ନବୀନ ଦାସ: ଆଶ୍ଚର୍ଯ୍ୟ ଲାଗୁଛି ଆଉ ମାସକ ପରେ ଭାରତୀୟ ଜନତାପାର୍ଟି ସରକାରକୁ ଦୁଇବର୍ଷ ପୁରିଯିବ, କିନ୍ତୁ ଲୋକଙ୍କ ଭିତରେ ସେହି ଉଚ୍ଛାସ, ଆଗ୍ରହ ଏବଂ ଅପେକ୍ଷା ଆଉ ନାହିଁ । ଯେଉଁମାନେ ସରକାରରେ ଅଛନ୍ତି ସେମାନେ କଦାପି ତୃଣମୂଳର ବାସ୍ତବତାକୁ ଅନୁଭବ କରିବାକୁ ପ୍ରସ୍ତୁତ ନୁହଁନ୍ତି । ବୋଧହୁଏ ଯେଉଁମାନେ କ୍ଷମତାରେ ରହନ୍ତି, ସେମାନଙ୍କୁ ତୋଷାମଦ ହିଁ ଅଧିକ ପସନ୍ଦ ହୋଇଥାଏ । ରାଜ୍ୟର ପ୍ରଥମ ଭାଜପା ସରକାର ପାଇଁ ସ୍ଥିତି ଆଦୌ ଭଲ ନୁହେଁ । ଏକଥା ଲୋକମାନେ ଉଚ୍ଚସରରେ ସ୍ୱୀକାର କରୁଛନ୍ତି । କିନ୍ତୁ କ୍ଷମତାରେ ଥିବା ଦଳଟି ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ। ସେଥିପାଇଁ ଅଧିକାଂଶ ମନ୍ତ୍ରୀ କାମ ଅପେକ୍ଷା କଥାରେ ଅଧିକ ବିଶ୍ଵାସ କରୁଛନ୍ତି । ଅଧିକାଂଶ ମନ୍ତ୍ରୀ ଚ୍ୟାନେଲରେ ସେମାନଙ୍କ ଚେହେରା ଦେଖାଇବାକୁ ଅତ୍ୟନ୍ତ ବ୍ୟତିବ୍ୟସ୍ତ। ଏହାର ସମ୍ପୂର୍ଣ ସୁଯୋଗ ଅମଲାତନ୍ତ୍ର ନେଇସାରିଛି।

ଗୋଟିଏ ସରକାର ଅମଲାସାହି କାରଣରୁ ବିପର୍ଯ୍ୟସ୍ତ ହୋଇଗଲା। ଏହାକୁ କୁହାଯାଉଥିଲା ଅଫିସରରାଜ। ଭାଜପା ସରକାରରେ ମଧ୍ୟ ବେଧଡ଼କ ଚାଲିଛି ଅଫିସରରାଜ। ଅଧିକାଂଶ ମନ୍ତ୍ରୀ ମୁତ୍‌ତ୍ଵରକା ହୋଇଗଲେଣି। ଦୁର୍ନୀତି ଯେଭଳି କଳେବର ବିସ୍ତାର କରିବାକୁ ଲାଗିଛି, ମୋହନ ସରକାରଙ୍କ ପାଇଁ ଆଗାମୀ ଦିନ ଏତେ ସୁନ୍ଦର ଓ ଶୁଭପ୍ରଦ ହୋଇରହିବ ନାହିଁ।

ରତ୍ନ ଭଣ୍ଡାର ଗଣତି ମଣତି ବାବଦରେ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀ ଯେଉଁଭଳି ଏକ ଇଂରାଜୀ ଖବରକାଗଜକୁ ବିବୃତି ସରଳ ଦେଲେ ତାହା ସରକାରଙ୍କର ଅସହାୟତାକୁ ପ୍ରମାଣିତ କରୁଛି । ନବୀନ ସରକାରଙ୍କ ଅମଳରେ ତତ୍‌କାଳୀନ ବିଜଦ ବିଧାୟକ ତ‌ଥା ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ ପ୍ରଶ୍ନ କରିଥିଲେ ଯେ, କିଏ ବଡ଼, ମନ୍ତ୍ରୀ ନା ସଚିବ । ଆଜି ସମାନ ପ୍ରଶ୍ନ ବାରମ୍ବାର ପଚାରିବାକୁ ଇଚ୍ଛା ହେଉଛି। ଆଇନମନ୍ତ୍ରୀ ଯେଭଳି ଦୁଇବର୍ଷ ହେଲା ଅଯଥା ମନ୍ତବ୍ୟ ଦେଇଚାଲିଛନ୍ତି ତାହା ସରକାରଙ୍କୁ ହାସ୍ୟାସ୍ପଦ ସ୍ଥିତିକୁ ଠେଲି ଦେଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବତନ ପ୍ରମୁଖ ସଚିବ ନୃପେନ ମିଶ୍ର ଅଯୋଧ୍ଯା ରାମଭୂମି ଟ୍ରଷ୍ଟର ଅଧ୍ଯକ୍ଷ ଅଛନ୍ତି । କେବେ ତାଙ୍କ ଠାରୁ କେହି ବିବୃତି ବା ମନ୍ତବ୍ୟ ଦେଖୁଛନ୍ତି କି ?

