍‌କୋ ୨୯୫୮ ଏକର ଜମି ଜିନ୍ଦଲକୁ ଦେଇଥିଲେ । ଇଡ୍‌କୋର ମୁଖ୍ୟ ଥିଲେ ହେମନ୍ତ ଶର୍ମା। ଏହି ଉତ୍ସବରେ ଉପସ୍ଥିତ ଥିଲେ ଜିନ୍ଦଲ ମାଲିକ ସଜ୍ଜନ ଜିନ୍ଦଲ ।

୨୦୨୬ ମେ ୨୭ । ମୁଖ୍ୟମନ୍ତ୍ରୀ ଜଗତସିଂହପୁରର ଢିଙ୍କିଆରେ ଜିନ୍ଦଲ ଷ୍ଟିଲ୍ ୱାର୍କ୍ସର ଇସ୍ପାତ କାରଖାନା ପାଇଁ ଆଧାରଶିଳା ରଖିଲେ । ସାଙ୍ଗରେ ଥିଲେ ଶିଳ୍ପ ସଚିବ ହେମନ୍ତ ଶର୍ମା । ଶିଳ୍ପମନ୍ତ୍ରୀ ସମ୍ପଦ ସାଇଁ । ଜିନ୍ଦଲ ମାଲିକ ସଜ୍ଜନ ଜିନ୍ଦଲ । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଯେଉଁ ପ୍ରକଳ୍ପର ଶୁଭ ଦେଲେ ସେଥ‌ିପାଇଁ ମଧ୍ୟ ଖର୍ଚ୍ଚ ଅଟକଳ ଅଛି ୬୫ହଜାର କୋଟି ଟଙ୍କା। ୩୨ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ବୋଲି କୁହାଗଲା । ଅବଶ୍ୟ ଏବେ ଇଡ୍‌କୋ ମୁଖ୍ୟ ନାହାନ୍ତି ହେମନ୍ତ ଶର୍ମା।

୨ବର୍ଷରେ ଦୁଇଜଣ ମୁଖ୍ୟମନ୍ତ୍ରୀ ଗୋଟିଏ ଜିନ୍ଦଲ ଇସ୍ପାତ କାରଖାନା ଲାଗି ଶୁଭ ଦେଲେ। ଉଭୟ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଶିଳ୍ପ ସଚିବ ଥିଲେ ହେମନ୍ତ ଶର୍ମା। ସମାନ ଖର୍ଚ୍ଚ ଅଟକଳ । ସମାନ ସ୍ଥାନ । ସମାନ ମାଲିକ । କିନ୍ତୁ ପ୍ରଶ୍ନ ଉଠୁଛି ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଯେଉଁ ଇସ୍ପାତ କାରଖାନା ପାଇଁ ଆଧାରଶିଳା ରଖିଥିଲେ, ସମାନ ସ୍ଥାନରେ ଭିଭିପ୍ରସ୍ତର ରଖିବା ପାଇଁ ଆଉ ଜଣେ ମୁଖ୍ୟମନ୍ତ୍ରୀ ଯିବା କେତେଦୂର ଶୋଭନୀୟ ? ପୂର୍ବରୁ ନବୀନ ପଟନାୟକ ଆଧାରଶିଳା ରଖି ସାରିଛନ୍ତି, ଏବାବଦରେ ମୋହନ ମାଝୀ ଅବଗତ ଥିଲେ କି ? ଶିଳ୍ପ ସଚିବ ହେମନ୍ତ ଶର୍ମା ଏବାବଦରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କାହିଁକି ଅନ୍ଧାରରେ ରଖିଲେ ? ଏହାଦ୍ବାରା ସରକାରଙ୍କର ଏବଂ ମୁଖ୍ୟମନ୍ତ୍ରୀଙ୍କର ଭାବମୂର୍ତ୍ତି ବଢ଼ିଲା କି ? ଏହି ଇସ୍ପାତ କାରଖାନା ପ୍ରତିଷ୍ଠା ପରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଉଦ୍‌ଘାଟନ କରିଥିଲେ ତାଙ୍କର ଭାବମୂର୍ତ୍ତି କମିଯାଇଥାଆନ୍ତା କି ?

ଦୁଇବର୍ଷ ଭିତରେ ଦୁଇଜଣ ମୁଖ୍ୟମନ୍ତ୍ରୀ ଗୋଟିଏ କାରଖାନାର ଭିତ୍ତିପ୍ରସ୍ତର ଦେବା କେଉଁ ଗୌରବର ବିଷୟ ? ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯେ ୨୦୨୪ ଫେବ୍ରୁଆରୀ ପୂର୍ବରୁ ଜିନ୍ଦଲ ଇସ୍ପାତ କାରଖାନା ପାଇଁ ଇଡ୍‌କୋ ଜମି ଦେଇସାରିଥିଲା। କିନ୍ତୁ କାହିଁକି ଏହି ଦୁଇବର୍ଷ ଭିତରେ କାରଖାନାର କୌଣସି ଅଗ୍ରଗତି ଘଟିନାହିଁ, ଏହାର ଉତ୍ତର ଦେବ କିଏ ? କାହିଁକି ଅମଲାତନ୍ତ୍ର ଚାପରୁ ମୁକୁଳି ପାରୁନାହାନ୍ତି ମୋହନ ସରକାର ? ସାଧାରଣତଃ କୁହାଯାଏ – ମାଙ୍କଡ଼ ହାତରେ ଶାଳଗ୍ରାମ, ନଚେଇନଚେଇ ନେଲା ପ୍ରାଣ। ସମାନ ଅବସ୍ଥା ମୋହନ ସରକାରଙ୍କର। ତୁଙ୍ଗ ଅଫିସରମାନେ ଯାହା ଚାହିଁବେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଭଲମନ୍ଦ ବିଚାର ନକରି ତାହାହିଁ କରିବେ।

ହେମନ୍ତ ଶର୍ମା ଇଡ୍‌କୋ ମୁଖ୍ୟ ଥିବା ସମୟରେ ଅନେକ ଜମି କ୍ଷୁଦ୍ର ଓ ମଧ୍ଯମ ଶିଳ୍ପ ପାଇଁ ଦିଆଯାଇଛି। ଏହି ସରକାରୀ ଜମିରେ କେତେ ଶିଳ୍ପ ପ୍ରତିଷ୍ଠା ହୋଇଛି ତାହାର ହିସାବ କିତାବ ମୋହନ ସରକାର କରିଛନ୍ତି କି ? ପାଣ୍ଡିଆନଙ୍କ ଅତ୍ୟନ୍ତ ଘନିଷ୍ଠ ଅଧିକାରୀମାନେ ମୋହନ ସରକାରଙ୍କର ମଧ୍ଯ ଅତି ଘନିଷ୍ଠ । ଏହାସତ୍ତ୍ଵେ ସରକାରଙ୍କ ଭାବମୂର୍ତ୍ତି ସୁଧୁରୁ ନାହିଁ କାହିଁକି ?

Leave a Reply

Your email address will not be published. Required fields are marked *