କିଛିଦିନ ହେଲା ସାମାଜିକ ଗଣମାଧ୍ଯମରେ ଏବଂ ବାହାରେ ଭୈରବ କାର୍ତ୍ତିକେୟ ପାଣ୍ଡିଆନଙ୍କୁ ନେଇ ଏକ ସାନି ଅଭିଯାନ ଆରମ୍ଭ ହୋଇଛି। ବିଜୁ ଜନତା ଦଳ ଏହି ଅଭିଯାନର ନେତୃତ୍ବ ନେଉଛି। ପୁନଃ ପାଣ୍ଡିଆନଙ୍କୁ ରାଜନୀତିରେ ପ୍ରବେଶ କରାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏଭଳି ଅଭିଯାନ ସଫଳ ହେବ କି ? ଏହା ହେଉଛି ସବୁଠୁ ଗୁରୁତ୍ଵପୂର୍ଣ୍ଣ ଏବଂ ବଡ଼ ପ୍ରଶ୍ନ । ମାତ୍ର ସମାନ୍ତରାଳ ଭାବେ ଆଉ ଏକ ପୋଲିଂ ସାମ୍ନାକୁ ଆସିଛି। ତାହା ନବୀନ ପଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ନେଇ। ବିଜଦ ରାଜନୀତିକୁ ଏହା ଅତି ରୋଚକ ମୋଡ ଦେଇଛି। ବିଜୁ ଜନତା ଦଳ ଚିହ୍ନ ଥିବା ଏକ ସାମାଜିକ ଗଣମାଧ୍ଯମ ପୋଲିଂ ବଡ଼ କୌତୁହଳଜନକ। ବିଜୁ ଜନତା ଦଳରୁ ନିର୍ବାଚନ ପରାଜୟ ପରେ ୨୦୨୪ ଜୁନ ମାସରୁ ଇସ୍ତଫା ଦେଇଛନ୍ତି ପାଣ୍ଡିଆନ। ପ୍ରଚାର କାଳରେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି କହିଥିଲେ। ନବୀନ ସରକାରଙ୍କୁ କ୍ଷମତାଚ୍ୟୁତ କରାଇବାରେ ବଡ଼ ଭୂମିକା ଅମିତ ଶାହାଙ୍କ ନିର୍ଦ୍ଦେଶନାରେ ତୁଲାଇବା ପରେ ରାଜନୀତିରୁ ଦୂରେଇ ଯିବା କଥା ଘୋଷଣା କଲେ । ସନ୍ନ୍ୟାସୀ ହେବା ଏବଂ ରାଜନୀତିରୁ ଦୂରେଇ ରହିବା ଦୁଇଟି ପୃଥକ ବିନ୍ଦୁ। କିନ୍ତୁ ଯେଉଁ ପୋଷ୍ଟର ସାମାଜିକ ଗଣମାଧ୍ୟମରେ ସ୍ଥାନିତ ହୋଇଛି, ସେଥିରେ ମୁଁ ପୁଣି ଓଡ଼ିଶା ଫେରିଆସୁଛି ବୋଲି ଲେଖାଅଛି। ଉଲ୍ଲେଖ ଅଛି ଯେ ସେବା କରିବି, ଶୁଣିବି ଏବଂ ସମାଧାନ କରିଦେବି। ଇତି, ଭିକେ ପାଣ୍ଡିଆନ, ଆପଣଙ୍କ ପାଇଁ ସବୁବେଳେ। ସେ ତ ନିୟମିତ ଓଡ଼ିଶା ଆସୁଛନ୍ତି । ନବୀନ ନିବାସ ଯାଉଛନ୍ତି । ପୁଣି ମୁଁ ଓଡ଼ିଶା ଆସୁଛି ବୋଲି କହିବାର ତାତ୍ପର୍ଯ୍ୟ କ’ଣ ? ଦମ୍ ଅଛି ତ କହିଦିଅନ୍ତୁ ମୁଁ ପୁଣି ବିଜଦର ମଙ୍ଗ ଧରିବି। ଯେଉଁ ସେବା ୫ ବର୍ଷ କରିଥିଲି, ସେହିଭଳି ସେବା କରିବି। ବିଜଦରେ ନଥାଇ ବି ବିଜଦର ନିର୍ବାଚନ ସଂକେତ ଏହି ପୋଷ୍ଟରରେ ରହିବା ଅର୍ଥ ଆରମ୍ଭରୁ ଧୋକା। ପାଣ୍ଡିଆନ ନିର୍ବାଚନ ଫଳ ପ୍ରକାଶ ପାଇବା