ନିକଟରେ ସରକାର କିନ୍ନର ବିକାଶ କମିଟି ଗଠନ କଲେ । ଏହାର ମୁଖ୍ୟ କରାଗଲା ମୁଖ୍ୟସଚିବ ଅନୁ ଗର୍ଗଙ୍କୁ। କିନ୍ତୁ ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଏହାର ମୁଖ୍ୟ ରହୁଥିଲେ। କାହିଁକି ନିତ୍ୟାନନ୍ଦ ଗଣ୍ଡଙ୍କ ସ୍ଥାନରେ ଅନୁ ଗର୍ଗଙ୍କୁ କରାଗଲା ଏବଂ ପୁଣି କାହିଁକି ପୁରୁଣା ଢାଞ୍ଚାକୁ ଫେରାଇ ଅଣାଗଲା ତାହା ଏସରକାରଙ୍କ ପରିଚାଳନା ପଦ୍ଧତି ବୋଲି କୁହାଯାଇପାରେ। ଗୃହ ବିଭାଗର ଜଣେ ଆଇଏଏସ୍ ଅଧିକାରିଣୀ ଜଣେ ଦିବ୍ୟାଙ୍ଗ ଦମ୍ପତିଙ୍କ ଠାରୁ ୯୫ଲକ୍ଷ ଠକି ନେବାର ଅଭିଯୋଗ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ କିଭଳି ଏପର୍ଯ୍ୟନ୍ତ ରହିଛନ୍ତି ? ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ? ଯେତେବେଳେ ଏ ସମସ୍ତ ବିଷୟର ତର୍ଜମା କରିବାକୁ ହେଉଛି ପୀଡାର ସହିତ କହିବାକୁ ପଡ଼ୁଛି ଯେ, ଅଫିସରମାନେ ସରକାରଙ୍କୁ ପକ୍ଷାଘାତରେ ଆକ୍ରାନ୍ତ କରିସାରିଲେଣି। ଏକଦା ଉପା ସରକାରଙ୍କୁ ଅରୁଣ ଜେଟଲୀ ପଲିସି ପାରାଲିସିସ୍ ବୋଲି ଆକ୍ଷେପ କରୁଥିଲେ। ମୋହନ ସରକାର ସେହି ଆଡ଼କୁ ଯିବା ପାଇଁ କାହିଁକି ଆଗ୍ରହୀ ?

ସରକାର କିଛି ଭଲ କାମ କରିଛନ୍ତି । କିନ୍ତୁ ସେଗୁଡିକ କାହିଁକି ଢାଙ୍କି ହୋଇଯାଉଛି ତାହା ମୁଖ୍ୟମନ୍ତ୍ରୀ କେବେ ସମୀକ୍ଷା କଲେଣି କି ? ପ୍ରଧାନମନ୍ତ୍ରୀ ମୋଦୀଙ୍କ ଢାଞ୍ଚାରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରକୃତି ପ୍ରେମ ସୋସିଆଲ ମିଡ଼ିଆରେ କିଭଳି ଟ୍ରୋଲିଂର ସାମ୍ନା କରୁଛି, ତାହାର ଅନାସକ୍ତ ସମୀକ୍ଷା କେବେ ନିଜେ ଉପମୁଖ୍ୟମନ୍ତ୍ରୀ କଲେଣି ? ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଶକ୍ତି ବିଭାଗର ଦୁର୍ନୀତି ବାବଦରେ ଅବଗତ ଅଛନ୍ତି କି ? ଜୁନ୍ ପରେ ସରକାରଙ୍କ ପାଇଁ ଅଧିକ ଦୁର୍ଯୋଗ ଅପେକ୍ଷା କରିବ ବୋଲି ଯଦି ଏବେଠୁ ଆକଳନ କରାଯାଏ, ତାହା ଭୁଲ୍ ହେବ କି ?

Leave a Reply

Your email address will not be published. Required fields are marked *