‘ପ୍ରଥମ ବିଜୟ ସହଜ, ବିଜୟ ଦୋହରାଇବା ଭାରି କଷ୍ଟ’

ନିର୍ଭୟ ମିଡିଆ, ଭୁବନେଶ୍ୱର: “ପ୍ରଥମ ଥର ଜିଣିବା ସହଜ । କିନ୍ତୁ ଦ୍ୱିତୀୟ ବିଜୟ ଦୋହରାଇବା ବହୁତ କଷ୍ଟ ।” ଏହାଠାରୁ ରାଜ୍ୟ ଭାରତୀୟ ଜନତା ପାର୍ଟି ପାଇଁ ଆଉ ଅଧିକ କିଛି କ’ଣ କହିପାରିଥାନ୍ତେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ? ଏହାହିଁ ସୂଚାଇ ଦେଉଛି ଯେ କ୍ଷମତାକୁ ଆସିବା ପରେ ଶାସକ ଦଳ ଏବଂ ସରକାରଙ୍କ ଦୁର୍ଦ୍ଦଶା ଦେଖି ହାଇକମାଣ୍ଡ ମଧ୍ୟ ଚିନ୍ତିତ ।

ଅଧ୍ୟକ୍ଷ ହେବା ପରେ ପ୍ରଥମ ଓଡ଼ିଶା ଗସ୍ତରେ ଆସିଥିଲେ ନିତିନ । ଜଟଣୀରେ ଏକ ପ୍ରଶିକ୍ଷଣ ଶିବିରରେ କିଛି ମନ୍ତ୍ର ଦେଇଥିଲେ । କାର୍ଯ୍ୟାଳୟରେ ଦଳର କର୍ମକର୍ତ୍ତା ଏବଂ ଜନ ପ୍ରତିନିଧିଙ୍କୁ ସମ୍ବୋଧନ କରିବା ଅବସରରେ କିଛି ଗୁମର କଥା ମଧ୍ୟ କହିଗଲେ ନିତିନ । ଦଳ ଏବଂ ସରକାର ଯେ ଲୋକଙ୍କଠାରୁ ଦୂରେଇ ଯାଉଛି, ଦୁଇବର୍ଷ ଭିତରେ ହାଇକମାଣ୍ଡ ହୃଦ୍‌ବୋଧ କଲେଣି । ସେଥିପାଇଁ ଲୋକଙ୍କ ସହ ସଂଯୁକ୍ତ ହେବା ଏବଂ ସରକାରୀ ଯୋଜନାକୁ ତୃଣମୂଳ ସ୍ତରକୁ ନେବାପାଇଁ ଉପଦେଶ ଦେଇଥିଲେ ସେ । ମୋଟାମୋଟି ଭାବେ ତାଙ୍କ ପଞ୍ଚସୂତ୍ରୀ ଟାସ୍କ ଦେଖିଲେ ବୁଝାପଡ଼ିଯାଉଛି ଯେ ନୀତି, ଆଦର୍ଶ ଏବଂ ମାଟିଠାରୁ ଦୂରେଇ ଯାଇଛି ଶାସକ ଦଳ । ଦୁଇବର୍ଷ ହେଲା ଗୋଟିଏ ସରକାର ଉପରେଉପରେ ଭାସୁଛନ୍ତି । ଉତ୍ସବ ଭିତରୁ ବାହାରି ପାରୁନାହାନ୍ତି । ତୃଣମୂଳସ୍ତରରେ ଯୋଡ଼ି ହୋଇପାରୁ ନାହାନ୍ତି । କର୍ମୀ ଏବଂ ନେତାମାନଙ୍କ ମଧ୍ୟରେ ସେହି ନିଷ୍ଠା ଏବଂ ଆବେଗ ନାହିଁ । ନିତିନଙ୍କ ପ୍ରଥମ ରାଜ୍ୟ ଗସ୍ତର ଡିକୋର୍ଡିଂ କଲେ ଏହାହିଁ ଅତ୍ୟନ୍ତ ସ୍ପଷ୍ଟ ହୋଇଉଠୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ନଭେମ୍ବରରେ ଓଡ଼ିଶା ଗସ୍ତରେ ଆସିବା ଅବସରରେ ପ୍ରଥମ ଭାଜପା ସରକାରର ମନ୍ତ୍ରୀ, ବିଧାୟକ ଏବଂ ଦଳୀୟ ସାଂସଦଙ୍କ ବୈଠକରେ ଥଟ୍ଟା ପରିହାସ ଭିତରେ ଯେଉଁ ବାଣୀ ଶୁଣାଇ ଥିଲେ ସମ୍ଭବତଃ ସରକାର ଏବଂ ଦଳ ତାହାର ମର୍ମ ଅନୁଭବ କରିନାହାନ୍ତି । ମୋଦୀଙ୍କଠାରୁ ଆଉ କେହି ବଡ଼ ନେତା ଅଛନ୍ତି କି ଦଳରେ? ତାଙ୍କର ରୋକଠୋକ କଥାଟି ଥିଲା ଯେ ବହୁତ ଆଶା ବିଶ୍ୱାସ ରଖି ଲୋକେ ଭୋଟ ଦେଇଛନ୍ତି । ସେମାନଙ୍କ ଆଶା ବିଶ୍ୱାସ ନଷ୍ଟ ନହେଉ । ଲୋକଙ୍କ ପାଖରେ ସରକାରଙ୍କ ବିରୋଧରେ କେହି କିଛି ନକୁହନ୍ତୁ । ଲୋକଙ୍କ ଆସ୍ଥା ବିଗିଡ଼ିଗଲେ ସେମାନେ ତାତିବେ ଓ ବାଡ଼େଇବେ । ଆଉ ଅଧିକ କ’ଣ କହିଥାନ୍ତେ ପ୍ରଧାନମନ୍ତ୍ରୀ? କିନ୍ତୁ ସରକାର ଏବଂ ଦଳ ଅନ୍ତଦ୍ୱର୍ନ୍ଦ୍ୱକୁ ପ୍ରତିଦିନ ବାହାରେ ଓଦା ଲୁଗା ଖରାରେ ସୁଖାଇବା ଭଳି ପ୍ରଦର୍ଶନ କରିଚାଲିଛନ୍ତି ।