ପରଠାରୁ ସାଧାରଣରେ ମିଶୁ ନାହାନ୍ତି । ଖୋଲାଖୋଲି ବିଜଦ ନେତାମାନଙ୍କ ସହ ମିଶିବା ସାହସ ନାହିଁ । ଜଗନ୍ନାଥ ମନ୍ଦିର ଶନିବାର ଯାଉନାହାନ୍ତି । ପୁଣି ଆସିବେ ଏବଂ ଓଡ଼ିଶା ପାଇଁ ସମର୍ପିତ ହୋଇଯିବେ ବୋଲି ଏହି ପୁନଃ ଘୋଷଣାର ଆବଶ୍ୟକତା ବିଜୁ ଜନତା ଦଳକୁ ପଡ଼ିଲା କାହିଁକି ? ସେବା କରିବାର ଅଛି ଯଦି ବିଜୁ ନବୀନ ଟ୍ରଷ୍ଟ ଦିଲ୍ଲୀରେ କରିବାର ଆବଶ୍ୟକତା ଅନୁଭବ ହେଲା କାହିଁକି ? ଆଉ ଏକ ପୋଷ୍ଟର ସାମାଜିକ ଗଣମାଧ୍ୟମରେ ବୁଲୁଛି। ଏହି ପୋଷ୍ଟରରେ କିନ୍ତୁ ପାଣ୍ଡିଆନଙ୍କ ସହ ନବୀନ ପଟନାୟକଙ୍କ ଫଟୋ ଅଛି। ଏଥିରେ ଲେଖାଅଛି, ଓଡ଼ିଶାର ଗଳିକନ୍ଦିରେ ଏବେ ଚର୍ଚ୍ଚା-ତୁମେ ଫେରିଆସ ଭିକେ ପାଣ୍ଡିଆନ। ଭିକେ ଇଂରାଜୀରେ, ପାଣ୍ଡିଆନ ଓଡ଼ିଆରେ। ପାଣ୍ଡିଆନ ଆସିଲେ ଓଡ଼ିଶା ଆହୁରି ଆଗକୁ ବଢ଼ିବ। ଆଉ ଏକ ପୋଷ୍ଟର କେଉଁ ଏକ ଗଛରେ ଲଗା ହୋଇଛି। ଏଥିରେ ଲେଖାଅଛି, ଆପଣଙ୍କୁ ଫେରିବାକୁ ପଡ଼ିବ। ଓଡ଼ିଶା ମା’ ପାଇଁ, ଓଡ଼ିଶାକୁ ବଞ୍ଚାଇବା ପାଇଁ । ଏହି ଡାକରା କୁଆଡ଼େ ଓଡ଼ିଶା ଜନସାଧାରଣ ଦେଇଛନ୍ତି । ଓଡ଼ିଶା ଜନସାଧାରଣ କିଏ, ତାହା ବି ବୁଝିବା ମୁସ୍କିଲ। ଏସବୁ ଅଭିଯାନ ହଠାତ ଆରମ୍ଭ ହେବାର ମୂଳ କାରଣଟି କିନ୍ତୁ ହେଲା, ରାଜ୍ୟରେ ଭାଜପା ସରକାର ଠିକ୍ସେ କାମ କରୁନାହିଁ ବୋଲି ଏକ ବାର୍ତ୍ତା ସରକାର ଏବଂ ସରକାରୀ ଦଳ ସୌଜନ୍ୟରୁ ଲୋକଙ୍କ ପାଖକୁ ଯାଇଛି। ଏଥିରୁ ଫାଇଦା ଉଠାଇବାକୁ ବିଜୁ ଜନତା ଦଳ ଚେଷ୍ଟା କରୁଛି। କିନ୍ତୁ ଆମର ନାହିଁ ସିନା, ତାମିଲନାଡ଼ ନାଡ଼ୁ ପୁଅର ବଡ଼ ନିଶ ଅଛି, ଏହି ଧାରଣାରେ ବିଜଦର ଗୋଟିଏ ଗୋଷ୍ଠୀ ଏପର୍ଯ୍ୟନ୍ତ ଅଛନ୍ତି। ଅର୍ଥାତ ବିଜଦର କେହି ଭାଜପାକୁ ମୁକାବିଲା କରିବା ପାଇଁ ସମର୍ଥ ନୁହନ୍ତି । ଆମେ ସମସ୍ତେ ଅପାରଗ । ପ୍ରଥମେ ପାଣ୍ଡିଆନ ବିଜୁ ଜନତା ଦଳକୁ ସମ୍ଭାଳନ୍ତୁ। ତା’ପରେ ଓଡ଼ିଶା ମାଁ ଓ ଓଡ଼ିଶା କଥା ବୁଝିବେ। ଲୋକଙ୍କ ଦୁଃଖ ଶୁଣି ସମାଧାନ କରିଦେବେ । ବିଜଦର ଏହି ଗୋଷ୍ଠୀ ଏକ ଭ୍ରମ ଧାରଣାରେ ଅଛନ୍ତି ଯେ ଦଳ ଦଳଟି ଏକ ହୋଇ ଅଛି। କିଛି ବଚସ୍କର ନେତାଙ୍କୁ ଛାଡ଼ି ଛାଡ଼ିଦେଲେ ସଂଖ୍ୟାଧିକ କର୍ମୀ ଏବଂ ନେତା ପାଣ୍ଡିଆନଙ୍କର ଘୋର ବିରୋଧୀ। ପାଣ୍ଡିଆନ ରି-ଲାଞ୍ଚିଂ ଅଭିଯାନ ଦ୍ବାରା ବିଜଦ ସ୍ୱୀକାର କରିସାରିଛି ଯେ ଏହି ଦଳଟି ସମ୍ପୂର୍ଣ୍ଣ ଅପାରଗ ଓ ଅସମର୍ଥ ଦଳ। ଏପରିକି ନବୀନ ବାବୁ ମଧ୍ଯ ଆଉ କିଛି କରିବା ଅବସ୍ଥାରେ ନାହାନ୍ତି । ବିଫଳ ନେତୃତ୍ୱକୁ ଏହି ଅଭିଯାନକାରୀମାନେ ସ୍ୱୀକାର କରିନେଇଛନ୍ତି। ଏକଥା ସତ ଯେ ମୋହନ ସରକାର ବହୁ ଦୃଷ୍ଟିକୋଣରୁ ବିଫଳ ହୋଇଛନ୍ତି । ପାଣ୍ଡିଆନପନ୍ଥୀ ଅଫିସରମାନଙ୍କୁ ଭରସା କରି ଯଥେଷ୍ଟ କ୍ଷତି ନିଜର କରିସାରିଛନ୍ତି । ସାମାଜିକ ଗଣମାଧ୍ଯମ ଅଭିଯାନ ଯୋଗୁ କାର୍ତ୍ତିକେୟଙ୍କର ଅଧୁରା ସ୍ଵପ୍ନ କେବେ ବି ପୂରଣ ହୋଇପାରିବ ନାହିଁ। କାରଣ ଆଉ ଏକ କାଉଣ୍ଟର ଅଭିଯାନ ଆରମ୍ଭ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ ଘୂରୁଥିବା ଏହି ପୋଷ୍ଟରରେ ଅଛନ୍ତି ଅରୁଣ ପଟ୍ଟନାୟକ। ଅରୁଣ ହେଉଛନ୍ତି ନବୀନଙ୍କ ବଡ଼ଭାଇ ପ୍ରେମଙ୍କ ପୁଅ। ଘୂରୁଥିବା ସାମାଜିକ ଗଣମାଧ୍ଯମ ପୋଷ୍ଟରରେ ନବୀନ ଅଛନ୍ତି । ଅଛନ୍ତି ଅରୁଣ। ବଡ଼ ବଡ଼ ଇଂରାଜୀ ଅକ୍ଷରରେ ଲେଖାଅଛି, ବିଜୁ ଜନତା ଦଳ ପାଇଁ ଏକ ସଶକ୍ତ ଭବିଷ୍ୟତ। ଉପରେ ଅଛି-ନୂଆ ଯୁଗ, ନୂଆ ନେତୃତ୍ବ, ଏକ ଶକ୍ତିଶାଳୀ ଓଡ଼ିଶା। ଦୁଇଟି ପୋଷ୍ଟ ଦେଖିବା ପରେ ବୁଝାପଡ଼ିଯାଉଛି ଯେ ବିଜୁ ଜନତା ଦଳ ଏକ ବାୟା ଯୋଗରେ ପଡ଼ିଛି। ଅରୁଣ ନା କାର୍ତ୍ତିକେୟ ତାହା ପ୍ରଥମେ ବିଜଦ ନେତାମାନେ ମାନେ ସ୍ଥିର କରନ୍ତୁ। ଦଳରେ ଯେଉଁ ରାଜନୈତିକ ବ୍ୟାପାର କମିଟି ଅଛି, ସେଥିରେ ଏକ ନିଷ୍ପତ୍ତି ହେଉ । ତା’ପରେ ଭାଜପା ସହ କିଏ ମୁକାବିଲା କରିବ, ତାହା ଲୋକେ ଜାଣିବେ ଓ ନିଷ୍ପତ୍ତି ନେବେ । ଏକଦା ନବୀନ କହିଥିଲେ ଯେ ବିଜଦର ଉତ୍ତରାଧିକାରୀ ଲୋକେ ସ୍ଥିର କରିବେ। ଲୋକେ ପାଣ୍ଡିଆନଙ୍କୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ବାକି ରହିଲା ଅରୁଣ ପ୍ରସଙ୍ଗ। Post navigation CHSE 12th Result 2026: ଯୁକ୍ତ ଦୁଇ ପରୀକ୍ଷାରେ ୯୬.୬% ରଖି ପାସ୍ କଲେ ହେଲେ ଖୁସି ହେବା ପାଇଁ ପୁଅ ନାହିଁ