ନିତିନ ଆଉ ଏକ ବଡ଼କଥା କହିଗଲେ । ନିର୍ଭୟ ଗତ କେତେମାସ ଧରି ଏହି କଥା ହିଁ କହିଆସୁଥିଲା । ଲାଗୁଛି ‘ନିର୍ଭୟ’ର ସତର୍କଘଣ୍ଟିକୁ ମୋହର ମାରିଦେଇଗଲେ ନିତିନ ।

ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମରେ ଭାଜପା ଏକ ପ୍ରକାର ଖତମ । ସେଦୃଷ୍ଟିରୁ ବିଜୁ ଜନତା ଦଳ ଯଥେଷ୍ଟ ଆଗରେ । ବିଜୁ ଜନତା ଦଳ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ସରକାର ଏବଂ ସରକାରୀ ଦଳକୁ ବ୍ୟଙ୍ଗ କରି ମେମ୍ସ, ରିଲ୍ସ ଏବଂ ଅନ୍ୟ ଟିକାଟିିପ୍ପଣୀ ପ୍ରତିଦିନ ଛାଡ଼ୁଛି । ଆଘାତ ଦେଉଛି । ସରକାର କ୍ଷତବିକ୍ଷତ ହୋଇ ପୀଡ଼ା ଅନୁଭବ କରୁଛନ୍ତି କି ଜାଣିବା ମୁସ୍କିଲ । ସେମାନେ ଏବେବି ୨୦୨୪ ବିଜୟକୁ ନେଇ ନିଶାଗ୍ରସ୍ତ । ଭାଜପାର ସୋସିଆଲ ମିଡିଆ ପରିଚାଳନା ନାହିଁ । ସରକାରଙ୍କର ସୂଚନା ଓ ଲୋକ ସମ୍ପର୍କ ବିଭାଗ ବସ୍ତୁତଃ ବିଫଳ । ସୋସିଆଲ ମିଡିଆ ଯେ ଧୀରେଧୀରେ ଲୋକଙ୍କ ଭିତରେ ସରକାରଙ୍କ ବିରୋଧରେ ଏକ ମତ ସୃଷ୍ଟି କରିସାରିଲାଣି ଜାଣିପାରୁ ନାହାନ୍ତି ସରକାର ଏବଂ ଭାଜପା ନେତାମାନେ । ସେଥିପାଇଁ ନିତିନ କହିଗଲେ ଯେ ପ୍ରଥମ ବିଜୟ ସହଜ । ମାତ୍ର ୫ ବର୍ଷ ପରେ ନିର୍ବାଚନରେ ବିଜୟ ଦୋହରାଇବା ଭାରି କଷ୍ଟ । ଅନେକ ରାଜ୍ୟ ଦୋହରାଇ ସାରିଛନ୍ତି । କିନ୍ତୁ ଓଡ଼ିଶା ଦୋହରାଇବ କି ନାହିଁ, ଏନେଇ ହାଇକମାଣ୍ଡଙ୍କ ମନରେ ସନେ୍ଦହ ଓ ଆଶଙ୍କା ସୃଷ୍ଟି ହେଲାଣି ।

ମନ୍ତ୍ରୀମାନେ ସେମାନଙ୍କର ଓ ବିଭାଗର ଭାବମୂର୍ତ୍ତି ଜକଜକ କରିବା ନିମନ୍ତେ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାକୁ ବିପୁଳ ଅର୍ଥ ବିନିମୟରେ ଦାୟିତ୍ୱ ଦେଇଛନ୍ତି । ଏମାନେ ସମସ୍ତେ ପାଣ୍ଡିଆନ ସରକାରଙ୍କ ଅମଳରେ ସେମାନଙ୍କର ଭାବମୂର୍ତ୍ତି ଉଜ୍ୱଳ କରୁଥିଲେ । ଭାଜପା ସରକାର ସେହିମାନଙ୍କୁ ଭରସା କରୁଛି । ଡୁବିବା ଥୟ । ଦେଖାଯାଉଛି ମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ସାକ୍ଷାତ, ସଭା ସମିତି ଏବଂ କାହାର ସ୍ମୃତିଚାରଣ ଭିତରେ ଭାବମୂର୍ତ୍ତି ତିଆରି ପାଇଁ ଚେଷ୍ଟା ଚାଲିଛି । ବିଭାଗର ଫୋକସ, ଲୋକଙ୍କ ପାଇଁ ବିଭାଗୀୟ ଆବେଦନ ନାହିଁ । ଯେହେତୁ ମନ୍ତ୍ରୀମାନଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ତଳସ୍ତରକୁ ଚାଲିଯାଇଛି, ସେମାନଙ୍କର ପୂର୍ବତନ ବିଜଦ ସଂସ୍ଥା ଦ୍ୱାରା ଭାବମୂର୍ତ୍ତି ସୁଧାର ପଦକ୍ଷେପକୁ କାହିଁକି ଜନତା ଗ୍ରହଣ କରିବେ?

ଯେହେତୁ ଦଳ ଭିତରେ ଗୋଷ୍ଠୀକନ୍ଦଳ ପ୍ରବଳ, କର୍ମୀ ଓ ଜିଲାସ୍ତରୀୟ ନେତାମାନେ ଉପେକ୍ଷିତ ବୋଲି ଅନୁଭବ କରୁଛନ୍ତି, ସେହେତୁ ୨୦୨୭ ପଞ୍ଚାୟତ ନିର୍ବାଚନ ଭାଜପା ପାଇଁ ସାଂଘାତିକ ପରୀକ୍ଷା ହେବ । ୨୦୨୯ରେ ବିଜୟ ଦୋହରାଇ ହେବ କି ନାହିଁ ସେକଥା ପ୍ରଭୁ ଜଗନ୍ନାଥ ଜାଣିଥିବେ ।

By Nirvay

Leave a Reply

Your email address will not be published. Required fields are marked *